· ବର୍ଜ୍ୟ ପରିଚାଳନାରେ ଉତ୍ତରଦାୟିତ୍ୱ, ବୈଜ୍ଞାନିକ ପଦ୍ଧତି ଓ ଜନସହଭାଗିତା ଉପରେ ଗୁରୁତ୍ୱ
· ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବର୍ଜ୍ୟ ପରିଚାଳନାର ସ୍ଥିତି ସମୀକ୍ଷା
· ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସେଲ୍ ଗଠନକୁ ଗୁରୁତ୍ୱ
· ବର୍ଜ୍ୟ ପରିଚାଳନା ପାଇଁ ଉପଯୁକ୍ତ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ
· ବୃହତ୍ ବର୍ଜ୍ୟ ଉତ୍ପାଦନକାରୀମାନଙ୍କୁ ନିୟମାନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୬ [ଆ.ଦୁ.ନି] :
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ “କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬”ର କାର୍ଯ୍ୟାନ୍ୱୟନ ନେଇ ଗଠିତ ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ଉପରେ ଏହି ନିୟମର ପ୍ରଭାବୀ କାର୍ଯ୍ୟାନ୍ୱୟନ ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ନିୟମରେ ଥିବା ବିଭିନ୍ନ ବ୍ୟବସ୍ଥା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ, ବିଭାଗୀୟ ଦାୟିତ୍ୱ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସପିସିବି) ପକ୍ଷରୁ ଆହୂତ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ଙ୍କ ସମେତ କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଓଏସପିସିବି ର ସଦସ୍ୟ ସଚିବ ଡଃ. ମନୋଜ ଭି. ନାୟାର ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ରେ ଥିବା ବିଭିନ୍ନ ଦିଗ ସଂପର୍କରେ ଉପରେ ଉପସ୍ଥାପନ କରିଥିଲେ । ବୈଠକରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ନିଷ୍କାସନ ସହିତ ଉତ୍ସସ୍ଥଳରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ଡିଜିଟାଲ୍ ତଦାରଖ ବ୍ୟବସ୍ଥା ଏବଂ ସମସ୍ତ ଅଂଶୀଦାରଙ୍କ ଉତ୍ତରଦାୟିତ୍ୱକୁ ପ୍ରାଧାନ୍ୟ ଦିଆଯାଇଛି । ବୈଠକରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବର୍ଜ୍ୟ ପରିଚାଳନାର ସ୍ଥିତି ସମୀକ୍ଷା କରାଯାଇଥିଲା । ରାଜ୍ୟରେ ସହରାଂଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା , ଏହି କ୍ଷେତ୍ରରେ ସଂଗ୍ରହ, ପୃଥକୀକରଣ ଓ ବୈଜ୍ଞାନିକ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଅବଶିଷ୍ଟ ବର୍ଜ୍ୟର ସୁରକ୍ଷିତ ନିଷ୍କାସନ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା । ମାନ୍ୟବର ସୁପ୍ରିମକୋର୍ଟଙ୍କ ବିଭିନ୍ନ ନିର୍ଦ୍ଦେଶର ଅନୁପାଳନ ନେଇ ଆଲୋଚନା କରି ଜିଲ୍ଲାପାଳମାନଙ୍କୁ ନିଜ ଜିଲ୍ଲାରେ ସଲିଡ୍ ୱେଷ୍ଟ ପରିଚାଳନା ବ୍ୟବସ୍ଥା, ସମନ୍ୱିତ ତଦାରଖ ଓ ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସେଲ୍ ଗଠନ, ବର୍ଜ୍ୟ ପରିଚାଳନା ପାଇଁ ଉପଯୁକ୍ତ ଜମି ଚିହ୍ନଟ, ସାନିଟାରୀ ଲ୍ୟାଣ୍ଡଫିଲ୍ ଓ ବର୍ଜ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା କାର୍ଯ୍ୟକାରୀ, ପୁରୁଣା ବର୍ଜ୍ୟ ଡମ୍ପସାଇଟ୍ର ବୈଜ୍ଞାନିକ ଉପଚାର ଏବଂ ବୃହତ୍ ବର୍ଜ୍ୟ ଉତ୍ପାଦନକାରୀମାନେ ନିୟମକୁ କଡ଼ାକଡି ଅନୁପାଳନ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ବର୍ଜ୍ୟ ପରିଚାଳନାକୁ ଅଧିକ ଫଳପ୍ରଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଦ୍ୟାଳୟ ପାଠ୍ୟକ୍ରମରେ ସଲିଡ୍ ୱେଷ୍ଟ ପରିଚାଳନାକୁ ସାମିଲ କରିବା ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବା ଦିଗରେ ସବିଶେଷ ଆଲୋଚନା ହୋଇଛି । ସ୍ଥାନୀୟ ବ୍ୟକ୍ତିବିଶେଷ, ଜନପ୍ରତିନିଧି, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସାଧାରଣ ନାଗରିକଙ୍କ ସହଭାଗିତାରେ ବ୍ୟାପକ ଜନସଚେତନତା ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିୟମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟ ଓ ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ନାଗରିକ, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସମସ୍ତ ଅଂଶୀଦାରଙ୍କ ସାମୂହିକ ଦାୟିତ୍ୱ ବୋଲି ପ୍ରକାଶ କରି ଶ୍ରୀମତୀ ଗର୍ଗ ବୈଠକରେ ଆଇନ୍ ର ଅନୁପାଳନ ନେଇ ସବୁ ବର୍ଗର ସହଯୋଗ କାମନା କରିଛନ୍ତି । ଓଏସପିସିବି ପକ୍ଷରୁ ନିର୍ଦ୍ଧାରିତ ସମୟସୀମା ଅନୁସାରେ ସଂପୃକ୍ତ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନେ ଆଇନର ଅନୁପାଳନ ସଂପର୍କିତ ସମସ୍ତ କାର୍ଯ୍ୟ ସାରିବାରୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
