ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ
ଆମେ ଜାଣିଛେ ପଞ୍ଚମହାଭୂତ ପ୍ରକୃତିରୁ ସୃଷ୍ଟ ଏବଂ ସେହି ପଞ୍ଚମହାଭୂତର ସମ୍ମିଶ୍ରଣରେ ଏ ଦେହ ଗଠନ ହୋଇଛି। ଏ ଶରୀରର ପୋଷଣ ନିମନ୍ତେ ଖାଦ୍ୟ , ଜଳ, ବାୟୁ ଓ ପରିବେଶର ଶୁଦ୍ଧତା ନିତ୍ୟାନ୍ତ ଆବଶ୍ୟକ। ନହେଲେ ଶରୀର ସହିତ ମନ ମଧ୍ୟ ରୁଗ୍ବଣ ହୋଇଯିବ। କାରଣ ପ୍ରକୃତି ପ୍ରଭାବରେ ଆମେ ପ୍ରଭାବିତ ହୋଇଥାଉ। ଏହି ତତ୍ତ୍ଵକୁ ଲୋକାଭିମୁଖୀ କରିବା ପାଇଁ ଆମ ବୈଦିକ ମହର୍ଷିମାନେ ସମୟ ଅନୁଯାୟୀ ଦର୍ଶନ,ଆଗମ ଓ ପୁରାଣାଦି ଶାସ୍ତ୍ର ମାଧ୍ୟମରେ ଧର୍ମର ସଂସ୍ଥାପନା କରିଛନ୍ତି। ସେ’ମାନେ ସାଧନା ବଳରେ ଜାଣିଥିଲେ ଯେ, ଭୌତିକଜଗତ ସହିତ ପ୍ରାଣୀଜଗତର ଅତୁଟ ସମ୍ପର୍କ ରହିଛି । ଏଣୁ ଗ୍ରହ, ନକ୍ଷତ୍ର, ଋତୁ ଓ ମାସ ଆଧାରରେ ଧର୍ମୀୟ ଆଚରଣ କରିବା ପାଇଁ ବ୍ୟବସ୍ଥାମାନ କରିଯାଇଛନ୍ତି।
କୃତ୍ତିକା ନକ୍ଷତ୍ର କାଳରେ ଜଳ ଓ ବାୟୁ ପ୍ରଦୂଷିତ ହୋଇଥାଏ। ଯାହା ଫଳରେ ଜଳଚର ପ୍ରାଣୀମାନେ ପୀଡ଼ିତ ହୋଇଥାନ୍ତି। ଏହି କାରଣରୁ ଆମିଷ ଖାଇବା ପାଇଁ ନିଷେଧ କରାଯାଇଛି। ସେ’ପରି ପାଚନ ଶକ୍ତି ମଧ୍ୟ ଦୁର୍ବଳ ରହିଥାଏ । ଏଣୁ ସୁପଚ୍ୟ ଭୋଜନ କରିବା ପାଇଁ କୁହାଯାଇଛି। ପରିବେଶରେ ବିଷାକ୍ତ କିଟାଣୁ ପ୍ରାଦୁର୍ଭାବକୁ ଦୂରକରିବା ପାଇଁ ଗୋ ଘୃତର ପ୍ରଦୀପ ସହିତ ଆତସବାଜିର ବିଧାନ କରାଯାଇଛି। ଶରୀର ଓ ମନକୁ ଶୁଦ୍ଧ ରଖିବା ନିମନ୍ତେ ପ୍ରାତଃ ସ୍ନାନ, ଜପ, ପୂଜା,ଆଧ୍ୟାତ୍ମିକ ଶାସ୍ତ୍ର ପଠନର ବ୍ୟବସ୍ଥା ରହିଛି। କାରଣ ଧର୍ମକୁ ପ୍ରତିଷ୍ଠା କରିବାକୁ ହେଲେ ଆଚରଣ ନିତ୍ୟାନ୍ତ ଆବଶ୍ୟକ। ଆଚରଣ ବଳରେ ବ୍ୟକ୍ତିର ଉନ୍ନତି ହୋଇଥାଏ। ଯେ କୌଣସି ବ୍ରତ ଅନୁଷ୍ଠାନ ପାଇଁ ଚାରୋଟି କର୍ମ ଯଥା – ସ୍ନାନ, ଧ୍ୟାନ, ଭୋଜନ ଓ ଅନୁଶାସନ ରହିବା ଅପରିହାର୍ଯ୍ୟ। ଦାର୍ଶନିକ ଦୃଷ୍ଟିକୋଣରୁ ଦେଖିଲେ ଏ ମାସରେ ସପିତ ହରି ଜାଗ୍ରତ ବା ଉତ୍ଥାପନ କରନ୍ତି। ଏଣୁ ବ୍ୟକ୍ତିର ଚେତନା ଜାଗ୍ରତ ହେବା ସକାଶେ ପ୍ରକୃତି ସହାୟକ ହୋଇଥାଏ। ଅତଃ ମନୁଷ୍ୟ ଉକ୍ତ କାଳରେ ସ୍ୱଳ୍ପ ସାଧନା ବଳରେ ପରମ ତତ୍ତ୍ଵକୁ ଅନୁଭଵ କରିପାରେ। ଏହି କାରଣରୁ କାର୍ତ୍ତିକ ମାସରେ ଏପରି ଆଚରଣର ବିଧାନ ରହିଛି ବୋଲି ବିଜ୍ଞ ଜନମାନେ କହିଛନ୍ତି।
ଆସିକା, ଗଞ୍ଜାମ।
