ଭୁବନେଶ୍ବର ୯ ଜାନୁଆରୀ ୨୦୨୬ (ଆ.ଦୁ.ନି) ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (RPRC) ଦ୍ବାରା ଏକାମ୍ର କାନନ ପରିସରରେ ୯ ରୁ ୧୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ୩୭ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ-୨୦୨୬’ ଆୟୋଜିତ ହୋଇଛି । ଚଳିତ ବର୍ଷର ବିଷୟବସ୍ତୁ “ପ୍ରକୃତି, ପରମ୍ପରା ଓ ପୁଷ୍ପର ପର୍ବ” ରଖାଯାଇଛି । ଏହି ପ୍ରଦର୍ଶନୀ ପ୍ରତିଦିନ ସକାଳ ୮:୩୦ ରୁ ରାତି ୮:୩୦ ପର୍ଯ୍ୟନ୍ତ ଖୋଲା ରହିବ । ଭୁବନେଶ୍ବରବାସୀଙ୍କ ସମେତ ସମସ୍ତ ଦର୍ଶକ ଏହି ସୁନ୍ଦର ଓ ଶିକ୍ଷଣୀୟ ପୁଷ୍ପ ପ୍ରଦର୍ଶନୀକୁ ଉପଭୋଗ କରି ପାରିବେ ।

ତିନିଦିନ ଧରି ହେବାକୁ ଥିବା ଏହି ଉତ୍ସବ, ମାନ୍ୟବର ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ (ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ ଇଏସଆଇ ମନ୍ତ୍ରୀ)ଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି । ଏହି ଉଦ୍ଘାଟନୀ ସମାରୋହରେ ଏକାମ୍ର ଭୁବନେଶ୍ବରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସି”, ଜଙ୍ଗଲ, ପରିବେଶ ଓ ଜଳବାୟୁ ନିୟନ୍ତ୍ରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଭାସ୍କର ଶର୍ମା, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଏବଂ ଓଡ଼ିଶା ବନ ବାହିନୀର ମୁଖ୍ୟ ଶ୍ରୀ ସୁରେଶ ପନ୍ତ ଏବଂ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଭୁବନେଶ୍ବରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ଖୋରା ଉପସ୍ଥିତ ଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ଏବଂ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ତଥା ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡିକର ସହଭାଗିତାରେ ଏହି ଉତ୍ସବ ଭୁବନେଶ୍ବରର ଏକ ସ୍ବତନ୍ତ୍ର ଶୀତକାଳୀନ ଉତ୍ସବ ଭାବେ ଆୟୋଜିତ ହେଉଛି ।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଯାହା ଉଭିଦ ସରଂକ୍ଷଣ ଓ ଗବେଷଣା କ୍ଷେତ୍ରରେ ରାଜ୍ୟର ଏକ ଅଗ୍ରଣୀ ପ୍ରତିଷ୍ଠାନ, ଏହି ଉତ୍ସବ ମାଧ୍ୟମରେ ଦର୍ଶକଙ୍କୁ ଉଭିଦ, ଉଦ୍ୟାନ ଏବଂ ସବୁଜ ଜୀବନଶୈଳୀ ସହିତ ଯୋଡ଼ିବା ପାଇଁ ପ୍ରୟାସ କରିଛନ୍ତି ।

ଦର୍ଶକମାନଙ୍କ ପାଇଁ ଆକର୍ଷଣୀୟ ଫୁଲ ସଜ୍ଜା, ସେଲଫି ପଏଣ୍ଟ, ଚାରା ବିକ୍ରୟ କେନ୍ଦ୍ର ଏବଂ ଫୁଡ୍ କୋର୍ଟ ସହ ୬୫ରୁ ଅଧିକ ଷ୍ଟଲ୍ ରହିବ । ଏଥିସହ ତିନି ଦିନ ଧରି ବିଶେଷଜ୍ଞମାନଙ୍କ ଦ୍ବାରା ଶୁଷ୍କ ପୁଷ୍ପଶିଳ୍ପ, ଅର୍କିଡ୍, ବୋନସାଇ, ଛାତ ବଗିଚା, ହାଇଡ୍ରୋପୋନିକ୍ସ ଏବଂ ଗୋଲାପ ଚାଷ ଉପରେ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଦିନ ସନ୍ଧ୍ୟା ୫:୩୦ ରୁ ୭:୩୦ ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ।

ବିଭିନ୍ନ ପ୍ରତିଷ୍ଠାନ, ଆବାସିକ ତଥା ଘରୋଇ ଉଦ୍ୟାନ ସରଂକ୍ଷକଙ୍କ ପାଇଁ ଉଦ୍ୟାନ ପ୍ରତିଯୋଗିତା ଦ୍ବାରା ସୌନ୍ଦର୍ଯ୍ୟକରଣ ଏବଂ ଉଦ୍ୟାନ କୃଷିରେ ଉଲ୍ଲେଖନୀୟ ପ୍ରୟାସକୁ ପ୍ରମାଣପତ୍ର ଏବଂ ଟ୍ରଫି ମାଧ୍ଯମରେ ପ୍ରୋତ୍ସାହିତ କରାଯିବ ।
ଆରପିଆରସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଧାଂଶୁ ଶେଖର ଖୋରା ନାଗରିକମାନଙ୍କୁ ଆମନ୍ତ୍ରଣ କରି କହିଛନ୍ତି ଯେ, ଏହା “ପ୍ରକୃତି, ପରମ୍ପରା ଏବଂ ଫୁଲ ସହିତ ଦର୍ଶକଙ୍କର ଏକ ମିଳନର ପର୍ବ” ଯେଉଁଠାରେ ଦର୍ଶକମାନେ ପ୍ରକୃତିକୁ ଅତି ନିକଟରୁ ଅନୁଭବ କରିପାରିବେ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଖଣି ନିଗମ (OMC), ବିଏମସି (BMC), ବିଡିଏ (BDA), ଭୁବନେଶ୍ବର ସ୍ମାର୍ଟ ସିଟି ଏବଂ ଓଡ଼ିଶା ରୋଜ୍ ସୋସାଇଟି ପ୍ରମୁଖ ସହଯୋଗ କରୁଛନ୍ତି ।
