ଭୁବନେଶ୍ୱର 24.12.2025 (ଆ.ଦୁ.ନି) ଡ଼ିସେମ୍ବର 25 ଆସିଲେ ଚାରିଆଡ଼େ ଖୁସିର ଲହରୀ ଖେଳିଜାଏ କାରଣ ଆଜି ବଡ଼ଦିନ ଆସିଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମୋତ୍ସବ । ପ୍ରାୟ ଦୁଇ ହଜାର ବର୍ଷ ପୂର୍ବରୁ ପ୍ରଭୁ ଯୀଶୁ ଏହି ଧରାପୃଷ୍ଠରେ ଜନ୍ମ ନେଇଥିଲେ । ଏହା କୌଣସି କାଳ୍ପନିକ ବିଷୟ ନୁହେଁ, ମାତ୍ର ଏକ ସତ୍ୟ ଓ ଐତିହାସିକ ଘଟଣା। ସେ ପୁରୁଷ ସ୍ପର୍ଶ ପାଇ ନଥିବା ଜଣେ ଅନୂଢ଼ା କୁମାରୀଙ୍କ ଗର୍ଭରୁ ଆଜିର ଆଧୁନିକ ଯେରୁଶାଲମ ନିକଟବର୍ତୀ ବେଥଲିହିମ ନାମକ ଏକ ଛୋଟ ସହରରେ ଜନ୍ମ ନେଇଥିଲେ । ଏହି ସ୍ଥାନ ତାଙ୍କ ପାଇଁ ଆଜି ମଧ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ଏକ ପ୍ରମୁଖ ଆକର୍ଷଣ । ପରବର୍ତୀ କାଳରେ ସେ ନାଜରିତ ନାମକ ଆଉ ଏକ ସହରରେ ବଢ଼ିଲେ ଓ ପରବର୍ତୀ ସମୟରେ ସମଗ୍ର ଅଂଚଳରେ ତାଙ୍କର ପ୍ରଚାର, ଆଶ୍ଚର୍ଯ୍ୟ କର୍ମ ଓ ଅଦ୍ଭୁତ ଉପସ୍ଥିତି ଦ୍ଵାରା ଲୋକମାନଙ୍କ ମଧ୍ୟରେ ପରମେଶ୍ଵରଙ୍କ ବିଷୟରେ ଏ ପ୍ରକାର ତଥ୍ୟ ଉପସ୍ଥାପନ କଲେ ଯାହା ସେ ପର୍ଯ୍ୟନ୍ତ ମଣିଷ ପାଇଁ ଅଜଣା ଥିଲା । ବାଇବଲର ନୂତନ ନିୟମର ପ୍ରଥମ ୪ଟି ପୁସ୍ତକରେ ଏ ସମ୍ପର୍କରେ ପ୍ରାଞ୍ଜଳ ଭାବେ ଲିଖୁତ ଅଛି । ପ୍ରଭୁ ଯୀଶୁ ଯେ ଏହି ପୃଥିବୀକୁ ଆସିଥିଲେ ଏହା ଏକ ଐତିହାସିକ ସତ୍ୟ
ବାଇବଲ କୁହେ ପ୍ରଭୁ ଯୀଶୁ ଏହି ପୃଥିବୀରେ ମନୁଷ୍ୟକୁ ପାପର ଅନ୍ଧକାର ମଧ୍ୟରୁ ଉଦ୍ଧାର କରିବା ନିମନ୍ତେ ଆସିଥିଲେ । ଏହା ସୃଷ୍ଟିକର୍ତା ଈଶ୍ଵରଙ୍କର ତାଙ୍କ ହାତଗଢ଼ା ମଣିଷ ପ୍ରତି ତାଙ୍କର ଅପୂର୍ବ ଓ ଅଦ୍ଭୁତ ପ୍ରେମ ପ୍ରକାଶ କରେ । ବାଇବଲ ଅନୁଯାୟୀ ପୃଥିବୀରେ ଜନ୍ମ ନେଇଥିବା ପ୍ରତ୍ୟେକ ମଣିଷ ଜଣେ ପାପୀ। ଆମେ ଯାହାକୁ ଅତି ଧାର୍ମିକ ବା ଉତମ ବ୍ୟକ୍ତି ବୋଲି ବିବେଚନା କରିଥାଉ ବାଇବଲ ଅନୁଯାୟୀ ସେହି ବ୍ୟକ୍ତି ମଧ୍ୟ ଈଶ୍ଵରଙ୍କ ଦୃଷ୍ଟିରେ ଜଣେ ପାପୀ। ପୃଥିବୀରେ ଏପରି କେହି ନାହିଁ ଯେ ପାପୀ ନୁହେଁ । ଏହାର ଅର୍ଥ ଜୀବିତ ପରମେଶ୍ଵରଙ୍କ ଠାରୁ ତା’ର ସମ୍ପର୍କ ଛିନ୍ନ ହୋଇଛି । ପ୍ରଭୁ ଯୀଶୁଙ୍କର ପ୍ରେମ ଓ କାର୍ଯ୍ୟ ମନୁଷ୍ୟକୁ ଆପଣା ପାପରେ ବିନଷ୍ଟ ନ ହୋଇ ଉଦ୍ଧାର ପାଇବା ପାଇଁ ଉଦ୍ଦିଷ୍ଟ ଥିଲା । ସମସ୍ତ ବିଶ୍ଵାସ ମତରେ ମନୁଷ୍ୟ ନିଜର ମୁକ୍ତି ନିମନ୍ତେ ପରମେଶ୍ଵରଙ୍କୁ ଖୋଜେ । ତାକୁ ବିଭିନ୍ନ ପ୍ରକାର କଷ୍ଟ ସୀଜାର ଓ କୁଚ୍ଛ ସାଧନା କରିବାକୁ ପଡ଼େ । ମାତ୍ର ବାଇବଲ କୁହେ ମନୁଷ୍ୟକୁ ନିଜ ହାତରେ ଗଢ଼ିଥିବାରୁ ପରମେଶ୍ଵର ନିଜେ ଏହି ପାପକାଳିମାରେ ଘାଂଟି ହେଉଥିବା ମନୁଷ୍ୟକୁ ଗୋଟି ଗୋଟି କରି ଉଦ୍ଧାର କରିବା ନିମନ୍ତେ ଏହି ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ । ଆଜି ପର୍ଯ୍ୟନ୍ତ ମନୁଷ୍ୟ ନିମନ୍ତେ ଏହା ପୃଥିବୀର ସବୁଠାରୁ ବଡ଼ ସମ୍ବାଦ ତଥା ପ୍ରେମ କାହାଣୀ।

କ୍ରୁଶ ଉପରେ ନିଜର ପ୍ରାଣ ବିସର୍ଜନରେ ଯଦି ଏହି କାହାଣୀ ଶେଷ ହୋଇଥାନ୍ତା ତେବେ ଆଜି ପୃଥିବୀରେ ଏହି ଖ୍ରୀଷ୍ଟ ବିଶ୍ଵାସ ନ ଥାଆନ୍ତା । ମାତ୍ର ଯୀଶୁଙ୍କୁ ସମାଧୁସ୍ଥ କରିବାର ତୃତୀୟ ଦିନ ପ୍ରତ୍ୟୁଷରେ ସେ ସଶରୀରେ ସମାଧୀରୁ ପୁନରୁଥିତ ହୋଇ ସମସ୍ତଙ୍କୁ ଏପରିକି ସେ ସମୟରେ ଶାସନ ଦାୟିତ୍ଵରେ ଥିବା ରୋମୀୟ ଶାସକଙ୍କୁ ହତଚକିତ କଲେ । ଯଦି ପ୍ରଭୁ ଯୀଶୁ କ୍ରୁଶରେ ମୃତ୍ୟୁବରଣ କରିବା ପରେ ଆଉ ପୁନରୁଥୁତ ହୋଇ ନଥାନ୍ତେ ତେବେ ଆଜି ବଡ଼ଦିନ ପାଳନ ହେଉ ନଥାନ୍ତା। ମାତ୍ର ସେ ପୁନରୁଥୁତ ହୋଇ ନିଜର ଶିଷ୍ୟମାନଙ୍କ ସହ ୪୦ ଦିନ ବିତାଇବା ପରେ ସଦେହରେ ଯୀରୁଶାଲମ ଉପକଣ୍ଠରେ ଅବସ୍ଥିତ ଏକ ପର୍ବତ ଉପରୁ ସର୍ବସମ୍ମୁଖରେ ମେଘମାଳାରେ ସର୍ଗକୁ ନୀତ ହେଲେ । କି ଅଦ୍ଭୁତ ମହିମା !
ଆଜି ପୃଥବୀରେ ତାଙ୍କର ଅନୁଗାମୀମାନେ ଏହା ହିଁ ପ୍ରଚାର କରୁଛନ୍ତି ଯେ ପରମେଶ୍ଵରଙ୍କ ପୁତ୍ର ପ୍ରଭୁ ଯୀଶୁ ଏହି ଜଗତକୁ ଆସି ଜଗତର ପ୍ରତ୍ୟେକ ମନୁଷ୍ୟର ପାପ ନିମନ୍ତେ କୁଶରେ ପ୍ରାଣ ଦେଇ ମୃତ୍ୟୁକୁ ଜୟ କରି ସାରିଛନ୍ତି । ଯେଉଁମାନେ ଏହା ବିଶ୍ଵାସ କରନ୍ତି ସେମାନଙ୍କ ଜୀବନ ଏହି ପୃଥବୀରେ ପରିବର୍ତିତ ହେଉଛି ।
ବାଇବଲ କୁହେ ଯେ ପ୍ରଭୁ ଯୀଶୁଙ୍କର ସର୍ଗକୁ ନୀତ ହେବା ପରେ ତାଙ୍କ ସ୍ଥାନରେ ବିଶ୍ଵାସୀମାନଙ୍କୁ ମାର୍ଗ ଦର୍ଶନ ନିମନ୍ତେ ପବିତ୍ର ଆତ୍ମାଙ୍କୁ ଏହି ପୃଥିବୀକୁ ପ୍ରେରିତ କରାଗଲା । ସେ ଏବେ ଏହି ପୃଥିବୀରେ ଥାଇ ଖ୍ରୀଷ୍ଟ ବିଶ୍ଵାସୀ ମାନଙ୍କୁ ପଥ ଦେଖାଉଛନ୍ତି । ମାତ୍ର ଯୀଶୁ ପୁଣି ଦିନେ ଏହି ପୃଥିବୀକୁ ଆସିବେ ଓ ତାଙ୍କର ଗୌରବମୟ ଆଗମନକୁ ଏହି ପୃଥିବୀରେ ଥିବା ପ୍ରତ୍ୟେକ ମନୁଷ୍ୟ ଦେଖୁବେ । ସେତେବେଳେ ସେ ଉଦ୍ଧାରକର୍ତା ଭାବେ ନୁହେଁ ମାତ୍ର ମନୁଷ୍ୟ ମାନଙ୍କର ବିଚାରକର୍ତା ଭାବେ ଆସିବେ । ସେତେବେଳେ ଗର୍ବ, ଦମ୍ଭ, ନିଜର ବିଚକ୍ଷଣତା ଓ ସଫଳତାକୁ ନେଇ ଆହ୍ଲାଦିତ ପୃଥିବୀରେ ହାହାକାରର ଶବ୍ଦ ଶୁଣାଯିବ । ସେହି ଦିନ ଆଉ ବେଶୀ ଦୂର ନୁହେଁ ।
