*ଟ୍ରଫି ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଦଳକୁ ଅଭିନନ୍ଦନ ଜଣାଇଲେ
*ସଫଳତାର କାହାଣୀ ବାଣ୍ଟି ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଖେଳାଳିମାନଙ୍କୁ ଆହ୍ୱାନ, ପ୍ରତ୍ୟେକ ଖେଳାଳିଙ୍କୁ ବର୍ଷକୁ ତିନୋଟି ସ୍କୁଲ ପରିଦର୍ଶନ କରିବାକୁ ଅନୁରୋଧ
ନୂଆ ଦିଲ୍ଲୀ 6-11-25(ଆ.ଦୁ.ନିଉଜ)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କରିଥିଲେ। ଭାରତୀୟ ଦଳ ଗତ ୨ ନଭେମ୍ବର, ୨୦୨୫ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲରେ ବିଜୟୀ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ଏହି ଗୋଟିଏ ଦିନରେ ଉଭୟ ଦେବ ଦୀପାବଳି ଏବଂ ଗୁରୁ ପରବ ଉଭୟ ପାଳନ କରାଯାଉଛି। ସେ ଉପସ୍ଥିତ ସମସ୍ତଙ୍କୁ ତାଙ୍କର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ଦଳର ପ୍ରଶିକ୍ଷକ ଶ୍ରୀ ଅମୋଲ ମଜୁମଦାର କହିଛନ୍ତି ଯେ ତାଙ୍କୁ ଭେଟିବା ଏକ ସମ୍ମାନ ଏବଂ ସୌଭାଗ୍ୟର କଥା। ଅଧିନାୟକ ହରମନପ୍ରୀତ କୌର ୨୦୧୭ରେ ଟ୍ରଫି ନ ଜିତି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅଭିଜ୍ଞତାକୁ ମନେ ପକାଇଥିଲେ ଏବଂ ବର୍ଷ ବର୍ଷ ଧରି ସେ ଯେଉଁ ଟ୍ରଫି ପାଇଁ ଏତେ ପରିଶ୍ରମ କରିଥିଲେ ତାହାକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଦେଇଥିବାରୁ ଗଭୀର ସମ୍ମାନିତ ଅନୁଭବ କରୁଥିବା କହିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କର ଖୁସିକୁ ଦ୍ୱିଗୁଣିତ କରିଛନ୍ତି ଏବଂ ଏହା ତାଙ୍କ ପାଇଁ ବହୁତ ଗର୍ବର ବିଷୟ। ସେ ଆହୁରି କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ଭବିଷ୍ୟତରେ ତାଙ୍କୁ ଆହୁରି ଭେଟିବା ଏବଂ ତାଙ୍କ ସହିତ ଦଳୀୟ ଫଟୋ ଉଠାଇବା।
ଶ୍ରୀ ମୋଦୀ ସେମାନଙ୍କ ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ ସେମାନେ ପ୍ରକୃତରେ କିଛି ମହାନ ସଫଳତା ହାସଲ କରିଛନ୍ତି। ସେ କହିଥିଲେ ଯେ ଭାରତରେ କ୍ରିକେଟ କେବଳ ଏକ ଖେଳ ନୁହେଁ, ବରଂ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଛି। ସେ କହିଛନ୍ତି ଯେ ଯେତେବେଳେ କ୍ରିକେଟରେ ସଫଳତା ଚାଲିଥାଏ, ଦେଶ ଉଲ୍ଲସିତ ଥାଏ, କିନ୍ତୁ ଏକ ଛୋଟ ବିଫଳତା ମଧ୍ୟ ସମଗ୍ର ଦେଶକୁ ଦୋହଲାଇ ଦିଏ। ଏହି ବିଶ୍ବକପରେ ଲଗାତାର ତିନୋଟି ମ୍ୟାଚ୍ ହାରିବା ପରେ ଦଳକୁ କିପରି ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡିଥିଲା, ସେ ବିଷୟରେ ସେ ଉଲ୍ଲେଖ କରିଥିଲେ ।
ପରେ ପ୍ରଧାନମନ୍ତ୍ରୀ ହରମନପ୍ରୀତ କୌରଙ୍କୁ ତାଙ୍କ ପକେଟରେ ରଖିଥିବା ବଲ୍ ବିଷୟରେ ପଚାରିଥିଲେ । କୌଣସି ପୂର୍ବ ଯୋଜନା ଅନୁସାରେ କିମ୍ବା କାହାର ନିର୍ଦ୍ଦେଶରେ ଏପରି କରିଥିଲେ ବୋଲି ପଚାରିଥିଲେ। ହରମନପ୍ରୀତ ଉତ୍ତର ଦେଇଥିଲେ ଯେ, ଏହା ଦୈବୀ ନିର୍ଦ୍ଦେଶ ପରି ଲାଗୁଥିଲା, କାରଣ ସେ ଆଶା କରି ନଥିଲେ ଯେ, ଶେଷ ବଲ୍ ଏବଂ କ୍ୟାଚ୍ ତାଙ୍କ ପାଖକୁ ଆସିବ। କିନ୍ତୁ ଯେତେବେଳେ ଏହା ହେଲା, ସେତେବେଳେ ଅନୁଭବ ହେଲା ଯେ ବର୍ଷ ବର୍ଷର କଠିନ ପରିଶ୍ରମ ଏବଂ ଅପେକ୍ଷାର ଫଳ ମିଳିଛି, ଏବଂ ସେ ଏହାକୁ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ ଯେ ବଲ୍ ଏବେ ବି ତାଙ୍କ ପକେଟ୍ରେ ଅଛି।
ଶ୍ରୀ ମୋଦୀ ଖେଳାଳିମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇ ଆନନ୍ଦ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପୂର୍ବରୁ ଭେଟିଥିଲେ, ଆଉ କେତେକଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ସେ କହିଥିଲେ ଯେ ସେ ସର୍ବଦା ସେମାନଙ୍କୁ ଭେଟିବାକୁ ଅପେକ୍ଷା କରନ୍ତି ଏବଂ ସେମାନଙ୍କ ସୁସ୍ଥତା କାମନା କରନ୍ତି।
ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଦେଶକୁ ଆଗକୁ ନେବା ପାଇଁ ଆମକୁ ଏକାଠି କାମ କରିବାକୁ ପଡିବ ଏବଂ ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।

