ଜାତସ୍ୟ ମୃତ୍ୟୁ ଧ୍ରୁବସତ୍ୟ।
ଧରାଧାମରେ ଅବତୀର୍ଣ୍ଣ ମଣିଷରୁ ଦେବତା ପର୍ଯ୍ୟନ୍ତ ସମସ୍ତଙ୍କୁ ନିଶ୍ଚୟ ଶେଷ ନିଃଶ୍ୱାସ ନେବାକୁ ହେବ। ମହାଭାରତର ମହାନାୟକ ଶ୍ରୀକୃଷ୍ଣ ଯୁଦ୍ଧର ପରିସମାପ୍ତି ପରେ ଶିଆଳି ଲଟା ଉହାଡ଼ରେ ଟିକେ ଶାନ୍ତିରେ ବିଶ୍ରାମ କରୁଥିବା ଅବସରରେ ଜରା ଶବରର ଶର ବିଦ୍ଧରେ ମଧ୍ୟ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଥିଲା।ପ୍ରତ୍ୟେକ ଜୀବନ ପଛରେ ମୃତ୍ୟୁରୂପକ କାଳଛଞ୍ଚାଣ ତାର ଜିହ୍ୱାକୁ ଲହଲହ କରି ଅନେଇ ବସିଛି। କଥାରେ ଅଛି: ବଡ଼ କ୍ରୁର କାଳ ବଡ଼ ଅବିଶ୍ବାସୀ ହାବୁଡ଼ି ଯିବ ସେ ଆଚମ୍ବିତ ଆସି। ଯୌବନ ଆସିପାରେ ନଆସିପାରେ, ବାର୍ଦ୍ଧକ୍ୟ ଆସିପାରେ ନଆସିପରେ ମଧ୍ଯ କିନ୍ତୁ ମୃତ୍ୟୁ ନିଶ୍ଚିତ ଆସିବ। କେତେବେଳେ କେଉଁ ରୂପରେ ତାର ଆକଳନ କରିବା କଷ୍ଟସାଧ୍ୟ।ଏହାହିଁ ସଂସାରର ବାସ୍ତବତା। ନିଷ୍ଠୁର ସତ୍ୟ। ବୟସ ଅତିକ୍ରମ ସହ ବାର୍ଦ୍ଧକ୍ୟ ଆସିଲେ ମୃତ୍ୟୁ ହେବା ଏକ ସ୍ଵାଭାବିକ ଘଟଣା । କିନ୍ତୁ ଯେବେ ଯୌବନରେ ପାଦ ଥାପୁଥାପୁ, ସ୍ବପ୍ନ ଦେଖୁଦେଖୁ, ରାତି ପାହିବା ପୂର୍ବରୁ ଅର୍ଥାତ୍ ଅଧରାତିରେ ମୃତ୍ୟୁ ଅତି ନିକଟ ହୋଇଯାଏ ତାହା ସାଧାରଣ ମଣିଷକୁ ଭାରି କଷ୍ଟ ଦିଏ। ପରିବାର ଆତ୍ମୀୟ-ସ୍ଵଜନଙ୍କୁ ଅନେକ ଯନ୍ତ୍ରଣା ଦିଏ।
ଏଇ ନିକଟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଇଛାମୃତ୍ୟୁ ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇଛି। ଯେଉଁଥିରେ ଦିଲ୍ଲୀର ଯୁବକ ହରିଶ୍ ରାଣାଙ୍କ ଇଛାମୃତ୍ୟୁକୁ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ମଞ୍ଜୁର ପ୍ରଦାନ କରାଯାଇଛି। ଦୀର୍ଘ ବାରବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କୋମାରେ ପଡ଼ିରହି ଜିଅନ୍ତା ଶବ ପାଲଟି ଯାଇଥିବା ହରିଶର ପିତାମାତା ପୁଅର ଶାନ୍ତିପୂର୍ଣ୍ଣ ବିଦାୟକୁ ଶେଷ ବିକଳ୍ପ ଭାବରେ ଗ୍ରହଣ କରିନେଇ ଉଚ୍ଚ ନ୍ୟାୟାଳୟରୁ ସର୍ବୋଚ୍ଚ ନ୍ୟାୟାଳୟରେ ଇଚ୍ଛାମୃତ୍ୟୁ ପାଇଁ ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି କରିଥିବା ନ୍ୟାୟିକ ଲଢେଇର ପୂର୍ଣ୍ଣଛେଦ ପଡ଼ିଛି।
ସବୁଥିରେ ଗୋଟେ ସୀମା ଥାଏ। କଷ୍ଟ ସହିବାର, କଷ୍ଟ ବାଣ୍ଟିବାର ଓ କଷ୍ଟକୁ ନିକଟରୁ ଦେଖିବାର ବି ଗୋଟେ ଶେଷ ସୀମା ଅଛି।ଦଶ ମାସ ଗର୍ଭଧାରଣ କଷ୍ଟରୁ ଅଧିକ କଷ୍ଟ ପିଲାଙ୍କୁ ମଣିଷ କରାଇବା। ତାଠାରୁ ଅଧିକ କଷ୍ଟ ନିଜ ଅନ୍ତଫାଡି ଜନ୍ମ ଦେଇଥିବା ସନ୍ତାନସନ୍ତତିକୁ ଯମପୁରକୁ ଠେଲିଦେବା। ବେଳେ ବେଳେ ସ୍ବପ୍ନମାନେ ଅଧାଅଧୁରା ଓ ଓଲଟପାଲଟ ହୋଇଯାଆନ୍ତି। ଯେଉଁ ପୁଅ କାନ୍ଧରେ ବାପମା ମଶାଣିକୁ ବୁହାହୁଅନ୍ତି, ସେମାନଙ୍କ ମୁହଁରେ ନିଆଁ ଦିଅନ୍ତି। କିନ୍ତୁ କ୍ରୂର ସମୟଚକ୍ରରେ ତାର ବିପରୀତ ସ୍ଵଭାବ ପରିଲଖିତ ହୋଇ ଯଦି ସେଇ ପୁଅକୁ ଯେବେ ବୃଦ୍ଧ ବୟସର ବାପ ମଶାଣିକୁ ବୋହିନିଏ ତାଠାରୁ ଅଧିକ କଷ୍ଟ ଯନ୍ତ୍ରଣା ଆଉ କଣ ହୋଇପାରେ ?
ପ୍ରତ୍ୟେକ ମଣିଷ ସ୍ବପ୍ନଦେଖେ, ଆଶା ବାନ୍ଧେ ଶହେ ବର୍ଷ ବଞ୍ଚିବାକୁ । ସୁନ୍ଦର ଘର, ଆସବାସ ସହ ଏକ ସୁଦୀର୍ଘ ଭବିଷ୍ୟତର ପରିକଳ୍ପନା ପ୍ରତ୍ୟେକ ମଣିଷର ମୁଖ୍ୟ କାମନା ମଧ୍ୟରେ ଅନର୍ଭୂକ୍ତ। କିନ୍ତୁ କାହିଁକି କେଜାଣି ମୃତ୍ୟୁଟା ଜୀବନରେ ଏକ ଅନ୍ତରାୟ ସୃଷ୍ଟିକରେ। ମୃତ୍ୟୁ ପୁଣି ଅନେକ ଭାଗରେ ବିଭକ୍ତ। ବାର୍ଦ୍ଧକ୍ୟଜନିତ ମୃତ୍ୟୁ, ଆକସ୍ମିକ ମୃତ୍ୟୁ, ଆତ୍ମହତ୍ୟା ବା ଅପମୃତ୍ୟୁ ଏବଂ ଇଚ୍ଛାମୃତ୍ୟୁ। ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଏକ ଚିରାଚରିତ ପ୍ରଥା ଯାହା ଗ୍ରହଣୀୟ କିନ୍ତୁ ଆକସ୍ମିକ ମୃତ୍ୟୁ ଉପରେ ମଣିଷର ଅଙ୍କୁଶ ନାହିଁ। ଆତ୍ମହତ୍ୟା ଓ ଇଚ୍ଛାମୃତ୍ୟୁ ଅନେକ ସମୟରେ ଏକ ବିବାଦୀୟ ବିଷୟରୂପେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜେ। ବେଳେବେଳେ ଆତ୍ମହତ୍ୟା ଓ ଇଛାମୃତ୍ୟୁ ମଧ୍ୟରେ ବେଶୀକିଛି ଫରକ ଜଣାପଡେନି। କାରଣ ଆତ୍ମହତ୍ୟା ଓ ଇଛାମୃତ୍ୟ ଉଭୟ ମାନସିକ ଅବସାଦଗ୍ରସ୍ଥ। ଦୁଇଟିଯାକ ଜୀବନ ପ୍ରତି ବିତୃଷ୍ନା ମନୋଭାବ ପୋଷଣ। ଯେଉଁଠି ଜୀବନ ପ୍ରତି ନଥାଏ ମୋହ।
