ଭୁବନେଶ୍ୱର, ୧୧.05.୨୦୨୬ [ଆ.ଦୁ.ନି] : ଓଡିଶା ଲୋକ ସେବା ଭବନ ସମ୍ମିଳନୀ ଗୃହରେ “ଦ୍ୱିତୀୟ ବାର୍ଷିକ ଅଧିକ୍ଷଣ ଯନ୍ତ୍ରୀ ଓ ଡିଭିଜିନାଲ ଏକାଉଟାଣ୍ଟ ସମ୍ମିଳନୀ–୨୦୨୬” ଆଜି ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଅଧିବେଶନରେ ଭାରତର ମହା ଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (C&AG) କେ.ସଞ୍ଜୟ ମୂର୍ତ୍ତି , ଉପ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ମାନବ ସମ୍ପଦ) କେ.ଏସ ସୁବ୍ରମନିୟନ (vertual mode), ଉପ ମହା ଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ପୂର୍ବାଞ୍ଚଳ )ସୁଶ୍ରୀ କୀର୍ତ୍ତି ତିୱାରୀ , ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପ୍ରଧାନ ମହାଲେଖାକାର ଡି. ସାହୁ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର-ତଥା ଶାସନ ସଚିବ ୟାମିନୀ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଶ୍ରୀ ଡ଼. ସାହୁ ସ୍ୱାଗତ ଜଣାଇବା ଅବସରରେ ଓଡିଶା ଏଜି ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରି ଉନ୍ନତମାନର ସେବା ପ୍ରଦାନ କରିବା କ୍ଷେତ୍ରରେ ଦେଶରେ ପ୍ରମୁଖ ସ୍ଥାନ ହାସଲ କରିଛି ବୋଲି ମତବ୍ୟକ୍ତ କରିଥିଲେ ।
ମାନ୍ୟବର C&AG ସରକାରୀ ହିସାବ ପ୍ରଣାଳୀର ଆଧୁନିକୀକରଣ, ପ୍ରଯୁକ୍ତିନିର୍ଭର ସଂସ୍କାର ଏବଂ ସୁଶାସନରେ ବିଭାଗୀୟ ଅଧିକାରୀମାନଙ୍କ ଭୂମିକା ଉପରେ ଜୋର ଦେଇଥିଲେ। ସେ ଓଡ଼ିଶାର WAMIS ପ୍ରଣାଳୀର ପ୍ରଶଂସା କରି ଏହାକୁ ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ୍ ବୋଲି ଉଲ୍ଲେଖ କରିଥିଲେ। Engineers India Limited ଓ ICAI ସହଯୋଗରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ।
ଗ୍ରାମ ଉନ୍ନୟନ ବିଭାଗର ଶାସନ ସଚିବ ୟାମିନୀ ଷଡ଼ଙ୍ଗୀ WAMIS ର ସଫଳ କାର୍ଯ୍ୟାନ୍ବୟନ, IFMS, GePNIC, CDMS ଓ GIS ସହ ଏହାର ସମନ୍ୱୟ ଏବଂ ରିଅଲ୍ ଟାଇମ୍ ପ୍ରକଳ୍ପ ନିରୀକ୍ଷଣ ବିଷୟରେ ଆଲୋଚନା କରିଥିଲେ। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର IFMS 3.0, Zero Trust Architecture ଏବଂ Artificial Intelligence ଆଧାରିତ ସୁରକ୍ଷା ବ୍ୟବସ୍ଥା ବିଷୟରେ ମତ ପ୍ରକାଶ କରିଥିଲେ।
ଉପ ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (HR) ଓଡ଼ିଶାକୁ ଡିଜିଟାଲ୍ ଶାସନ ବ୍ୟବସ୍ଥାରେ ଅଗ୍ରଣୀ ରାଜ୍ୟ ଭାବେ ବର୍ଣ୍ଣନା କରିଥିଲେ।
ସମ୍ମିଳନୀରେ ଚାରିଟି ଟେକ୍ନିକାଲ୍ ସେସନ୍ ଅନୁଷ୍ଠିତ ହୋଇଥିଲା। ସିଡାକ୍ର ବୈଜ୍ଞାନିକ ସମରେନ୍ଦ୍ର ବିଶ୍ୱାଳ, ବରିଷ୍ଠ ବିଭାଗୀୟ ହିସାବ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶିବ ପ୍ରସାଦ ପାଢ଼ୀ ପ୍ରାଯୁକ୍ତିକ ବିଷୟରେ ଉପସ୍ଥାପନା କରିଥିଲେ। ଉଦଯାପନୀ ସମ୍ଭାଷଣରେ ପ୍ରଧାନ ମହା ଲେଖାକାର (ଲେଖା ଓ ହକଦାରୀ ) ଡି. ସାହୁ , ଓଡ଼ିଶା WAMIS ଉପରେ ସର୍ବଭାରତୀୟ ସମ୍ମିଳନୀ ଆୟୋଜନ ପାଇଁ ଓଡ଼ିଶାର ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ପ୍ରଧାନ ମହାଲେଖାକାର ସୁବୁ ଆର, ମହାଲେଖାକାର ଅତୁଲ ପ୍ରକାଶ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ମୁଖ୍ୟ ଯନ୍ତ୍ରୀ ଓ ଓଡ଼ିଶାର ବିଭିନ୍ନ ଡିଭିଜନର ଇଞ୍ଜିନିଅର ଓ ଡିଭିଜିନାଲ ଏକାଉଟାଣ୍ଟ ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ଉପ ମହାଲେଖାକାର ଏନ. ବାଳକ୍ରୀଷ୍ଣା ପରିଚାଳନା କରିଥିବା ବେଳେ ବରିଷ୍ଠ ଲେଖା ଅଧିକାରୀ ଆନନ୍ଦ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ l
ସମ୍ମିଳନୀର ଆୟୋଜନରେ ବରିଷ୍ଠ ଉପ ମହାଲେଖାକାର ମନୋଜ ଏକ୍କା, ସମ୍ବିତ ମିଶ୍ର ଓ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଭୂମିକା ନିଭାଇଥିଲେ।
