ଆଶ୍ଵିନ ମାସରେ ପାର୍ବଣ ଋତୁରେ ନାରୀଶକ୍ତିର ପ୍ରତୀକ ଦେବୀଦୂର୍ଗାଙ୍କର ଶାରଦୀୟ ପୂଜା ଭାରତର କୋଣ ଅନୁକୋଣରେ ପାଳିତ ହୁଏ। ପୁରୁଷ ଶକ୍ତିର ପରାଜୟ ପରେ ନାରୀଶକ୍ତିକୁ ଶେଷ ବିକଳ୍ପଭାବେ ଗ୍ରହଣକରି ମହିଷାସୁର ଭଳି ଉଦ୍ଧତ ଦୈତ୍ୟମାନଙ୍କୁ ବିନାଶକରି ନାରୀକୁ ସୃଷ୍ଟିର ଶ୍ରେଷ୍ଠଶକ୍ତିରୂପେ ଅଭିହିତ କରାଗଲା। ସୃଷ୍ଟିର ଦୁଇଟି ଶ୍ରେଷ୍ଠ ଅମୁଲ୍ୟରତ୍ନ ଭାବେ ନାରୀ ଓ ପୁରୁଷ ଯୁଗେଯୁଗେ ସଂସାରକୁ ସେମାନଙ୍କର ଯୋଗଦାନ ଦେଇଆସିଛନ୍ତି। ସୃଷ୍ଟିଚକ୍ରକୁ ପୃଥିବୀ ପୃଷ୍ଠରେ ଧାରଣକରି ତାକୁ ଆଗେଇ ନେବା ଲକ୍ଷ୍ୟରେ ଶାରିରୀକ ଦୃଷ୍ଟିକୋଣରୁ ନାରୀ ଓ ପୁରୁଷକୁ ଅଲଗା କରି ସୃଷ୍ଟି କରାଯାଇଥିଲା। ଯାହାଦ୍ୱାରା ପୁନଶ୍ଚ ଦୁଇଟି ଶରୀରର ମିଳନରେ ସୃଷ୍ଟିହେବ ନୂଆ ମଣିଷ ଗଛଟିଏ। ସୃଷ୍ଟିକୁ ରକ୍ଷାକରିବା ପାଇଁ ମଣିଷ ଜାତିର ଆବଶ୍ୟକତାକୁ ଅନୁଭବ କରି ସୃଷ୍ଟିକର୍ତ୍ତା ମଣିଷକୁ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀଭାବେ ଅଧିଷ୍ଠିତ କଲେ। ଶରୀରର ଭିନ୍ନଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସହ ପଞ୍ଚ ଇନ୍ଦ୍ରିୟ ଓ ଉନ୍ନତ ମସ୍ତିଷ୍କ ଦେଇ ମାନବ ଧର୍ମ ପାଳନ କରିବାକୁ ସୁଯୋଗ ଦେଲେ। କିନ୍ତୁ ସମୟଚକ୍ରରେ ମଣିଷ ଜାତିର ଉଚ୍ଚାରଣ ଓ ଆଚରଣରେ ଭିନ୍ନତା ପରିଲକ୍ଷିତ ହେବାରେ ଲାଗିଛି।
ଶାରୀରିକ ସବଳ ଭାବେ ନିଜକୁ ପ୍ରମାଣିତ କରି ପୁରୁଷ ସମାଜ ନାରୀଜାତିକୁ ଧୀରେଧୀରେ ଦମନ କରିବାରେ ଲାଗିଲା। ଦମନ କରୁକରୁ ନାରୀ ନିର୍ଯାତନାର ସୂତ୍ରପାତ ହେଲା। ନାରୀ ନିର୍ଯାତନାର ମୂଳଲକ୍ଷ୍ୟ ଯୌନ ନିର୍ଯାତନା ଓ ଶୋଷଣ। ଧିରେଧିରେ ନାରୀ ପାଲଟିଗଲା ଉପଭୋଗର ଶ୍ରେଷ୍ଠ ସାମଗ୍ରୀ। ଏଠି ସେଠି ସବୁଠି ସେଇ ଲୋଲୁପ ଦୃଷ୍ଟି ନିକ୍ଷେପ ନାରୀ ଉପରେ। ଘରଠୁ ବଜାର ସବୁ ଗଳିରେ ତା ଉପରେ ନଜର।