ଭୁବନେଶ୍ୱର ତା-୧୯.୦୫.୨୦୨୬ [ଆ.ଦୁ.ନି] ମୁଖ୍ୟ ଶାସନ ସଚିବଙ୍କ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକ ଆଜି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଖଣି ପ୍ରଭାବିତ ଅଂଚଳର ବିକାଶ ସମୀକ୍ଷା ପାଇଁ ସିଏମ-ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଶିଳ୍ପ, ଶକ୍ତି, ଅର୍ଥ, ଅବକାରୀ, ଜଳ ସଂପଦ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ସଂପର୍କରେ ଜିଲ୍ଲା ସହିତ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରିତାରେ ରହୁଥିବା ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନା କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଅର୍ଥ ବିଭାଗ ସଂପର୍କିତ ସମୀକ୍ଷାରେ କ୍ରେଡିଟ୍-ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏଥି ସହ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ମାସିକ ବୈଠକ କରି ବିଭାଗୀୟ କାର୍ଯ୍ୟ ସମୀକ୍ଷା ପୂର୍ବକ ସମନ୍ୱିତ ପ୍ରୟାସରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ସିଏମ-ସମ୍ପଦା ପ୍ରଗତି ସମୀକ୍ଷା ପ୍ଲାଟଫର୍ମରେ ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ୪-ସ୍ତରୀୟ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହୋଇଥିଲା ।ବର୍ତ୍ତମାନ ସରକାରୀ ସୁବିଧାଗୁଡ଼ିକର ଶତପ୍ରତିଶତ ଉପଲବ୍ଧ ହେବା( ସାଚୁରେସନ), ଅତିରିକ୍ତ ସହାୟତା ( ଟପ୍ ଅପ୍ ), ନୂତନ ପଦକ୍ଷେପ ଏବଂ ଚାଲୁଥିବା ଡିଏମଏଫ୍ ପ୍ରକଳ୍ପଗୁଡ଼ିକର ନିରୀକ୍ଷଣକୁ ଅଧିକ ପ୍ରଭାବୀ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାପାଳମାନଙ୍କ ଦ୍ୱାରା ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟ ସଂପର୍କିତ ସମୀକ୍ଷା ବୈଠକର ନିର୍ଯ୍ୟାସକୁ ସିଏମ-ସମ୍ପଦା ଡ୍ୟାସବୋର୍ଡରେ ସୂଚିତ କରିବା ସହ ରାଜ୍ୟସ୍ତରରୁ ସହାୟତା ଆବଶ୍ୟକ ହେଉଥିବା ବିଷୟଗୁଡ଼ିକୁ ଏକ ସପ୍ତାହ ମଧ୍ୟରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗକୁ ପ୍ରେରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଏମ-ସମ୍ପଦା ପଦକ୍ଷେପର ଆଶା କରାଯାଇଥିବା ଫଳାଫଳ ସମ୍ବନ୍ଧରେ ଡିଏମଏଫ୍ ଏବଂ ପ୍ରକଳ୍ପ ପରିଚାଳନା ୟୁନିଟ୍ ଟିମ୍ମାନଙ୍କ କ୍ଷମତାବୃଦ୍ଧି ପାଇଁ ଜୁନ୍ ମାସରେ ଏକ କର୍ମଶାଳା ଆୟୋଜନ କରାଯିବାକୁ ମଧ୍ୟ ଆଲୋଚନା ହୋଇଛି । ଜିଲ୍ଲାସ୍ତରରେ ସିଏମ୍ ସମ୍ପଦା ମାସିକ ବୈଠକ ନିୟମିତ କରିବାକୁ ମଧ୍ୟ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।
ଶିଳ୍ପ ଏବଂ ଗୃହ ବିଭାଗ ପକ୍ଷରୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଯୋଗଦେଇ ରାଜ୍ୟରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ । ଏଥିପାଇଁ ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ସଂସ୍ଥା (ଦିପା) ଏବଂ ଇଡକୋ ସହଯୋଗରେ ଜିଲ୍ଲାମାନଙ୍କରେ ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଗ୍ୟ ଜମି ଚିହ୍ନଟ, ଜମି ଅଧିଗ୍ରହଣ, ଶିଳ୍ପାୟନ ନେଇ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ବିଭିନ୍ନ ଜିଲ୍ଲାର ପଦକ୍ଷେପକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ ।ରାଜ୍ୟରେ ପର୍ଯ୍ୟଟନର ବିକାଶ ଓ ଏ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବୃଦ୍ଧ ପାଇଁ ଜମି ଉପଲବ୍ଧତା ସଂପର୍କରେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।
ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ରାଜ୍ୟରେ ଆଇନ୍ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧ ନିୟନ୍ତ୍ରଣ ନେଇ ଜିଲ୍ଲାପାଳମାନେ ନିୟମିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କ ସହ ବୈଠକ କରି ପଦକ୍ଷେପ ନେବା ସଂପର୍କରେ ପରାମର୍ଶ ଦେଇଥିଲେ ।
ଅର୍ଥ ବିଭାଗର ପକ୍ଷରୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ରାଜ୍ୟରେ ବ୍ୟାଙ୍କିଙ୍ଗ ସେବାକୁ ଅଧିକ ବ୍ୟାପକ କରି, ଋଣ ପ୍ରବାହ ଏବଂ ପ୍ରାଥମିକ କ୍ଷେତ୍ରରେ ଋଣ ପ୍ରଦାନ ସଂପର୍କରେ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ରାଜ୍ୟର ସମୁଦାୟ କ୍ରେଡିଟ୍-ଡିପୋଜିଟ୍ ( ସିଡି) ଅନୁପାତ ୭୧.୩୧% ରହିଥିବାବେଳେ ଝାରସୁଗୁଡା, କଳାହାଣ୍ଡି, ଯାଜପୁର ଓ ବୌଦ୍ଧ ଭଳି ଜିଲ୍ଲାଗୁଡିକ ଋଣ ବିତରଣ ଓ ଆର୍ଥିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାମାନଙ୍କର କ୍ରେଡିଟ୍-ଡିପୋଜିଟ୍ ଅନୁପାତ ଅନୁଧ୍ୟାନ କରାଯିବା ଋଣ ପ୍ରବାହକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ପରାମର୍ଶ ଦିଆଯାଇଛି । ବିଶେଷ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଏବଂ ଏମଏସଏମଇ କ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରି ସମାବେଶୀ ଆର୍ଥିକ ବିକାଶ ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲା ପରାମର୍ଶଦାତା ସମିତି ବୈଠକ ନିୟମିତ ଅନୁଷ୍ଠିତ ହେବା ସହ ସରକାରୀ ଋଣ ଯୋଜନାର କାର୍ଯ୍ୟକାରିତା ନିରୀକ୍ଷଣ ଓ ବ୍ୟାଙ୍କ, ଜିଲ୍ଲା ପ୍ରଶାସନ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ନାବାର୍ଡ ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।
ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢୀକରଣ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ଏଥିପାଇଁ ବିଭିନ୍ନ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଆବଶ୍ୟକ ରହୁଥିବା ଜମି ଅଧିଗ୍ରହଣ, ପରିବେଶ ମଂଜୁରୀ ଓ ବିଭିନ୍ନ ସମସ୍ୟା ସଂପର୍କରେ ତଥ୍ୟ ରଖି ସେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ ।
ଜଳ ସମ୍ପଦ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ କ୍ଷେତ୍ରକୁ ଜଳ ଯୋଗାଣ ସଂପର୍କିତ ପରିଚାଳନା, ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ଆଇଓଟି ଫ୍ଲୋ ମିଟର ସ୍ଥାପନ ଏବଂ ବକେୟା ଜଳ ଦେୟ ଆଦାୟ ସମ୍ବନ୍ଧୀୟ ଅଗ୍ରଗତି ଉପସ୍ଥାପିତ କରାଯାଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଯୋଗଦେଇ ବକେୟା ଜଳ କର ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଜିଲ୍ଲାସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ‘ଜଳ ଶକ୍ତି ଅଭିଯାନ : “କ୍ୟାଚ୍ ଦ ରେନ୍”– ଜଳ ସଞ୍ଚୟ ଜନ ଭାଗିଦାରୀ ୨.