ଭୁବନେଶ୍ୱର 25.01.2026 (ଆ.ଦୁ.ନି) ଜାନୁୟାରୀ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ବରମୁଣ୍ଡା ପଡ଼ିଆରେ ୩ ଦିନ ବ୍ୟାପୀ ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ କୃଷି ଓଡ଼ିଶା -୨୦୨୬ କାର୍ଯ୍ୟକ୍ରମରେ ସାରା ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା।

୨୨ ତାରିଖରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ସମସ୍ତ ପୁରସ୍କାର ଓୟୁଏଟିର ଛାତ୍ରଛାତ୍ରୀମାନେ ହାସଲ କରିଛନ୍ତି। ପ୍ରଥମ ସ୍ଥାନରେ ଯୁଗ୍ମ ଭାବରେ ଋତୁପର୍ଣ୍ଣା ଦାସ ଓ ଅଭିଳାଷ ପଣ୍ଡା ଥିଲାବେଳେ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଯଥାକ୍ରମେ ସଂସ୍କୃତି ପୁରୋହିତ ଏବଂ ଅଭିଷେକ ତ୍ରିପାଠୀ ଅକ୍ତିଆର କରିଥିଲେ। ସେହିପରି ଗଳ୍ପ କଥନ ପ୍ରତିଯୋଗୀତାରେ ଋତୁପର୍ଣ୍ଣା ଦାସ ପ୍ରଥମ ସ୍ଥାନ ହାସଲ କରିଥିଲେ। କୁଇଜ୍ ରେ ଦ୍ୱିତୀୟ ସ୍ଥାନରେ ଦେବାଶିଷ ପ୍ରଧାନ ଥିବାବେଳେ ଅଭିଷେକ ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଦଳଗତ ପ୍ରତିଯୋଗୀତା ଥିଲା କ୍ଷୁଦ୍ର ନାଟକ ପରିବେଷଣ। ଏହି ବିଭାଗରେ ମଧ୍ୟ ଓୟୁଏଟି ଟିମ୍ ଚମ୍ପିୟାନ ହୋଇଥିଲେ। ଓୟୁଏଟିର ସାଂସ୍କୃତିକ ଉପଦେଷ୍ଟା ଡ. ବିଜୟ କୁମାର ପାତ୍ରଙ୍କର ତତ୍ତ୍ଵାବଧାନରେ, ଡ. ଚକ୍ରଧର ପାତ୍ର ଓ ଡ. ଅନିଲ୍ କୁମାର ନାହାକଙ୍କର ସହଯୋଗ ଓ ସଂଯୋଜନାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଓୟୁଏଟିକୁ ଗୌରବାନ୍ୱିତ କରିଛନ୍ତି। ଏହି ଉପଲକ୍ଷେ ସମସ୍ତ ପ୍ରଧ୍ୟାପକ ତଥା ଓୟୁଏଟି କର୍ତ୍ତୃପକ୍ଷ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଏହି ଧାରା ବଜାୟ ରଖିବାକୁ ପ୍ରେରଣା ପ୍ରଦାନ କରିଛନ୍ତି।
