- ୫୦୦ରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ସମାଗମ, ୧୪ ଜଣଙ୍କୁ ଚେକ୍ ଓ ମଞ୍ଜୁରୀପତ୍ର ପ୍ରଦାନ
ବରଗଡ଼, ୨୦ ନଭେମ୍ବର ୨୦୨୬ [ଆ.ଦୁ.ନି]: ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ ଲୋକଙ୍କୁ ଆର୍ଥିକ ବ୍ୟବସ୍ଥାର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସରକାରଙ୍କ ବିଭିନ୍ନ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନାର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବରଗଡ଼ ଶାଖା ପକ୍ଷରୁ ନଭେମ୍ବର ୨୦ ତାରିଖରେ ବରଗଡ଼ ଜିଲ୍ଲାର ବରାହଗୋଡ଼ାସ୍ଥିତ ପରରାପାଟ୍ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ FI Saturation Campaign (ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସନ୍ତୃପ୍ତି ଅଭିଯାନ) ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ୫୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଯୋଗଦେଇଥିବା ବେଳେ ୫୦ରୁ ଅଧିକ ହିତାଧିକାରୀ ବିଭିନ୍ନ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନାରେ ନାମ ପଞ୍ଜୀକରଣ କରିଥିଲେ। ଏଥିସହିତ ୧୪ ଜଣ ହିତାଧିକାରୀଙ୍କୁ ଚେକ୍ ଓ ଋଣ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ, ମୁମ୍ବାଇର ଜେନେରାଲ୍ ମ୍ୟାନେଜର (ଟ୍ରେଜେରୀ) ଶ୍ରୀ ପୁନୀତ ଦ୍ୱିବେଦୀ, ସମ୍ବଲପୁର ଜୋନ୍ର ଜୋନାଲ୍ ମ୍ୟାନେଜର ଶ୍ରୀ ପ୍ରଦୀପ ରଞ୍ଜନ ପଳ, ଡେପୁଟି ଜୋନାଲ୍ ମ୍ୟାନେଜର ଶ୍ରୀ ପ୍ରଦୀପ କୁମାର ଭୂୟାଁ, ବରଗଡ଼ ବିଡିଓ ଶ୍ରୀ ବର୍ସିୟସ୍ ଡୁଙ୍ଗଡୁଙ୍ଗ, FI ମ୍ୟାନେଜର ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ଜାମୁର୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ପଦ୍ମଲୋଚନ ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ପୂର୍ଣ୍ଣଚନ୍ଦ୍ର ମେହେର ଓ ରୀନା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଆର୍ଥିକ ସାକ୍ଷରତା, ବ୍ୟାଙ୍କିଙ୍ଗ୍ ସେବାର ସୁବିଧା ଏବଂ ସରକାରୀ ଆର୍ଥିକ ଯୋଜନାଗୁଡ଼ିକର ସଠିକ୍ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତିଙ୍କ ନିକଟରେ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବା ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଥିଲା। ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଦ୍ମପୁର (ବରଗଡ଼) ଶାଖାର ଶାଖା ପ୍ରବନ୍ଧକ ଶ୍ରୀ ଗଣେଶ ମେହେରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା। ଏଥିରେ ଶ୍ରୀ ଚନ୍ଦନ ମେହେର, ଶ୍ରୀ ଅନିଲ ମେହେର, ଶ୍ରୀ ଚକ୍ରଧର ମେହେରଙ୍କ ସମେତ ବରଗଡ଼, ଅତାବିରା, ସୋହେଲା ଓ ପଦ୍ମପୁର ଶାଖାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଜନସାଧାରଣଙ୍କ ବ୍ୟାପକ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣ ଏହି ଅଭିଯାନକୁ ସଫଳ କରିବା ସହ ଗ୍ରାମାଞ୍ଚଳରେ ଆର୍ଥିକ ସଚେତନତା ଓ ସମାବେଶୀ ବ୍ୟାଙ୍କିଙ୍ଗ୍ ସେବାର ପ୍ରସାର ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇପାରିଛି।