୦’ ଅଧୀନରେ ରାଜ୍ୟବ୍ୟାପୀ ଭାବେ ଜଳ ସଂରକ୍ଷଣ ଓ ଜନସହଭାଗିତାମୂଳକ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ମଧ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି, ଔଷଧ ଓ ନିଦାନ ସେବାର ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା, ଡାକ୍ତର ଓ ବିଶେଷଜ୍ଞଙ୍କ ଉପଲବ୍ଧତା, ଆୟୁଷ୍ମାନ କାର୍ଡ ବଣ୍ଟନ ଏବଂ ଅମ୍ରିତ ଫାର୍ମାସି କାର୍ଯ୍ୟକାରିତା ଆଦି ପ୍ରସଙ୍ଗରେ ଗୁରୁତ୍ୱ ଦିଆଯାଇଥିଲା । ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ ତଥ୍ୟ ଉପସ୍ଥାପନ କରିଥିଲେ । ଆଗାମୀ ଜୁନ୍ ୧୯ରେ ବିଶ୍ୱ ସିକଲ୍ ସେଲ ଦିବସ, ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ସେ ଆଲୋଚନା କରିଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ପର୍କିତ ସମୀକ୍ଷାରେ ରାଜ୍ୟର ପୋଷଣ ସ୍ଥିତି, ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କ ଭିତ୍ତିଭୂମି ସୁଦୃଢୀକରଣ ଆଦି ସମ୍ପର୍କରେ ବିଭାଗର କମିଶନର ତଥା ଶାସନ ସଚିବ ଡଃ. ମୃଣାଳିନୀ ଦର୍ସୱାଲ ଆଲୋଚନା ପାଇଁ ତଥ୍ୟ ରଖିଥିଲେ l ବୈଠକରେ ଶିଶୁମାନଙ୍କ ପୋଷଣ ସମ୍ପର୍କିତ କ୍ଷେତ୍ରସ୍ତରୀୟ ସଠିକତା ଯାଞ୍ଚ, ନିୟମିତ ପୂରକ ପୋଷଣ ବଣ୍ଟନ ଏବଂ ପୋଷଣ ଟ୍ରାକିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସକ୍ଷମ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଦ୍ୟୁତିକରଣ, ଶୌଚାଳୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଶୀଘ୍ର ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା, ପିଏମ୍-ଜନମନ୍ ଅଧୀନରେ ନିର୍ମାଣାଧୀନ କେନ୍ଦ୍ରଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା, ଓଏମ୍ବିଏଡିସି ସହାୟତାପ୍ରାପ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ, ‘କଳିକା‘ ଯୋଜନା ଅଧୀନରେ କ୍ରେଚ୍ ଚାଲୁ କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସମୀକ୍ଷା ବୈଠକରେ ମଧ୍ୟ ଜିଲ୍ଲାରେ ଅବକାରୀ କାର୍ଯ୍ୟାଳୟ ଓ ସଂପର୍କିତ ଅନ୍ୟ ଭିତ୍ତିଭୂମି ପାଇଁ ସରକାରୀ ଜମି ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ସମ୍ବନ୍ଧୀୟ କାର୍ଯ୍ୟ ଅଗ୍ରଗତି ଉପସ୍ଥାପିତ କରାଯାଇ ଏହି କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ଓସଡମାର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ଆପତକାଳୀନ କେନ୍ଦ୍ରକୁ ଚବିଶ ଘଣ୍ଟିଆ ସକ୍ରିୟ ରଖିବା, ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି, ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ ଦୁର୍ଘଟଣାରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟ ବ୍ୟାପକ କରିବା, ଉଇଣ୍ଡସ୍ ପ୍ରକଳ୍ପ ଅଧୀନରେ ସ୍ୱୟଂକ୍ରିୟ ପାଣିପାଗ କେନ୍ଦ୍ର ଓ ରେନ୍ ଗଜ ଷ୍ଟେସନ ସ୍ଥାପନ ପାଇଁ ଜିଲ୍ଲା ତରଫରୁ ପଦକ୍ଷେପ ଓ ସହଯୋଗ ସଂପର୍କରେ ଆଲୋଚନା କରିଥିଲେ । ବିପର୍ଯ୍ୟୟ, ଦୁର୍ଘଟଣା କିମ୍ବା ଅନ୍ୟ କାରଣରେ ମୃତ୍ୟୁ ବା କ୍ଷତି ଘଟିଥିବା ଲୋକମାନଙ୍କ ପାଇଁ ସରକାରୀ ଆର୍ଥିକ ସହାୟତା ଅପେକ୍ଷାରତ ମାମଲାଗୁଡ଼ିକୁ ଡିଏଏମପିଏସ୍ ପୋର୍ଟାଲରେ ଶୀଘ୍ର ପ୍ରକ୍ରିୟାକରଣ କରି ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।
