ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୬ [ଆ.ଦୁ.ନି] :
*ଓଏଲଏମ ପଦକ୍ଷେପରେ ୨୬ ଲକ୍ଷରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି
*ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ ଗ୍ରାମୀଣ ପରିବାରର ଆୟ ବୃଦ୍ଧି ଓ ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ
ଭୁବନେଶ୍ୱର, ତା-୨୧.୧୦.୨୦୨୬ [ଆ.ଦୁ.ନି]: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ଜୀବିକା ମିଶନ (ଓଏଲଏମ) ର ୫ମ ପରିଚାଳନା କମିଟି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ ଗ୍ରାମୀଣ ପରିବାରର ଆୟ ବୃଦ୍ଧି ଓ ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ଅଧିକ ସୁଦୃଢ କରିବା ଉପରେ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଛନ୍ତି ।
ଏଥିସହ ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ଅଧିକ ପ୍ରଭାବୀ ଓ ଫଳପ୍ରଦ କାର୍ଯ୍ୟକାରିତା, ନୂତନ ଚିନ୍ତାଧାରାର ପ୍ରୟୋଗ ଏବଂ ନିରନ୍ତର ଉନ୍ନତି ଦିଗରେ ପ୍ରୟାସ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଯେପରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ( ଏସଏମଇ ) ଭାବେ ଉନ୍ନତ ପ୍ରଦର୍ଶନ କରିପାରିବେ, ସେଥିପାଇଁ ନିରନ୍ତର ପ୍ରୟାସ କରିବା ସହ ସଫଳତା ହାସଲ କରିଥିବା ଏସଏଚଜି ଓ ଏସଏମଇ ଗୁଡ଼ିକୁ ଉଦାହରଣ ଭାବେ ନେଇ କରି ଅନ୍ୟ ଗୋଷ୍ଠୀମାନଙ୍କୁ ଉତ୍ସାହିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି ।
ଗ୍ରାମୋଦୟ ଏବଂ ପିଏମ୍-ଜନମନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ଅଞ୍ଚଳଗୁଡ଼ିକରେ ଜୀବିକା କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ସହ ପ୍ରତ୍ୟେକ ପଦକ୍ଷେପର ସଫଳତା ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ସମସ୍ତ ଜୀବିକା ନିର୍ବାହ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ନିୟମିତ ଅନୁଶୀଳନ କରିବାକୁ ପରାମର୍ଶ ଦେଇଥିଲେ ।
ବୈଠକର ପ୍ରାରମ୍ଭରେ ଗତ ୧୦ ସେପ୍ଟେମ୍ବର ୨୦୨୫ ରେ ଅନୁଷ୍ଠିତ ଓଏଲଏମ ର ୪ର୍ଥ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇଥିଲା । ତତ୍ ସହିତ ୬ଷ୍ଠ କାର୍ଯ୍ୟନିର୍ବାହୀ କମିଟିର ନିଷ୍ପତ୍ତି ସଂପର୍କରେ ପରିଚାଳନା କମିଟିକୁ ଅବଗତ କରାଯାଇଥିଲା । ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ (ଜିପିଏଲଏସଏସ) ର ପଂଜୀକରଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ, ସମନ୍ୱିତ ଶିଶୁ ବିକାଶ ଓ ସମାଜ କଲ୍ୟାଣ ବିଭାଗ ନିର୍ଦ୍ଦେଶିକା, ରାଜ୍ୟ ମିଶନ ନିର୍ଦ୍ଦେଶିକା ତଥା ସିଇଓ, ମିଶନ ଶକ୍ତି ବିଭାଗଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ ମିଶନ ନିର୍ଦ୍ଦେଶିକା ତଥା ସିଇଓ ମିଶନ ଶକ୍ତି ବିଭାଗ ଡଃ. ମୋନିକା ପ୍ରିୟଦର୍ଶିନୀ ଓଡ଼ିଶା