*କୃଷି ଓଡ଼ିଶା ୨୦୨୬ ଉଦଘାଟିତ
*କୃଷିରୁ ଲାଭ ଓ ମୂଲ୍ୟ ଶୃଙ୍ଖଳକୁ ବୃଦ୍ଧି କରିବା ପାଇଁ ଏକ ଐତିହାସିକ କୃଷି-ପ୍ରଦର୍ଶନୀ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ୱର- ୨୨/୦୧/୨୦୨୬ (ଆ.ଦୁ.ନି) କୃଷି ଓଡ଼ିଶା-୨୦୨୬ ଆଜି ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି।
କୃଷି ଓଡ଼ିଶା ନବସୃଜନ, ବଜାର ସଂଯୋଗ ଓ ସ୍ଥାୟୀ ଅଭ୍ୟାସ ମାଧ୍ୟମରେ ରାଜ୍ୟର କୃଷି କ୍ଷେତ୍ରରେ ବିପ୍ଳବ ଆଣିବାର ଲକ୍ଷ୍ୟ ରଖିଛି ବୋଲି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କୃଷି ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ କୃଷି ଓଡ଼ିଶା ସଂସ୍ଥାଗତ ସହଯୋଗ ଓ ପାରସ୍ପରିକ ସହଭାଗୀତାର ଅବସର ଆଣିଦେଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ , କୃଷି ବିଭାଗ ଡକ୍ଟର ପାଢୀ ଅଭିହିତ କରିଛନ୍ତି।

କୃଷି ଓଡ଼ିଶା-୨୦୨୬ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରେଷ୍ଠ ଉତ୍ପାଦର ଉତ୍ପାଦନ, ପ୍ରଦର୍ଶନ, ପ୍ରକ୍ରିୟାକରଣ ଓ କାର୍ଯ୍ୟଶୈଳୀ, ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ଏବଂ କୃଷକ, ବଜାର ଓ କୃଷି ଉଦ୍ୟୋଗୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ। କୃଷି କାର୍ଯ୍ୟରୁ କିପରି ଲାଭ ପାଇବା ଓ ଏହାକୁ ଆଗେଇ ନେଉଥିବା ସର୍ବୋତ୍ତମ ଉତ୍ପାଦ, ଅଭ୍ୟାସ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଛି।
ବଜାର ଚାହିଦା ଅନୁଯାୟୀ ସ୍ୱତନ୍ତ୍ର ଓ ସୁଗନ୍ଧିତ କିସମର ଧାନ ଚାଷ ଏବଂ ବିହନ ଉଦ୍ୟୋଗୀମାନଙ୍କୁ ନିରନ୍ତର ବିହନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ବିଷୟ ଉପରେ ଆଜି ଚାଷୀଙ୍କ ପାଇଁ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଅଧିବେଶନରେ ଓଡ଼ିଶା ଜାତୀୟ ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଧାନ ଫସଲ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ସମ୍ବନ୍ଧୀୟ ସଫଳ କାହାଣୀ ଉପରେ ଏକ ସଂକଳନ ଓ ସ୍ଥାୟୀ ଉତ୍ପାଦନ ଏବଂ ସୁରକ୍ଷା ପାଇଁ କୃଷି ଇନପୁଟ୍ ସୁପାରିଶ ଉପରେ ଏକ ପୁସ୍ତିକାର ଉନ୍ମୋଚନ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ ଡ୍ରୋନ୍, ସର୍ବୋତ୍ତମ କୃଷି ଅଭ୍ୟାସର ପ୍ରଦର୍ଶନୀ ଏବଂ ଲାଭଜନକ ସହଭାଗୀତା ଗଠନ ପାଇଁ କୃଷି ଉଦ୍ୟୋଗୀ ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ନେଟୱାର୍କିଂ ସୁଯୋଗ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, ଓୟୁଏଟିର କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, ଆଇସିଆରଆଇଏସଏଟିର ଡିଜି ଡକ୍ଟର ହିମାଂଶୁ ପାଠକ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇଥିଲେ। ପରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏବଂ ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ କିଛି ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଧନ୍ୟବାଦ ଅର୍ପଣ କରିଥିଲେ।
——————————————————————
ଇନ୍ଦର୍ : ମୁରା ପ୍ରଜାତି ଷଣ୍ଢଙ୍କ ମଧ୍ୟରେ ଉଜ୍ଜଳ ତାରକା
ଭୁବନେଶ୍ଵର, ତା: ୨୨/୦୧/୨୦୨୬(ଆ.ଦୁ.ନି) ଇନ୍ଦର୍, ଏକ ଅଦ୍ଭୁତ ଏବଂ ଶକ୍ତିଶାଳୀ ମୁରା ପ୍ରଜାତିର ମଇଁଷି ଷଣ୍ଢ । ଅପୂର୍ବ ଶାରୀରିକ ବିକାଶ, ଅସାଧାରଣ ଶକ୍ତି ଏବଂ ଉତ୍କୃଷ୍ଟ ଜିନେଟିକ୍ ଗୁଣ ପାଇଁ ଏହାର ସ୍ଵତନ୍ତ୍ର ସୁଖ୍ୟାତି ରହିଛି । ନୂତନ ପିଢିର ମୁରା ପ୍ରଜନନ ଧାରାକୁ ଇନ୍ଦର୍ ପ୍ରତିନିଧିତ୍ୱ କରୁଛି ଏବଂ ଭବିଷ୍ୟତ ପାଇଁ ଅନେକ ସମ୍ଭାବନା ରଖୁଛି । ମହିଷ ପ୍ରଜନନ କ୍ଷେତ୍ରରେ ନିଆରା ପରିଚୟ ସୃଷ୍ଟି କରିଛି ।

ମାତ୍ର ୪.୫ ବର୍ଷ ବୟସରେ ଏହାର ଓଜନ ପ୍ରାୟ ୧୭ କ୍ୱିଣ୍ଟାଲ ଏବଂ ଉଚ୍ଚତା ୫ ଫୁଟ ୧୦ ଇଞ୍ଚ । ହରିୟାଣାର କୁରୁକ୍ଷେତ୍ର ସ୍ଥିତ କରମବୀର ବ୍ରିଡିଂ ଫାର୍ମରୁ ଆସିଥିବା ଇନ୍ଦରର ଲାଳନପାଳନ ବୈଜ୍ଞାନିକ ପଦ୍ଧତିରେ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ, ଉତ୍କୃଷ୍ଟ ପ୍ରଜନନ କ୍ଷମତା ଓ ଉନ୍ନତ ଜୀବନ ସୁନିଶ୍ଚିତ କରିବା ପାଇଁ ଇନ୍ଦର୍ ଦୈନିକ ସନ୍ତୁଳିତ ପୋଷଣଯୁକ୍ତ ଖାଦ୍ୟ ଖାଇଥାଏ । ୫ ରୁ ୭ ଲିଟର ଦୁଗ୍ଧ, ୨ କିଲୋ ଦହି, ସବୁଜ ଚଣା, ଗହମ ଚୁନା, ବାଜରା ଓ ସୋୟାବିନ୍ ଆଦି ଏହାର ମୁଖ୍ୟ ଖାଦ୍ୟ । ଇନ୍ଦର୍ ଦୈନିକ ପ୍ରାୟ ୨୮ କିଲୋଗ୍ରାମ ଖାଦ୍ୟ ଖାଇଥାଏ । ଖାଦ୍ୟ ଓ ଦେଖାଶୁଣା ବାବଦକୁ ଦୈନିକ ପ୍ରାୟ ୪୦୦୦/- ଟଙ୍କା ଖର୍ଚ୍ଚ ହୋଇଥାଏ । ଇନ୍ଦରର ବଜାର ମୂଲ୍ୟ ଏବେ ପ୍ରାୟ ୪ କୋଟି ଟଙ୍କା ରହିଛି । ଶ୍ରେଷ୍ଠ ମୁରା ପ୍ରଜାତି ଓ ଉଚ୍ଚମାନର ଜିନେଟିକ୍ ଗୁଣ ପାଇଁ ଏହାର ଚାହିଦାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ତାଙ୍କୁ ଭବିଷ୍ୟତର ଏକ ଫ୍ଲାଗସିପ୍ ପ୍ରଜନନକ୍ଷମ ମଇଁଷି ଷଣ୍ଢ ଭାବେ ଚିତ୍ରଣ କରିଛନ୍ତି ।
ଆଧୁନିକ ପ୍ରାଣିପାଳନର ଏକ ଜୀବନ୍ତ ପ୍ରତୀକ ହେଉଛି ଇନ୍ଦର୍ । ଯେଉଁଠି ବୈଜ୍ଞାନିକ ପରିଚାଳନା, ଉତ୍ତମ ପୋଷଣ ଏବଂ ଶକ୍ତିଶାଳୀ ଜିନେଟିକ୍ସର ତ୍ରିବେଣୀ ସଂଗମ ଘଟିଛି ଏବଂ ଭାରତର ମୁରା ମଇଁଷି ପ୍ରଜନନ ଏବଂ ଉତ୍ପାଦନ କ୍ଷମତାକୁ ନୂଆ ଦିଗନ୍ତ ପ୍ରଦାନ କରୁଛି ।
——————————————————————
କାଂକ୍ରେଜ୍ ଷଣ୍ଢ : ଗରିମା, ଶକ୍ତି ଓ ରାଜକୀୟ ଠାଣିର ପ୍ରତୀକ
ଭୁବନେଶ୍ଵର, ତା: ୨୨/୦୧/୨୬ (ଆ.ଦୁ.ନି) ବିଶେଷ ଲାୟର୍ (Lyre) ଆକୃତିର ଶିଙ୍ଗ । ଦୃଢ଼ ଓ ସନ୍ତୁଳିତ ଶରୀର । ମୁଖମଣ୍ଡଳ ଶାନ୍ତ ଅଥଚ ଚାହାଣୀରେ ନିଆରା ଅନ୍ଦାଜ୍ । “ସୱାଇ ଚାଲ୍” ବା ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢକୁ ଦେଖିବା ପାଇଁ ଜନତା ମୈଦାନରେ ଅଭୂତପୂର୍ବ କୌତୁହଳ ଦେଖିବାକୁ ମିଳିଛି । ପ୍ରତିକୂଳ ପରିବେଶରେ ଖାପଖୁଆଇବାର ଦକ୍ଷତା ରଖୁଥିବା ଏହି ପ୍ରଜାତି ଉଚ୍ଚ ପ୍ରଜନନ କ୍ଷମତା, ରୋଗ ପ୍ରତିରୋଧକ ଶକ୍ତି ଏବଂ ଦୀର୍ଘ କାର୍ଯ୍ୟଜୀବନ ପାଇଁ ଗୋପାଳକ ଓ ପ୍ରାଣିପାଳକଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟତା ଅର୍ଜନ କରିଛି । ଭାରତର ସବୁଠାରୁ ଭାରି ପ୍ରଜାତିର ଗୋରୁ ଭାବେ ଏହାର ଅନନ୍ୟ ପରିଚୟ ରହିଛି । ଏହାର ବୟସ ଏବେ ୫ ବର୍ଷ, ଓଜନ ୭ କୁଇଣ୍ଟାଲ ଏବଂ ଉଚ୍ଚତା ୫ ଫୁଟ ୬ ଇଞ୍ଚ । ଦୈନିକ ଖାଦ୍ୟରେ ସବୁଜ ଘାସ, ମୁଗ, ପିଡିଆ, ଗହମ ଚୁନା, ଗୋଖାଦ୍ୟ, ଚଣା, ଚାଉଳ, ଭୁଷି ଆଦି ଦିଆଯାଇଥାଏ । ଖାଦ୍ୟ ବାବଦକୁ ମାସିକ ପ୍ରାୟ ୪୦,୦୦୦/- ଟଙ୍କା ଖର୍ଚ୍ଚ ହେଉଛି । ଗୁଜୁରାଟର କାଂକ୍ରେଜ୍ ଅଞ୍ଚଳରେ ଏହି ପ୍ରଜାତିର ଗୋରୁ ଦେଖାଯାଆନ୍ତି । ଭାରତୀୟ ଦେଶୀ ଗୋ ପ୍ରଜାତିମାନଙ୍କ ମଧ୍ୟରେ କାଙ୍କରେଜ ଷଣ୍ଢର ନିଆରା ସୁନାମ ରହିଛି ।

