- ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ
ଭୁବନେଶ୍ୱର,24.12.25 (ଆ.ଦୁ.ନି) ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ ବରପୁତ୍ରଙ୍କ ତାଲିକା ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ଆବଶ୍ୟକତା ଅନୁଯାୟୀ ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ସର୍ବମୋଟ୍ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ରାଜ୍ୟ କ୍ୟାବିନେଟ୍ରେ ମୋହର ବାଜିଛି।ଲୋକସେବା ଭବନ ସମ୍ମିଳନୀ କକ୍ଷରେ ୩୩ ତମ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି, ଏହି ବୈଠକରେ 7ଟି ବିଭାଗର ୧୦ ପ୍ରସ୍ତାବରେ ମୋହର ଲାଗିଛି, । ସେଥି ମାଧ୍ୟାରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ୫ମ ଅଧିବେଶନର ସତ୍ରାବସାନ ସମ୍ପର୍କିତ ଅଟେ।
ମୁଖ୍ୟ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଓଡ଼ିଶାର ବରପୁତ୍ର ତଥା ସ୍ୱାଧୀନତା ସେନାନୀମାନଙ୍କୁ ସ୍ମରଣ କରିବା ଓ ସମ୍ମାନିତ କରିବା ଦ୍ୱାରା ସେମାନଙ୍କର ବଳିଦାନକୁ ସ୍ୱୀକୃତି ମିଳିଥାଏ। ନାଗରିକମାନେ ସେମାନଙ୍କର ମୂଲ୍ୟବୋଧ ଓ ସିଦ୍ଧାନ୍ତକୁ ଅନୁସରଣ କରି ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରେରିତ ହୁଅନ୍ତି। ସେମାନଙ୍କର ଅବଦାନ ପରପିଢ଼ିକୁ ପ୍ରେରିତ ଓ ଅନୁପ୍ରାଣିତ କରିବା ପାଇଁ ସେମାନଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ମନେକରି ରାଜ୍ୟ ସରକାର ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟ ସଚିବ କହିଛନ୍ତି , ଓଡ଼ିଶାର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି, ସାହିତ୍ୟିକ, ଶିକ୍ଷାବିତ୍, ସମାଜ ସୁଧାରକ ଏବଂ ମହାନ୍ ବ୍ୟକ୍ତିତ୍ୱ, ଯେଉଁମାନେ ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତ୍ୟିକ ପରିବେଶକୁ ଗଢ଼ିଥିଲେ, ସେମାନଙ୍କର ଜୀବନବ୍୍ୟାପୀ ସାଧନା ଓ ବଳିଦାନକୁ ସ୍ମରଣ କରି ସେମାନଙ୍କର ସ୍ମୃତିକୁ ପରପିଢ଼ି ପାଇଁ ସାଇତି ରଖିବାର ଆବଶ୍ୟକତା ରହିଛି। ସେମାନଙ୍କର ସାହସ, ସଂକଳ୍ପ ଏବଂ ଦୃଷ୍ଟିକୋଣ ଓଡ଼ିଆ ଜାତିର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପାଇଁ ଭିତ୍ତି ତିଆରି କରିଥିଲା। ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି। ଏହି ଯୋଜନା ବହୁ ଜରୁରୀ ପଦକ୍ଷେପମାନ ଗ୍ରହଣ କରାଯିବ।
ମୁଖ୍ୟ ସଚିବ କହିଛନ୍ତି, ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବା ସହିତ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ସ୍ଥାପନ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ କରାଯିବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ,ସ୍ମାରକୀ ସ୍ଥାପନ ସହ ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ଆଦିର ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବ। ସେହିପରି ବରପୁତ୍ରମାନଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କର ଆଦର୍ଶ, ପ୍ରେରଣା ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରାଯିବ।
ମୁଖ୍ୟ ସଚିବ କହିଛନ୍ତି , ଯଦି ସରକାର ଯଥାର୍ଥତା ଅନୁଭବ କରନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବରପୁତ୍ରମାନଙ୍କୁ ଚୟନିତ କରି ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ଆବଶ୍ୟକତା ଅନୁଯାୟୀ ଅର୍ଥରାଶି ପ୍ରଦାନ କରାଯିବ। ଏହା ପ୍ରତିବର୍ଷ ରାଜ୍ୟ ବଜେଟରେ ସ୍ଥାନିତ କରାଯିବ ବୋଲି ଶ୍ରୀ ଆହୁଜା ପ୍ରକାଶ କରିଛନ୍ତି।