ଜୀବିକା ଜୀବିକା ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନ କରିଥିଲେ । ଅଧିକରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀ ପରିବାରମାନଙ୍କୁ ଜୀବିକା ନିର୍ବାହ ମିଶନ(ଓଏଲଏମ) ଅନ୍ତର୍ଗତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା, କ୍ଲଷ୍ଟର ସ୍ତରୀୟ ଏବଂ ଗ୍ରାମପଂଚାୟତ ସ୍ତରୀୟ ଫୋରମ ଗଠନର ଅଗ୍ରଗତି, ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ରିଭଲଭିଂ ପାଣ୍ଠି ପ୍ରଦାନ, ବ୍ୟାଙ୍କ ଲିଙ୍କେଜ୍ ଧାର୍ଯ୍ୟ ଲକ୍ଷ୍ୟ ଓ ଋଣ ପ୍ରଦାନ ସଂପର୍କରେ ସମୀକ୍ଷା କରାଯାଇଥିଲା ।
ବିଭିନ୍ନ ଏସଏଚଜି ପରିବାର କିପରି ବିଭିନ୍ନ ଜୀବିକା ନିର୍ବାହ କାର୍ଯ୍ୟକଳାପରୁ ସହାୟତା ପାଇଛନ୍ତି ସେ ସଂପର୍କରେ ଆଲୋକପାତ କରାଯାଇଥିଲା । ୫୦ ଲକ୍ଷରୁ (୮୪%) ଊର୍ଦ୍ଧ୍ୱ ସଦସ୍ୟ ଫାର୍ମଭିତ୍ତିକ ଜୀବିକା ନିର୍ବାହ କାର୍ଯ୍ୟ କରୁଥିବା ବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ ସେବା ଭିତ୍ତିକ ଏବଂ ୨.୩୦ ଲକ୍ଷ ଅଣକୃଷି ଓ ଅନ୍ୟ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପୂର୍ବ ତୁଳନାରେ ଅଧିକ ପରିମାଣର ଋଣ ସହାୟତା ମିଳୁଛି । ୨୦୨୪ ମସିହାରେ ହାରାହାରି ଋଣ ପରିମାଣ ୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ ମସିହାରେ ଏହା ବୃଦ୍ଧି ପାଇ ୫.୯୬ ଲକ୍ଷ ଟଙ୍କା ହୋଇଛି । ୫.୯୫ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏସ୍.ଏଚ୍.ଜି ବ୍ୟାଙ୍କ ଲିଙ୍କେଜରେ ୭୫,୧୧୬ କୋଟି ଅର୍ଥ ଋଣ ସହାୟତା ପ୍ରଦାନ କରାଯାଇଛି । ଏହା ସେମାନଙ୍କ ଜୀବିକା କାର୍ଯ୍ୟକଳାପର ସମ୍ପ୍ରସାରଣ, ଉଦ୍ୟୋଗ ବିକାଶ ଓ ଆର୍ଥିକ ସଶକ୍ତୀକରଣରେ ସହାୟକ ହୋଇପାରୁଛି । ୧.୭୦ ଲକ୍ଷ ଉଦ୍ୟୋଗୀଙ୍କ ପାଇଁ ୭,୯୯୭ କୋଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଓଡ଼ିଶା ଜୀବିକା ମିଶନ ପଦକ୍ଷେପରେ ୨୬.୫୯ ଲକ୍ଷ ମହିଳା ଲକ୍ଷପତି ଦିଦି ଭାବରେ ମାନ୍ୟତା ପାଇଛନ୍ତି । ଲକ୍ଷପତି ଦିଦମାନେ କୃଷିଭିତ୍ତିକ, ପ୍ରାଣୀ ପାଳନ,ଅଣ-କାଷ୍ଠ ବନଜାତ ଦ୍ରବ୍ୟ ଭିତ୍ତିକ ଉଦ୍ୟୋଗ ( ଏନଟିଏଫପି), ଜଳ କୃଷି, ଉତ୍ପାଦନ ଭିତ୍ତିକ ଉଦ୍ୟୋଗ, ବ୍ୟବସାୟିକ ଉଦ୍ୟୋଗ, ସେବା ଉଦ୍ୟୋଗ ଆଦି କାର୍ଯ୍ୟ କରୁଛନ୍ତି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ଅଦ୍ୟାବଧି ଅର୍ଥ ମଂଜୁର ଓ ବ୍ୟୟ ସମୀକ୍ଷା କରାଯାଇଥିଲା ।
ବୈଠକରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପଞ୍ଜୀକରଣ ଓ ଲକ୍ଷ୍ୟ ହାସଲର ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨୦୨୬-୨୭ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୩୭ ଲକ୍ଷ (ବାର୍ଷିକ)ଥିବା ବେଳେ ୯୬ ପ୍ରତିଶତ ସଦସ୍ୟା ପଂଜୀକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୪୭.୨୬ ଲକ୍ଷ (ବାର୍ଷିକ) ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୯୭ % ସଫଳତା ହାସଲ ହୋଇଛି ।
