ଭୁବନେଶ୍ୱର 1.9.2026 [ଆ.ଦୁ.ନି] : ଓଡିଶା ଲୋକ ଭବନ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (ଆଇଜିବିସି)ର ଗ୍ରୀନ୍ କ୍ୟାମ୍ପସ ରେଟିଂ ସିଷ୍ଟମ୍ ଅଧୀନରେ ପ୍ଲାଟିନମ୍ ପ୍ରମାଣପତ୍ର ହାସଲ କରି ଦେଶର ପ୍ରଥମ ପ୍ଲାଟିନମ୍ ପ୍ରମାଣପତ୍ରପ୍ରାପ୍ତ ଲୋକ ଭବନ ହୋଇଛି। ଏହା ସ୍ଥାୟୀ ଓ ପରିବେଶ ଅନୁକୂଳ ଭିତ୍ତିଭୂମି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ।
ମଙ୍ଗଳବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଜିବିସିର ଜାତୀୟ ଅଧ୍ୟକ୍ଷ ସି. ଶେଖର ରେଡ୍ଡୀଙ୍କଠାରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଲୋକ ଭବନ ୧୦୦ରୁ ୮୮ ଅଙ୍କ ହାସଲ କରି ଆଇଜିବିସି ରେଟିଂ ବ୍ୟବସ୍ଥାର ସର୍ବୋଚ୍ଚ ବର୍ଗରେ ସ୍ଥାନ ପାଇଛି।
ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଜ୍ୟପାଳ ଡ. କମ୍ଭମପାଟି ଏହି ସ୍ୱୀକୃତିକୁ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିବା ସହ ଲୋକ ଭବନକୁ ସବୁଜ ପରିସରରେ ପରିଣତ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଏହା ଫଳ ବୋଲି କହିଥିଲେ।
ରାଜ୍ୟପାଳ କହିଥିଲେ ଯେ ସବୁଜିମା, ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାର, ବୈଦ୍ୟୁତିକ ଯାନର ବ୍ୟବହାର ସମେତ ବିଭିନ୍ନ ପଦକ୍ଷେପକୁ ଏହି ପ୍ରମାଣପତ୍ରରେ ସ୍ୱୀକୃତି ମିଳିଛି। ଯେଉଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା, ଲୋକ ଭବନ ପକ୍ଷରୁ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଶେଷରେ ଆମେ ସର୍ବୋଚ୍ଚ ରେଟିଂ ହାସଲ କରିପାରିଛୁ।”
ଆଗାମୀ ଦିଲ୍ଲୀ ଗସ୍ତ ସମୟରେ ସେ ଏହି ପ୍ରମାଣପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖାଇବେ ବୋଲି ଡ. କମ୍ଭମପାଟି କହିଥିଲେ। ଏହି ସଫଳତା ଅନ୍ୟାନ୍ୟ ଅନୁଷ୍ଠାନକୁ ମଧ୍ୟ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ସହ ସବୁଜ ପ୍ରମାଣପତ୍ର ହାସଲ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।