ସବୁଠି ଖାଲି କାମନାର ଆଖି ମେଲେଇ ଚାହିଁ ରହୁଛନ୍ତି ଯୌନ ପିପାସୁମାନେ। ସତରେ ନାରୀ ଦେହ ରହସ୍ୟମୟ ନା ଏ ପୁରୁଷ ସମାଜ ତାକୁ ରହସ୍ୟମୟ କରିଦେଇଛନ୍ତି? ତା ପାଇଁ କିଏ ଗୀତ ଲେଖୁଛି, କିଏ ଗୀତ ଗାଉଛି। କେହି ପ୍ରେମରସୌଧ ନିର୍ମାଣ କରି ଅମର ପ୍ରେମର କାହାଣୀ ରଚୁଛି। କିଏ କହୁଛି ଫଟଫଟିଆରେ ତୋତେ ବୁଲେଇନେବି ଖପରାଖୋଲ, ତ ପୁଣି କିଏ କହୁଛି ଆ କରିବା ଠିଆପାଲା । ଏ ସବୁ ପଛରେ ଯୌନ ବ୍ୟାକୁଳତା ହିଁ ଲୁଚି ରହିଛି ।
୨୦୦୫ରେ ବିଧିବଦ୍ଧ ଭାବେ ସରକାର ଦ୍ଵାରା ନାରୀ ସୁରକ୍ଷା କାନୁନ ବ୍ୟବସ୍ଥାର ପ୍ରଣୟନ ସହ କାର୍ଯ୍ୟକାରୀ ହେଲା। ସମସ୍ତ ଘରୋଇ ନିର୍ଯ୍ୟାତନାରୁ ନାରୀକୁ ରକ୍ଷା ନିମନ୍ତେ ତାହା ଉଦ୍ଦିଷ୍ଟ ଥିଲା। ପୁନଶ୍ଚ ୨୦୧୩ରେ କର୍ମକ୍ଷେତ୍ରରେ ଯୌନ ଶୋଷଣ ଓ ନିର୍ଯାତନାର ନିଷେଧ, ପ୍ରତିକାର ଓ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ ସହ ତାକୁ ବିଭିନ୍ନ କର୍ମକ୍ଷେତ୍ରରେ ମଧ୍ୟ ଲାଗୁକରାଯାଇଛି। କିଛି ବ୍ୟକ୍ତି ମଧ୍ୟ ଦଣ୍ଡିତ ହୋଇଛନ୍ତି। କିନ୍ତୁ ଯୌନ ନିର୍ଯାତନା ରୋକିବାରେ ନାମ ଧରୁନି। ପ୍ରତ୍ୟେକ ଦିନ ଯୌନ ନିର୍ଯାତନାର ଶିକାର ହେଉଛନ୍ତି କିଛି ନିରୀହ ନାରୀ। କେଉଁଠି ବଳାତ୍କାର, ତ କେଉଁଠି ବଳାତ୍କାର ପାଇଁ ଉଦ୍ୟମ। ଯୌନଶୋଷଣ, ପୁଣି ଯୌନଉତ୍ପୀଡନ ପୁରୁଷ ସମାଜର ଚିରାଚରିତ ଅଭ୍ୟାସ ପାଲଟିଗଲାଣି। ଥାନାରୁ କୋର୍ଟ କଚେରୀ ମହିଳା କମିଶନ ପର୍ଯ୍ୟନ୍ତ ଗୋଟେ ସମସ୍ୟାର ସମାଧାନ ନ ସରୁଣୁ ପୁଣି ଆଉ ଗୋଟେ ସମସ୍ୟା। ଶହଶହ ଫାଇଲ ଭିତରେ ଧରାଶାୟୀ ହୁଅନ୍ତି କିଛି ଅପ୍ରାପ୍ତ ବୟସ୍କ ବାଳିକା ଓ ପ୍ରାପ୍ତ ବୟସ୍କ ନାରୀମାନେ।
ସ୍ଵାଧୀନତା ପରେ ଜାତିରପିତା ଗାନ୍ଧୀଙ୍କ ସ୍ୱପ୍ନଥିଲା ରାମରାଜ୍ୟ ପ୍ରତିଷ୍ଠା କରି ସମାଜର ସମସ୍ତ ବର୍ଗର ଲୋକଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା। ବିଶେଷକରି ଚାରିକାନ୍ଥ ମଧ୍ୟରେ ଆବଦ୍ଧ ଗୋଟେ ନାରୀକୁ ସ୍ବାଧୀନ ଭାବେ ସୁରକ୍ଷା ଓ ସଶକ୍ତପାଇଁ ଆଶାପୋଷଣ କରିଥିଲେ। ନାରୀ ସଶକ୍ତିକରଣ ସହ ନାରୀ ସୁରକ୍ଷା ଆଳରେ ସେଦିନ ସେ କହିଥିଲେ, ଯେଉଁଦିନ ଗୋଟେ ନାରୀ; ସେ ସ୍ତ୍ରୀ ହେଉକି ଝିଅ, ମଧ୍ୟରାତ୍ର ବା ଅର୍ଦ୍ଧରାତ୍ରରେ ଶୁନଶାନ୍ ରାସ୍ତାରେ ରାତିର ଅନ୍ଧାରରେ ହେଉକି ଆଲୋକରେ ବିନା ସାହାରାରେ, ସ୍ବାଧୀନ ଭାବରେ ବିଚରଣ କରିପାରୁଥିବ, ସେତେବେଳେ ନାରୀ ସ୍ବାଧୀନ, ସଶକ୍ତ ଓ ସୁରକ୍ଷିତ ବୋଲି ଆମେ ଅନୁଭବ କରିବା।
ଝିଅଟିଏ ଜନ୍ମ ଗ୍ରହଣ ପରେ ବାପାମା ସାହିବନ୍ଧୁ ସମସ୍ତେ ତାକୁ ଲକ୍ଷ୍ମୀର ଅବତାର ବୋଲି ଗ୍ରହଣ କରିଥାନ୍ତି। କିନ୍ତୁ କାହିଁକି କେଜାଣି ସମୟ ଓ ଶରୀର ବୃଦ୍ଧି ସହ ଦୁନିଆର କିଛି ଆଖିର ଲୋଲୁପ ଦୃଷ୍ଟି ତାକୁ ବ୍ୟସ୍ତବିବ୍ରତ କରେ। କାମପିପାସୁ ଅନ୍ଧମାନେ ସବୁ ସମ୍ପର୍କକୁ ପାଦରେ ଆଡେଇ ଲାଗିପଡିନ୍ତି ଯୌନ ନିର୍ଯାତନା ଓ ଯୌନ ଶୋଷଣରେ । ନାରୀ ଜନ୍ମ ଅଭିଶାପ ନା ଆଶ୍ରିବାଦ ? ବାସ୍ତବରେ ସେ ସବଳ ନା ଦୁର୍ବଳ? ଯଦି ସବଳ ତେବେ ତା ସହ କାହିଁକି ଏମିତି ଘଟଣା ବାରମ୍ବାର ଘଟୁଛି? ଉପଭୋଗର ସାମଗ୍ରୀଭାବେ ଗ୍ରହଣ କରିନେଇଥିବା ପୁରୁଷ ସମାଜର କଣ ମାନସିକତାର ପରିବର୍ତ୍ତନ ହେବନାହିଁ କି?
ପ୍ରତିବର୍ଷ ଯୌନ ନିର୍ଯାତନା ଉପରେ ଆଲୋଚନା, ସମୀକ୍ଷା , କର୍ମଶାଳା ଓ ପାଠଚକ୍ର ବିଦ୍ୟାଲୟ, ମହା ବିଦ୍ୟାଳୟ,ବିଶ୍ଵବିଦ୍ୟାଳୟ ତଥା ଭିନ୍ନଭିନ୍ନ ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନରେ ଆୟୋଜନ କରାଯାଉଛି। ହେଲେ ‘ଯଉ ଚାଉରକୁ ସେ ଚାଉର’ । ସ୍ୱାଧୀନତା ପୁର୍ବରୁ ଯେଉଁ ଅବସ୍ଥା ଆଜି ମଧ୍ୟ ସେଇ ଅବସ୍ଥା। ଯୁଗେ ଯୁଗେ ନାରୀ ପ୍ରତି ଆସକ୍ତ ଏ ପୁରୁଷ ସମାଜ କାହିଁକି କେଜାଣି ନାରୀ ସହ ଯୌନଖୁସି ପାଇଁ ସହଭାଗିତା ହେବାକୁ ଅନୁରୋଧ, ପ୍ରସ୍ତାବ ଆଦି ଇଶାରା କେବେ ଆଖିରେ, ଓଠରେ, ସ୍ମିତହାସ୍ୟ ସହ ଶାରିରୀକ ଅଙ୍ଗଭଙ୍ଗୀରେ ପରିପ୍ରକାଶ କରିଥାଏ। ପୁରାଣରୁ ଈତିହାସ ପୃଷ୍ଠାପର୍ଯ୍ୟନ୍ତ ସବୁଠି ପୂଳାପୁଳା ଯୌନ ନିର୍ଯ୍ୟାତନାର ଘଟଣା । ସୀତାହରଣ ଠାରୁ ଆରମ୍ଭ କରି ଦ୍ରୌପଦୀର ବସ୍ତ୍ରହରଣ ମୂଳରେ ଯୌନ ଶୋଷଣ ଓ ନିର୍ଯାତନା ଲୁଚି ରହିଛି। ବସୁରାଜାଙ୍କ କନ୍ୟା ମତ୍ସଗନ୍ଧାକୁ ପରାଶର ଋଷି କାମାନ୍ଧ ହୋଇ ନଦୀମଝିରେ ନୌକାରେ ଚତୁର୍ଦ୍ଦିଗକୁ କୁହୁଡିରେ ଆଛନ୍ନ କରି ନିଜ କାମନାକୁ ଚରିତାର୍ଥ କରିବା ଏକ ଯୌନ ଶୋଷଣର ପୌରାଣିକ ଘଟଣା। ସଂସ୍କୃତ ସାହିତ୍ୟର ଜନକ ମହାଜ୍ଞାନୀ କାଳିଦାସ ମଧ୍ୟ ଲକ୍ଷେହୀରା ବେଶ୍ୟାଦ୍ୱାରା ମୃତ୍ୟବରଣ ଓ ବିଲ୍ଲୱ ମଙ୍ଗଳର ଚିନ୍ତାମଣି ବାରଙ୍ଗଣା ପ୍ରତି ଆସକ୍ତ ଯୌନ ମାନସିକତାର ପରିଚୟ ଦିଏ।
ରାଜତନ୍ତ୍ର ଶାସନ ସମୟରେ ରାଜାମାନେ ଯୁଦ୍ଧ ବିଜୟ ପରେ ପରାଜିତ ରାଜ୍ୟର ରାଜକନ୍ୟାଙ୍କୁ ନିଜର ଧର୍ମପତ୍ନୀ ଭାବରେ ଗ୍ରହଣ କରିବାକୁ ପରାଜିତ ରାଜାଙ୍କୁ ପ୍ରସ୍ତାବ ଦେଇଥାନ୍ତି। ଏକଥା ଇତିହାସରେ ଲିପିବଦ୍ଧ। ଆଲ୍ଲାଉଦ୍ଦିନ୍ ଖିଳିଜୀ ନିଜ ଯୌନଲାଳସାକୁ ଚରିତାର୍ଥ କରିବାପାଇଁ ମେୱାର୍ଡ ଉପରେ ଆକ୍ରମଣ ସହ ରାଜା ରତନ ସିଂହକୁ ହତ୍ୟା କରିବାର ମୁଖ୍ୟଲକ୍ଷ୍ୟ ଥିଲା ରାଣୀ ପଦ୍ମାବତୀ।
ଭାରତରୁ ପାକିସ୍ଥାନ ଅଲଗା ହେବା ସମୟରେ ଯେଉଁ ଲୋମହର୍ଷଣକାରୀ ଯୌନ ନିର୍ଯାତନାର ଶୋଷଣରେ ଶିକାର ହେଇଥିଲେ ଶହଶହ ହିନ୍ଦୁଓଶିଖ ଯୁବତୀ ଓ ମହିଳାମାନେ ତାର ମୂକସାକ୍ଷୀ ପାକିସ୍ଥାନରୁ ଆସିଥିବା ଟ୍ରେନ। ଖାଲି ସେତିକି ନୁହେଁ ଭାରତରୁ ବଙ୍ଗଳାଦେଶ ଅଲଗା ହେଲାପରେ ସେଇ ଏକାପ୍ରକାରର ଯୌନ ବର୍ବରତା ହିନ୍ଦୁ ଯୁବତୀ ଓ ମହିଳାଙ୍କ ପ୍ରତି। ୧୯୯୦ରେ ପୁଣି ସେଇ ଅମାନୁଷିକ ଅତ୍ୟାଚାର କାଶ୍ମୀର ପଣ୍ଡିତମାନଙ୍କ ପ୍ରତି। ଆତଙ୍କବାଦୀମାନେ ମସଜିଦରୁ ଚେତାବନୀଭାବେ ପ୍ରଚାର କଲେ କଶ୍ମୀର ପଣ୍ଡିତମାନେ ଯେତେଶୀଘ୍ର