- ଓୟୁଏଟିରେ ଖାଦ୍ୟ, କୃଷି ଓ ଜୈବ-ପ୍ରଯୁକ୍ତି (ଏଫ୍ଏବି) ଶିଖର ସମ୍ମିଳନୀ -୨୦୨୬
ଭୁବନେଶ୍ବର ୧୦.୦୬.୨୦୨୬ [ଆ.ଦୁ.ନି] : ମଧ୍ୟପ୍ରାଚ୍ୟ ଯୁଦ୍ଧର ପରିସ୍ଥିରେ ଭାରତ ଆତ୍ମନିର୍ଭର ହୋଇପାରିଛି I ଅନେକ ସମସ୍ୟା ସତ୍ତ୍ବେ,, ଆମ ଦେଶ ନିଜ ଅର୍ଥନୀତିକୁ ସୁଦୃଢ କରିବାରେ ସକ୍ଷମ ହୋଇପାରିଛି ବୋଲି ଖାଦ୍ୟ, କୃଷି ଓ ଜୈବ-ପ୍ରଯୁକ୍ତି ଶିଖର ସମ୍ମିଳନୀ-୨୦୨୬ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ତଥା ଓୟୁଏଟିର କୁଳାଧୂପତି ଡ଼. ହରିବାବୁ କମ୍ଭମପାଟି ମତ ରଖୁଛନ୍ତି ।
ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ଇଣ୍ଡିଆନ ଚାମ୍ବର ଅଫ କମର୍ସର ମିଳିତ ଆନୁକୁଲ୍ୟରେ ଓୟୁଏଟିର ଏମ ଏସ ସ୍ୱମୀନାଥନ କକ୍ଷଠାରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇ କୁଳାଧୂପତି କହିଛନ୍ତି ଖାଦ୍ୟ, କୃଷି ଓ ଜୈବ-ପ୍ରଯୁକ୍ତି ନବୀନତା କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ କେନ୍ଦ୍ର ଭାବେ ଗଢ଼ିବାକୁ ହେବ । ସୌର ଚାଳିତ ଯନ୍ତ୍ର ତଥା ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ଦିଗରେ ଯନୂବାନ ହେବାକୁ ପରାମର୍ଶ ଦେଇଛନ୍ତି ।
ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖ୍ କୃଷି କ୍ଷେତ୍ରରେ ସ୍ମାର୍ଟ ପଦ୍ଧତିର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ହେବ । ଆମମାନଙ୍କ ପାଖରେ ଅନେକ ସାଧନ ରହିଛି ଯାହାର ଉପଯୋଗ କରିବାର ସୁଯୋଗ ଅଛି ।
ସମସ୍ତଙ୍କ ପାଖରେ ଉଦ୍ୟୋଗୀ ହେବାର ବଳିଷ୍ଠ ଇଚ୍ଛା ରହିବା ଆବଶ୍ୟକ । ମତ୍ସ୍ୟ ଚାଷ ଦିଗରେ ଅଧିକ ମନ ବଳାଇବା ସହ ସରକାରୀ ସହାୟତାର ଲାଭ ନେବା ସହ ବିଶ୍ବବିଦ୍ୟାଳୟର ନାନାଦି କାର୍ଯ୍ୟକ୍ରମର ଉପଯୋଗୀତା ଗ୍ରହଣ ପାଇଁ କୁଳାଧୂପତି କହିଛନ୍ତି ।
ଅନ୍ୟତମ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲିକ ଯୋଗ ଦେଇ ବିକଶିତ ଭାରତ ପାଇଁ କୃଷି ଓ କୃଷକଙ୍କ ଭୂମିକା ଉପରେ ମତ ରଖୁଛନ୍ତି । ଜୈବିକ ପଦ୍ଧତିରେ ଉତ୍ପାଦନ ବୃଦ୍ଧି ସହ ଆତ୍ମନିର୍ଭର ହେବାକୁ କହିଛନ୍ତି I ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ଗଢିବା ଆମ ସଭିଙ୍କ ସାମାଜିକ ଦାୟିତ୍ବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ସମ୍ମିଳନୀ ହେଉଛି ଓଡ଼ିଶାର କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଓ ଜୈବ-ପ୍ରଯୁକ୍ତି କ୍ଷେତ୍ରରେ ନବସୃଜନ, ଉଦ୍ୟୋଗ ଏବଂ ନୀତି ନିର୍ଦ୍ଧାରଣକୁ ଏକତ୍ରିତ କରିବାର ଏକ ଗୁରୁତ୍ବପୂର୍ଣ ମଞ୍ଚ । ଏଥିରେ କୃଷକ, ଗବେଷକ, ଉଦ୍ୟୋଗୀ ଓ ନୀତି ନିର୍ଦ୍ଧାରକମାନେ ମିଳିତ ଭାବେ କୃଷିର ସ୍ଥାୟୀ ବିକାଶ, ମୂଲ୍ୟ ସଂଯୋଜନ ଏବଂ ଆତ୍ମନିର୍ଭର ଓଡ଼ିଶା ଗଠନ ଉପରେ ଜ୍ଞାନ ଆହରଣ କରିପାରିବେ ବୋଲି କୃଷି ଓ କୃଷକ ସଶକ୍ତକରଣ ବିଭାଗର କମିଶନର-କମ୍-ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ କହିଛନ୍ତି ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ଆମ ରାଜ୍ୟରେ କୃଷିର ସମ୍ଭାବନାକୁ ନେଇ ବିଶ୍ବବିଦ୍ୟାଳୟ ସର୍ବଦା ତତ୍ପର I ସରକାର, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ କ୍ଷେତ୍ର ମଧ୍ୟରେ ସହଯୋଗ ବୃଦ୍ଧି କରି ଓଡ଼ିଶାକୁ ଖାଦ୍ୟ, କୃଷି ଓ ଜୈବ-ପ୍ରଯୁକ୍ତି ନବସୃଜନର ଏକ ଅଗ୍ରଣୀ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ଦିଗରେ ଏହି ସମ୍ମିଳନୀ ଏକ ମହତ୍ଵପୂର୍ଣ ପଦକ୍ଷେପ ବୋଲି କୁଳପତି ମତ ରଖୁଛନ୍ତି ।
ଏହି ଅବସରରେ ନୂଆ କରି ଉଦ୍ୟୋଗ ଆରମ୍ଭ କରିବାକୁ ଯାଉଥିବା ଯୁବଗୋଷ୍ଠୀଙ୍କ ପାଇଁ ଓୟୁଏଟିର ଶିକ୍ଷକ ଓ ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ୫ଟି ଉଦ୍ୟୋଗ ସମ୍ପର୍କିତ ଗାଇଡଲାଇନ୍ସ ବା ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି ।
ଆରମ୍ଭରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶ୍ରୀ ରାଜୀବ ଏସ୍. ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ଆବାହକ ଶ୍ରୀ ଶ୍ରୀରାମ ପଣ୍ଡା କାର୍ଯ୍ୟକ୍ରମ ବାବଦରେ ଅଭିଭାଷଣ ଦେଇଥିଲେ।
କାର୍ଯ୍ୟକ୍ରମର ଅନ୍ୟ ଏକ ଅଧିବେଶନରେ କ୍ଷେତରୁ ଉପଭୋକ୍ତା ପର୍ଯ୍ୟନ୍ତ: ମୂଲ୍ୟ ସଂଯୋଜନ ଶୃଙ୍ଖଳ ଓ ବଜାର ସୁଦୃଢ଼ୀକରଣ ଉପରେ ଗୁରୁତ୍ବକୁ କୃଷି ଓ କୃଷକ ସଶକ୍ତକରଣ ବିଭାଗର କମିଶନର-କମ୍-ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଆଇଏଏସ୍ ପ୍ରତିନିଧୃତ୍ବ କରିଥିଲେ । ସେହିପରି ପ୍ରମୁଖ ଶାସନ ସଚିବ ଶ୍ରୀ ଡି. ଭି. ସ୍ଵାମୀ କୃଷି ଓ ଖାଦ୍ୟ
ପ୍ରକ୍ରିୟାକରଣର ଅଭିବୃଦ୍ଧି ପାଇଁ ଜୈବ-ପ୍ରଯୁକ୍ତିର ବହୁଗୁଣ ଭୂମିକା ଶୀର୍ଷକ ଅଧିବେଶନରେ ମତ ରଖିଛନ୍ତି । ପ୍ରଯୁକ୍ତି ନିର୍ଭର କୃଷି, ଷ୍ଟାର୍ଟଅପ୍ ଓ ନବସୃଜନ ଉପରେ ଏମଏସଏମଇର କମିଶନର କମ ସେକ୍ରେଟାରୀ ଶ୍ରୀମତୀ ରଶ୍ମିତା ପଣ୍ଡା ଆଲୋଚନା କରିଛନ୍ତି ।