ସାଧାରଣ ଜନତାଙ୍କ ସାଧାରଣ ଭାଷାରେ ଇଚ୍ଛାମୃତ୍ୟୁ କହିଲେ କୌଣସି ଏକ ବ୍ୟକ୍ତି ନିଜଦ୍ୱାରା ବା ସ୍ୱଇଛାରେ ନିଜ ମୃତ୍ୟୁକୁ ଆପଣାଇବା। କିନ୍ତୁ ନିଜଦ୍ୱାରା ନିଜେ ଘଟାଉଥିବା ମୃତ୍ୟୁକୁ ଆତ୍ମହତ୍ୟା କହୁଥିବାବେଳେ ଡାକ୍ତର କିମ୍ଵା ଚିକିତ୍ସକ ଦ୍ୱାରା ରୋଗୀମାନଙ୍କୁ ମୃତ୍ୟୁବରଣ ପାଇଁ ପ୍ରସ୍ତୁତ କରାଯାଉଥିବା ଡାକ୍ତରୀ ପଦ୍ଧତିକୁ ଇଛାମୃତ୍ୟୁ କୁହାଯାଏ। ଇଛାମୃତ୍ୟୁରେ ବ୍ୟକ୍ତିର କୌଣସି ଭୂମିକା ନଥାଏ ବରଂ ପରିବାର ଓ ଆତ୍ମୀୟ ସ୍ଵଜନଙ୍କ ମତାମତ ଗୁରୁତ୍ଵପୂର୍ଣ୍ଣ । ଆତ୍ମହତ୍ୟାର ଅନେକ କାରଣ ମଧ୍ୟରୁ ଜହର ପାନ, ଦଉଡ଼ି ଲଗାଇବା, ନିଆଁ ଲଗାଇବା,ପାଣିରେ ବୁଡ଼ି ମରିବା ଇତ୍ୟାଦି। ବେଳେବେଳେ କୌଣସି ଏକ ବ୍ୟକ୍ତିକୁ ଅନ୍ୟବ୍ୟକ୍ତି ମାଧ୍ୟମରେ ହତ୍ୟା କରାଯାଇ ତାକୁ ମଧ୍ୟ ଆତ୍ମହତ୍ୟାର ରୂପ ଦିଆଯାଏ। କିନ୍ତୁ ଇଚ୍ଛାମୃତ୍ୟୁ ତାର୍କିକ ଓ ନୈତିକ ଦୃଷ୍ଟିକୋଣରୁ ଏକ ଅନୁଚିତ ପଦକ୍ଷେପ କାରଣ ଯେଉଁଥିରେ ରୋଗୀର ଜୀବନ ପରିବାର ହାତରେ। ଆର୍ଥିକ, ଶାରିରୀକ ଶ୍ରମ ଓ ସମୟ ବିନିଯୋଗ ସତ୍ତ୍ବେ ବାରମ୍ବାର ବିଫଳର ଶେଷ ବିକଳ୍ପ ମୃତ୍ୟୁ।
ମଣିଷ ଜୀବନ ଏକ ଦୁର୍ଲଭ ସୃଷ୍ଟି। ଏହା ସ୍ରଷ୍ଟାଙ୍କର ଶ୍ରେଷ୍ଠ ସୃଷ୍ଟି ବୋଲି ପୁରାଣପୋଥିରେ ଆଲୋଚନା କରାଯାଇଛି। ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀର ପରିଚୟ ସହ ମଣିଷ ଜୀବନର ମହତ୍ତ୍ଵକୁ ଦିବ୍ୟତାର ଅଂଶବିଶେଷ ବୋଲି ବିଶ୍ୱାସ କରାଯାଏ। ମଣିଷର ଶରୀର ଗଠନ ଏକ ରହସ୍ୟମୟ ଆଧ୍ୟାତ୍ମିକ ଚେତନାର ଅଭିବୃଦ୍ଧିର ପରିପ୍ରକାଶ। ଆତ୍ମିକ ଦୃଷ୍ଟିକୋଣରୁ ମାନବ ଜୀବନ କେବଳ ଏକ ସୃଷ୍ଟି ନୁହେଁ ବରଂ ଅମୃତର ଏକ ବାରିଧରା। ଯେବେ ମୃତ୍ୟୁ ଶରୀରର ଅନ୍ତିମ ପର୍ଯ୍ୟାୟ ତେବେ ଶରୀର ପାଇଁ ସମ୍ମୁଖୀନ ଯେକୌଣସି ମୃତ୍ୟୁ ମଧ୍ୟ ଗ୍ରହଣୀୟ। ଯଦି ଶରୀରକୁ ସୁସ୍ଥ,ସୁରକ୍ଷା, ଆନନ୍ଦପୂର୍ଣ୍ଣ କରିବା ଓ ରଖିବା ଜୀବନର ଲକ୍ଷ୍ୟ ତେବେ ମୃତ୍ୟୁ ଶବ୍ଦଟି ଏକ ବିବାଦୀୟ ପ୍ରଶ୍ନ। ପୁନଃଶ୍ଚ ଯଦି କୌଣସି କାରଣରୁ ସୁଖ ପରିବର୍ତ୍ତେ ଦୁଃଖ, ସୁସ୍ଥତା ପରିବର୍ତ୍ତେ ରୋଗ ଓ ଯନ୍ତ୍ରଣାରେ ଜୀବନ ସମ୍ମୁଖୀନ ହୁଏ ତେବେ ସେ ଜୀବନ ଅନାବଶ୍ୟକ ହୋଇପଡେ। ଯେଉଁଠି ସବୁ ପ୍ରାୟାସ ଓ ଉପଚାର ସତ୍ତ୍ବେ ରୋଗୀର କୌଣସି ଶାରିରୀକ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି ସେଠି ଜୀବନଟା ଗୋଟେ ଅଭିଶପ୍ତ ଜିଅନ୍ତା ଶବ ଯାହା ମୃତ୍ୟୁଠାରୁ ମଧ୍ୟ କମ୍ ନୁହେଁ। ଯେଉଁଠି ମନ କେବେଠୁ ମରି ଯାଇଛି, ହୃଦୟ କେବେଠୁ ପଥର ପାଲଟି ଯାଇଛି, ଆଖି ପାଲଟି ଯାଇଛି ଅନ୍ଧ, କାନ ଥାଇ ମଧ୍ୟ ବଧିର, ପୁଣି ଜିହ୍ୱାର ଲାଳସା ବହୁ ଦୂରରେ, ସେଠି ଶରୀର ଖଣ୍ଡକର କଣବା ପ୍ରୟୋଜନ। ଚାରିକାନ୍ଥ ମଧ୍ୟରେ ଅଭିଶପ୍ତ ଜୀବନ ଜୀଇଁବାଠାରୁ ଶହେଗୁଣ ଭଲ ଏକ ଶାନ୍ତିପୂର୍ଣ୍ଣ ବିଦାୟ। ଜିଅନ୍ତା ଶବ ପାଲଟି ଯାଇଥିବା ଜୀବନର ଜୀଇଁବାର ଅର୍ଥବା କଣ। ଏମିତି ଅନେକ ଅଭିଶପ୍ତ ଜୀବନ ଚିକିତ୍ସାଲୟ ଶେଯରେ ଦଶନ୍ଧି ଧରି ପଡ଼ିରହି ଜୀବନର ଅସ୍ତିତ୍ଵକୁ ହଜେଇ ସାରିଛନ୍ତି ତାର ହିସାବ ଆମ ପାଖରେ ନାହିଁ। ସେ ଜୀବନ ଥାଇ କି ଲାଭ। ଯେଉଁ ଜୀବନର ଓ ରୋଗ ଯନ୍ତ୍ରଣାର ଉପଶମ ନାହିଁ। ଯେଉଁଠି ଆଗମୀ ସୂର୍ଯ୍ୟୋଦୟର କୌଣସି ନିର୍ଦ୍ଧିଷ୍ଟ ସମୟର ସ୍ପଷ୍ଟତା ନାହିଁ, ସେ ସକାଳକୁ ଅପେକ୍ଷା କରି ଲାଭ କଣ? କିନ୍ତୁ କାହିଁକି କେଜାଣି ମନକୁ ପ୍ରଶ୍ନଉଠେ ସୁସ୍ଥ ପ୍ରତ୍ୟାବର୍ତ୍ତନର ପ୍ରୟାସରେ ଓ ପ୍ରତୀକ୍ଷାରେ ହେଉଥିବା ଲଢେଇର ଶେଷ ବିକଳ୍ପ କଣ ଇଚ୍ଛାମୃତ୍ୟୁ?
ଡ଼.ମନୋଜ କୁମାର ମହାନ୍ତି, ଦର୍ଶନ ବିଭାଗ ମୁଖ୍ୟ,
ବି.ଏନ.ଏମ.ଏ ମହାବିଦ୍ୟାଳୟ ଭଦ୍ରକ l
