ଭୁବନେଶ୍ୱର, ୦୫ ନଭେମ୍ବର ୨୦୨୬ [ଆ.ଦୁ.ନି] : ରାଜ୍ୟସ୍ତରୀୟ କାଜୁ ସମ୍ମିଳନୀ-୨୦୨୬ର ସଫଳ ଆୟୋଜନ ନିମନ୍ତେ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଆର୍.କେ. ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡ଼ିସେମ୍ବର 20 ତାରିଖରେ ଓୟୁଏଟି ପରିସରରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏହି ବୈଠକରେ ଓୟୁଏଟିର ଗବେଷଣା ନିର୍ଦ୍ଦେଶକ, ଅଲ୍ ଓଡ଼ିଶା କାଜୁ ପ୍ରୋସେସିଂ ଆସୋସିଏସନ୍ର ପ୍ରତିନିଧି , ସର୍ବଭାରତୀୟ କାଜୁ ଗବେଷଣା ପ୍ରକଳ୍ପ ଅଧିକାରୀ ଏବଂ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇଥିଲେ। ସମ୍ମିଳନୀର ସୁପରିକଳ୍ପିତ ଆୟୋଜନ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ କାର୍ଯ୍ୟକ୍ରମର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଓଡ଼ିଶାର କାଜୁ ଶିଳ୍ପର ସାମଗ୍ରିକ ବିକାଶ ନିମନ୍ତେ ଓୟୁଏଟି, କାଜୁ ପ୍ରକ୍ରିୟାକରଣ ଶିଳ୍ପ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କାଜୁ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି, ଉନ୍ନତ ବୈଜ୍ଞାନିକ ଚାଷ ପଦ୍ଧତିର ପ୍ରସାର, ଜଳବାୟୁ ସହନଶୀଳ ଉତ୍ପାଦନ ପ୍ରଯୁକ୍ତି, କାଜୁ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଏବଂ କ୍ଷୁଦ୍ର ଓ ଅଣୁ କାଜୁ ଭିତ୍ତିକ ଉଦ୍ୟୋଗର ପ୍ରୋତ୍ସାହନ ଆଦି ସମ୍ମିଳନୀର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ରହିବ ।
ସମ୍ମିଳନୀରେ ଗବେଷକ, କୃଷକ, ନୀତି ନିର୍ଦ୍ଧାରକ, ଉଦ୍ୟୋଗୀ ଏବଂ ଶିଳ୍ପ ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ କାଜୁ କ୍ଷେତ୍ରର ସମସ୍ୟା ଓ ସମ୍ଭାବନା ଉପରେ ଆଲୋଚନା କରିବାର ଆବଶ୍ୟକତା ଉପରେ ମତ ବିନିମୟ ହେବ ବୋଲି କୁଳପତି ସୂଚନା ଦେଇଛନ୍ତି । କାଜୁ ଚାଷର ଉନ୍ନତି, କୃଷକଙ୍କ ଆୟ ବୃଦ୍ଧି ଏବଂ କାଜୁ ଶିଳ୍ପର ସୁଦୃଢ଼ୀକରଣ ଦିଗରେ ବୈଜ୍ଞାନିକ ଗବେଷଣା, ନୂତନ ପ୍ରଯୁକ୍ତିର ପ୍ରୟୋଗ ଓ ଶିଳ୍ପ-ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟର ଗୁରୁତ୍ୱ ଉପରେ ଚାଷୀ ଓ ଗବେଷକଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।
ବୈଠକରେ ଗବେଷଣା ନିର୍ଦ୍ଦେଶକ ଓ ଅଲ୍ ଓଡ଼ିଶା କାଜୁ ପ୍ରୋସେସିଂ ଆସୋସିଏସନ୍ର ପ୍ରତିନିଧିମାନେ ସମ୍ମିଳନୀର ବୈଷୟିକ ଅଧିବେଶନ, ବିଭିନ୍ନ ଅଂଶୀଦାରଙ୍କ ଅଂଶଗ୍ରହଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ନିଜ ନିଜର ମତାମତ ଓ ପ୍ରସ୍ତାବ ରଖିଥିଲେ। ଓଡ଼ିଶା ରାଜ୍ୟ କାଜୁ ସମ୍ମିଳନୀ-୨୦୨୬କୁ ଏକ ସଫଳ ଓ ଫଳପ୍ରଦ ଆୟୋଜନରେ ପରିଣତ କରିବା ସହିତ ରାଜ୍ୟର କାଜୁ ଶିଳ୍ପର ଗବେଷଣା, ଉଦ୍ୟୋଗ, ପ୍ରକ୍ରିୟାକରଣ ଓ ସ୍ଥାୟୀ ବିକାଶକୁ ନୂତନ ଦିଗ ଦେବା ପାଇଁ ଏହା ସହାୟକ ହେବ ବୋଲି ଆଶା ରହିଛି ।
