ନୂଆଦିଲ୍ଲୀ 12.9.2026 [ଆ.ଦୁ.ନି] : ଦ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଦେଶର ୨୩ଟି କେନ୍ଦ୍ରରେ ଏକକାଳୀନ ଭାବେ ସମାବର୍ତ୍ତନ ସମାରୋହ ଆୟୋଜିତ ହୋଇଛି। ଏହି ଅବସରରେ ମୋଟ ୮,୯୬୪ ଜଣ ନବନିଯୁକ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ସଦସ୍ୟତା ପ୍ରମାଣପତ୍ର ପ୍ରଦାନ କରାଯିବା ସହ ରାଙ୍କଧାରୀମାନଙ୍କୁ ସମ୍ମାନିତ କରାଯାଇଛି।
ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ, ନାଗପୁର, ପୁଣେ, ବେଙ୍ଗାଲୁରୁ, କୋଏମ୍ବାଟୋର, ଏର୍ଣ୍ଣାକୁଲମ୍, ହାଇଦ୍ରାବାଦ, ବିଜୟୱାଡ଼ା, ଭୁବନେଶ୍ୱର, ଭୋପାଳ, ଗୁଆହାଟୀ, ଗାଜିଆବାଦ, ଇନ୍ଦୋର, ଲକ୍ଷ୍ନୌ, ଜୟପୁର, ରାଞ୍ଚି, ରାୟପୁର, ଚଣ୍ଡୀଗଡ଼ ଓ ଲୁଧିଆନାଠାରେ ଏହି ସମାରୋହ ଆୟୋଜିତ ହୋଇଥିଲା।
ଦିଲ୍ଲୀରେ ମୁଖ୍ୟ ଅତିଥି ଶ୍ରୀ ଅର୍ଜୁନ ରାମ ମେଘୱାଲ, ମାନ୍ୟବର କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ସମାରୋହର ଔପଚାରିକ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ସିଏ. ପ୍ରସନ୍ନ କୁମାର ଡି, ଅଧ୍ୟକ୍ଷ, ଆଇସିଏଆଇ ଏବଂ ସିଏ. ମଙ୍ଗେଶ କିନାରେ, ଉପାଧ୍ୟକ୍ଷ, ଆଇସିଏଆଇଙ୍କ ସମେତ ଆଇସିଏଆଇର କେନ୍ଦ୍ରୀୟ ଓ ଆଞ୍ଚଳିକ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ଅର୍ଜୁନ ରାମ ମେଘୱାଲ ନବନିଯୁକ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ହେଉଛନ୍ତି ବିଶ୍ୱାସର ରକ୍ଷକ। ସେମାନେ କେବଳ ବାଲାନ୍ସ ସିଟ୍ ପ୍ରସ୍ତୁତ କରନ୍ତି ନାହିଁ, ବରଂ ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ବିଶ୍ୱାସର ଭିତ୍ତିକୁ ମଧ୍ୟ ମଜବୁତ କରନ୍ତି। ଦେଶର ଅର୍ଥନୈତିକ ବିକାଶ ଓ ଜିଡିପି ବୃଦ୍ଧିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ସେ କହିଥିଲେ। ଏଥିସହ ସେ ନବନିଯୁକ୍ତ ସିଏମାନଙ୍କୁ ଅଖଣ୍ଡତା, ଆତ୍ମବିଶ୍ୱାସ, ଉତ୍ତରଦାୟିତ୍ୱ ଏବଂ ‘ଇଣ୍ଡିଆ ଫାର୍ଷ୍ଟ’ ମୂଲ୍ୟବୋଧକୁ ଆପଣାଇ ବିକଶିତ ଭାରତ ୨୦୪୭ ଗଠନରେ ଅବଦାନ ଦେବାକୁ ଆହ୍ୱାନ ଜଣାଇଥିଲେ।
ସିଏ. ପ୍ରସନ୍ନ କୁମାର ଡି ନବନିଯୁକ୍ତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ଏହି ସଫଳତା ପଛରେ ପରିବାର, ବନ୍ଧୁ ଓ ଶିକ୍ଷକମାନଙ୍କ ନିରନ୍ତର ସମର୍ଥନ ଓ ତ୍ୟାଗକୁ ସ୍ମରଣ କରିବାକୁ କହିଥିଲେ। ସେ ନିରନ୍ତର ଶିକ୍ଷା, ବୃତ୍ତିଗତ ଉତ୍କର୍ଷ ଓ ନୈତିକ ଆଚରଣକୁ ଗୁରୁତ୍ୱ ଦେଇ ସମାଜର ବିଶ୍ୱାସକୁ ସର୍ବଦା ଅକ୍ଷୁଣ୍ଣ ରଖିବାକୁ ନବନିଯୁକ୍ତ ସିଏମାନଙ୍କୁ ଆହ୍ୱାନ କରିଥିଲେ। ସେ ନବନିଯୁକ୍ତ ସଦସ୍ୟମାନଙ୍କୁ ଶପଥ ମଧ୍ୟ ପାଠ କରାଇଥିଲେ।
ସିଏ. ମଙ୍ଗେଶ କିନାରେ ନୂତନ ସିଏମାନଙ୍କୁ ଅଭିନନ୍ଦନ ଜଣାଇ ଉତ୍କର୍ଷ, ସ୍ୱାଧୀନତା ଓ ସଚ୍ଚୋଟତାକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୃତ୍ତିର ମୌଳିକ ସ୍ତମ୍ଭ ଭାବେ ଅବଲମ୍ବନ କରିବାକୁ ଆହ୍ୱାନ କରିଥିଲେ। ଦେଶ ଓ ବୃତ୍ତିର ବିକାଶରେ ଅର୍ଥପୂର୍ଣ୍ଣ ଅବଦାନ ଦେବାକୁ ସେ ନବନିଯୁକ୍ତ ସିଏମାନଙ୍କୁ ପରାମର୍ଶ ଦେଇଥିଲେ।
ଆଇସିଏଆଇ ପକ୍ଷରୁ ପ୍ରତିବର୍ଷ ଦୁଇଥର ସମାବର୍ତ୍ତନ ସମାରୋହ ଆୟୋଜନ କରାଯାଇ ନବନିଯୁକ୍ତ ସଦସ୍ୟମାନଙ୍କୁ ଚାର୍ଟାର୍ଡ ଆକାଉଣ୍ଟାନ୍ସି ବୃତ୍ତିରେ ଔପଚାରିକ ଭାବେ ସ୍ୱାଗତ କରାଯାଏ। ଏହି ସମାରୋହ କେବଳ ଏକାଡେମିକ୍ ଓ ବୃତ୍ତିଗତ ସଫଳତାର ପ୍ରତୀକ ନୁହେଁ, ବରଂ ଉତ୍କର୍ଷ, ଉତ୍ତରଦାୟିତ୍ୱ ଓ ରାଷ୍ଟ୍ର ନିର୍ମାଣ ପ୍ରତି ଏକ ଆଜୀବନ ପ୍ରତିବଦ୍ଧତାର ଆରମ୍ଭ ମଧ୍ୟ ଅଟେ।