ପାରୁଛ କାଶ୍ମୀରଘାଟି ଖାଲିକର, କିନ୍ତୁ ସେମାନଙ୍କର ଝିଅବୋହୂଙ୍କୁ ଆମମାନଙ୍କ ପାଖରେ ଛାଡ଼ି ଦିଆଯାଉ। ତାହା ଥିଲା ଯୌନପିପାସୁ ଅମଣିଷ ରାକ୍ଷସମାନଙ୍କର ମାନସିକ ଅବସ୍ଥା। କାଶ୍ମୀର ଘାଟିରେ ପଣ୍ଡିତମାନଙ୍କର ନରସଂହାର ସହ ଯୌନ ଉତ୍ପୀଡନର ଶିକାର ହେଲେ ନାରୀସମୁଦାୟ। ପାକିସ୍ଥାନ ଓ ବାଂଲାଦେଶରେ ଲଗାଦାର ଯୌନ ନିର୍ଯାତନାରେ ଶିକାର ହୋଇଚାଲିଛନ୍ତି ହିନ୍ଦୁଝିଅ ବୋହୂମାନେ ଯାହା ଗଣମାଧ୍ୟମରେ ଦେଖିବାକୁ ମିଳୁଛି। କେରଳରେ ଝିଅମାନଙ୍କୁ ବିବାହର ମିଛ ପ୍ରଲୋଭନ ଦେଇ ଯୌନସମ୍ପର୍କ ରଖି ପରବର୍ତ୍ତୀ ସମୟରେ ଆଇଏସଆଇଏସ ଭଳି ଆତଙ୍କୀ ସଂସ୍ଥାକୁ ଯୌନଦାସୀ ରୂପେ ହସ୍ତାନ୍ତର ସଦ୍ୟ କେରଲା ଚଳଚିତ୍ରର ମୁଖ୍ୟ ବିଷୟବସ୍ତୁ।
ଖବକାଗଜରେ ପ୍ରତିଦିନ କେଉଁ ପୃଷ୍ଠାରେ ନା କେଉଁ ପୃଷ୍ଠାରେ ପ୍ରକାଶିତ ଯୌନ ନିର୍ଯାତନାର ଶିକାର ହେଉଥିବା କନ୍ୟା ସନ୍ତାନ,ବିକଳାଙ୍ଗ ପର୍ୟ୍ୟନ୍ତ ସେଥିରୁ କେହି ବାଦ ପଡୁନାହିଁ। ଆଇନକାନୁନର ଭୟ, ଫାଶୀଦଣ୍ଡ ଏବଂ ଆଜୀବନ କାରାଦଣ୍ଡକୁ ସେମାନଙ୍କର ତିଲେମାତ୍ର ଭୟନାହିଁ । ଯେପର୍ଯ୍ୟନ୍ତ ପୁରୁଷର ମାନସିକତାରେ ପରିବର୍ତ୍ତନ ନ ଆସିଛି ସେ ପଯ୍ୟନ୍ତ ନାରୀ ନା ଘରେ ସୁରକ୍ଷିତ ନା ବାହାରେ। ସାତ ସିନ୍ଦୁକରେ ଲୁଚେଇ ରଖିଲେ ବି ସେ ଯୌନ ନିର୍ଯାତନାର ଶିକାର ହେଉଛି। ସବୁନାରୀ ଦୁର୍ଗା ନୁହଁନ୍ତି କି ସଭିଁଏ ରାଣୀ ଲକ୍ଷ୍ମୀବାଈ ନୁହଁନ୍ତି। ନାରୀ ସଶକ୍ତିକରଣ ଦ୍ବାରା ନାରୀ ଶିକ୍ଷିତ ହୋଇଛି, କର୍ମନିଯୁକ୍ତି ପାଇଛି କିନ୍ତୁ ଯୌନ ନିର୍ଯାତନାରୁ ମୁକ୍ତହୋଇ ପାରିନାହିଁ। ହେ ଗାନ୍ଧୀ ! ତୁମ କଥା ଯେବେ ମନେପଡେ, ତାହା ପୁଣି ପ୍ରଶ୍ନ ହୋଇ ରହିଯାଏ।ସତରେ ତୁମ ପରିକଳ୍ପନାର ସେ ରାତି କେବେ ଆସିବ…?
ଡ଼.ମନୋଜ କୁମାର ମହାନ୍ତି
ଅଧ୍ୟାପକ ଦର୍ଶନ ବିଭାଗ, ବି.ଏନ. ଏମ.ଏ ମହାବିଦ୍ୟାଳୟ, ଭଦ୍ରକ, ୮୮୯୫୩୪୧୦୩୩ ।
