ଭୁବନେଶ୍ୱର, ତା ୧୧.୧୧.୨୫:-(ଆ.ଦୁ.ନିଉଜ) ନୂଆପଡା ଉପନିର୍ବାଚନ ଭୋଟ ଗ୍ରହଣରେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଂଘନକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଜେପି କିଭଳି ଉଲଂଘନ କରୁଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି ।
ଶ୍ରୀ ଜେନା କହିଲେ, ମୁଁ ଅନେକ ନିର୍ବାଚନ ଦେଖିଛି କିନ୍ତୁ ନୂଆପଡା ଭଳି ଟଙ୍କାବଣ୍ଟା ନିର୍ବାଚନ ଦେଖି ନଥିଲି । ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ସମ୍ପୂର୍ଣ ଉଲଂଘନ କରି ବିଜେପି ଗାଁ ଗଣ୍ଡା, ସହର ସବୁଠି ଖୋଲାଖୋଲି ଟଙ୍କା ବାଣ୍ଟୁଛି । ଏ ବିଷୟକୁ ନେଇ ଅନେକ ଥର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ସ୍ୱଚ୍ଛ ଅବାଧ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି । ପୁଲିଙ୍ଗ ଅଫିସର ଭୋଟ ବେଳେ ସରକାରୀ ଦଳକୁ ସାହାଯ୍ୟ କରି ନିଲମ୍ବିତ ହେଉଛନ୍ତି । ଷ୍ଟ୍ରଙ୍ଗରୁମ ଯେଉଁଠି ଭୋଟ ସରିଲା ପରେ ଇଭିଏମ ମେସିନ ରଖାଯାଏ ସେଇଠି ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଅଛି ତ ? ପର୍ଯ୍ୟାପ୍ତ ସିସିଟିଭି ଖଞ୍ଜା ଯାଇଛି କି ବୋଲି ପ୍ରଶ୍ନ ପଚାରିଥିଲେ ।
ପୁଣି କହିଥିଲେ, ଦୂର ଦୁରାନ୍ତ ଅଞ୍ଚଳରୁ ଭୋଟ ବାକ୍ସ ଆସିବ ସେଥିପାଇଁ ନିର୍ବାଚନ ଅଧିକାରୀ କେତେ ସମୟସୀମା ଧାର୍ଯ୍ୟ କରିଛନ୍ତି ? ୫ ଟା ପରେ ଭୋଟ ଅଧିକ ପଡୁଛି କାହିଁକି ? ଭୋଟ ଦାନର ୨ ଦିନ ପୂର୍ବରୁ ପ୍ରବଳ ଟଙ୍କା ବଣ୍ଟନ ଶାସକ ଦଳ କରୁଛି ତାହା ମଧ୍ୟ ଖୋଲାଖୋଲି ହେଉଛି । ବିରୋଧୀ ଦଳଙ୍କ ଗାଡି ଚେକ ହେଉଛି କିନ୍ତୁ ଶାସକ ଦଳର ଟଙ୍କା ବୋହୁଥିବା ଗାଡିକୁ ଚେକ କରା ଯାଉନି । ଏପରି ପ୍ରତୀତ ହେଉଛି ଯେଭଳି ନିର୍ବାଚନ କମିଶନ ଆଚରଣ ବିଧି ଉଲଂଘନ ପାଇଁ ପ୍ରୋତ୍ସାହନ ଦେଉଛି ।
କିନ୍ତୁ ଯେତେ ବାଧାବିଘ୍ନ ଘଟିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜିତିବେ। ଭୋଟ ଜାଲିଆତି ଓ ଲୋକଙ୍କୁ ଟଙ୍କା ବଣ୍ଟନ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ଅଛି ତେଣୁ ଏସବୁ ଉପରେ ତୁରନ୍ତ ରୋକ ଲଗାଯାଇ ନିର୍ବାଚନ ଅଧିକାରୀ ନିଷ୍ପକ୍ଷ ଅବାଧ ନିର୍ବାଚନ ପରିଚାଳନା କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ଅଧିକାରୀଙ୍କୁ ଜଣାଇଥିଲେ ।
ତା ଛଡା ଶ୍ରୀ ଜେନା ଗଣମାଧ୍ୟମକୁ କହିଥିଲେ ଯେ, ଆପଣ ମାନେ ଗଣତନ୍ତ୍ରର ପ୍ରହରୀ ତେଣୁ ଆପଣଙ୍କ କ୍ୟାମେରା ଟିମଙ୍କୁ ସଜାଗ ହୋଇ ଆଦର୍ଶ ଆଚରଣ ବିଧି ଉଲଂଘନ ହେଲେ ଖବର ମାଧ୍ୟମରେ ନିର୍ବାଚନ ଅଧିକାରୀ ତଥା ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ଅନୁରୋଧ କରିଥିଲେ । ଯଦି ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ ହୁଏ ତେବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୧୫ ରୁ ୨୦ ହଜାର ଭୋଟରେ ବିଜୟ ଲାଭ କରିବେ ବୋଲି ଶ୍ରୀ ଜେନା ଦୃଢୋକ୍ରି ପ୍ରକାଶ କରିଥିଲେ ।ଏହି ସାମ୍ବାଦିକ ସମ୍ମୀଳନୀରେ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଉପସ୍ଥିତ ଥିଲେ।
*ନୂଆପଡାରେ ଭୟଙ୍କର ଭୋଟ ଚୋରୀ ହୋଇଛି : ଭକ୍ତ
*ଗମ୍ଭୀରତାର ସହ ପ୍ରତିକାର କରନ୍ତୁ ନହେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ l
ଭୁବନେଶ୍ୱର ତା ୧୧.୧୧.୨୫ (ଆ.ଦୁ.ନିଉଜ):- ଏକ ପ୍ରେସବାର୍ତ୍ତା ଓ ଅଡିଓ ଭିଡ଼ିଓ ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଗମ୍ଭୀର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଭୟଙ୍କର ଭାବେ ଭୋଟ ଚୋରୀ ଆରମ୍ଭ ହୋଇଯାଇଛି, ପୁଲିସ ବଳର ସମ୍ପୂର୍ଣ ଅପ ପ୍ରୟୋଗ କରା ଯାଇଛି। କୋମନାର ଜିତମିତ୍ର ହାଇସ୍କୁଲ ବୁଥରେ ଜଣେ ମହିଳାଙ୍କ ଭୋଟ ଅନ୍ୟ କିଏ ଦେଇଛି ତେଣୁ ଭୋଟ ପରିଚାଳନା ଅଧିକାରୀ ତାଙ୍କୁ ଭୋଟ ଦେବାକୁ ବାରଣ କଲେ । ସୁନାବେଢା ଜଙ୍ଗଲ ମଧ୍ୟରେ ଥିବା ଏକ ବୁଥକୁ ପୋଲିସ ଛାଉଣୀ ଘେରିକି ରଖିଛି ବିଜେପି। ଝଣ୍ଡା ଲଗାଯାଇ ଲୋକଙ୍କୁ ବୁହା ଯାଉଥିଲା ତାକୁ କଂଗ୍ରେସ ଏଜେଣ୍ଟ ବାରଣ କରିବାରୁ ପୋଲିସ ଆମେ ଯାହା କରୁଛୁ ଚୁପଚାପ ଦେଖ କିଛି ପ୍ରତିବାଦ କରନାହିଁ ବୋଲି ଧମକ ଦେଇଥିବା ଖବର ଆସିଛି । ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ଗୋଟିଏ ପ୍ଲାନିଂ ଅନ୍ତର୍ଗତ ପୋଲିସ ସେଠାରେ ଭୋଟିଙ୍ଗ କରୁଛି । ଖଡ଼ିଆଳର ଗୋଟିଏ ସ୍ଥାନରେ ବୁଥ ପରିସର ମଧ୍ୟରେ ନରେନ୍ଦ୍ର ମୋଦୀ, ମୋହନ ମାଝି ଏବଂ ଢୋଲକିଆଙ୍କ ଫଟୋ ଲଗା ଚିରକୁଟ ବଣ୍ଟନ କରା ଯାଉଥିଲା । ଭାଲୁକନା ଗ୍ରାମ ୨୫୯ ନମ୍ବର ବୁଥରେ ଜଣେ ଇଭିଏମରେ ହାତ ଚି଼ହ୍ନରେ ଟିପୁଥିବା ବେଳେ ବିଜେପି ଚି଼ହ୍ନରେ ଲାଇଟ ଜଳୁଛି । ଡ଼ୁମେରବାହାଲ ଗ୍ରାମ ବୁଥ ନମ୍ବର ୩୩୯ ରେ କଂଗ୍ରେସର ସ୍ଥାନୀୟ ନେତା ପାସା ମହାନନ୍ଦଙ୍କ ସ୍ତ୍ରୀ ଭୋଟ ଦେଇ ଗଲାବେଳକୁ ଦେଖିଲେ ଖଡ଼ିଆଳ ଅଞ୍ଚଳର ଜଣେ ବିଜେପି ନେତା ସେଠାରେ ଟଙ୍କା ବଣ୍ଟନ କରୁଥିଲେ । ଏ ବିଷୟରେ ଶ୍ରୀ ମହାନନ୍ଦ ସମ୍ପୃକ୍ତ ବିଜେପି ନେତାଙ୍କୁ ବିରୋଧ କରିବାରୁ ସେ ଓଲଟା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ସରକାରୀ ଦଳ ସମସ୍ତ ସରକାରୀ କଳର ଅପବ୍ୟବହାର କରୁଛନ୍ତି । ଶୁଣାଯାଉଛି, ଗୋଟିଏ ଟ୍ରକରେ ୧୦୦ ଗୋଟି ଇଭିଏମ ଆସିଛି ତାକୁ ବ୍ୟବହାର କରାଯାଇ ଭୋଟ ଚୋରୀ କରାଯିବ । ସରକାରୀ ଦଳ ଜିତିବା ପାଇଁ ସମସ୍ତ ପ୍ରକାର ଅନୈତିକ ବ୍ୟବସ୍ଥା କରିଛି ତେଣୁ ସେମାନେ କେତେ ସଂଖ୍ୟାରେ ନିର୍ବାଚନ ଜିତିବେ ଆଗୁଆ କହୁଛନ୍ତି।
ଏସବୁ ବିଷୟ ପ୍ରତି ପ୍ରଶାସନ କିମ୍ବା ନିର୍ବାଚନ ଅଧିକାରୀଙ୍କ ଧ୍ୟାନ ନାହିଁ ।ରାଜ୍ୟ ନିର୍ବାଚନ ଅଧିକାରୀ ଏସବୁ ବିଷୟକୁ ଗମ୍ଭୀରତାର ସହ ନେଇ ପ୍ରତିକାର କରନ୍ତୁ ନହେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।
