ଭୁବନେଶ୍ୱର 17-11-25 (ଆ.ଦୁ.ନିଉଜ) ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ଵାରା 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଓ ଗୃହତାଳିକା ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରାକ୍-ପରୀକ୍ଷଣ (Pre-Test), ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ଦ୍ଵାରା ରାଜ୍ୟ ସରକାରଙ୍କ ମିଳିତ ସମନ୍ଵୟରେ ରାଜ୍ୟର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲର 20ଟି ରାଜସ୍ୱ ଗ୍ରାମରେ ଓ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲର 44ଟି ରାଜସ୍ୱ ଗ୍ରାମରେ ଏବଂ ଭୂବନେଶ୍ଵର ମହାନଗର ନିଗମ ୱାର୍ଡ No.22 ଓ କଟକ ମହାନଗର ନିଗମ ୱାର୍ଡ No.17ରେ ନଭେମ୍ବର 10 ତାରିଖ ରୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।
ଏହି ସମୟ ଅବଧି ମଧ୍ୟରେ ଗଣନାକାରୀ ଆପଣଙ୍କ ଗୃହକୁ ପରିଦର୍ଶନ କରି ଗୃହରେ ନମ୍ବର ଦେବେ ଓ ଗୃହଗଣନା ତଥ୍ୟ ସଂଗ୍ରହ କରିବେ । 2027 ଜନଗଣନାର ବିଶେଷତ୍ଵ ହେଉଛି : ଡିଜିଟାଲ ତଥ୍ୟ ସଂଗ୍ରହ ଓ ସ୍ଵ-ଗଣନା (Self-Enumeration) ପୋର୍ଟାଲ୍ ର ବ୍ୟବହାର କରି ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବାର ପ୍ରାବଧାନ ବା ସୁବିଧା ସହିତ ଡିଜିଟାଲ ଲେଆଉଟ ମ୍ୟାପିଂ ଆପରେ ପ୍ରତ୍ୟେକ ଘରକୁ ଜିଓ ଟ୍ୟାଗ କରାଯିବ ଓ ଜନଗଣନା ତଥ୍ୟର ତୁରନ୍ତ ପ୍ରସାର କରାଯାଇ ପାରିବ ।
ଭାରତ ସରକାରଙ୍କ ମହା ରେଜିଷ୍ଟ୍ରାର ଓ ଜନଗଣନା ଆୟୁକ୍ତଙ୍କ ସୌଜନ୍ୟରୁ ଗଣନାକାରୀ ଜନସାଧାରଣଙ୍କ ଗୃହକୁ ପରିଦର୍ଶନ କରି – ଗୃହର ଅବସ୍ଥା, ଗୃହରେ ଥିବା ସୁବିଧା ସୁଯୋଗ, ପରିବାର ଦ୍ଵାରା ବ୍ୟବହୃତ ଉପକରଣ ଇତ୍ୟାଦିର ତଥ୍ୟ ସଂଗ୍ରହ କରିବେ । ତେଣୁ, ଏହି କାର୍ଯକ୍ରମରେ ସ୍ଥାନୀୟ ପ୍ରଶାସନ ଓ କର୍ତ୍ତବ୍ୟରତ ଜନଗଣନା ଅଧିକାରୀଙ୍କୁ ସହଯୋଗ ପ୍ରଦାନ କରିବା ସହ ଯେଉଁ ଅଞ୍ଚଳଗୁଡିକରେ ପ୍ରାକ୍-ପରୀକ୍ଷଣ (Pre-Test) କାର୍ଯ୍ୟକ୍ରମ ରହିଛି ସେହି ଅଞ୍ଚଳର ଜନସାଧାରଣଙ୍କୁ ସହଯୋଗ ନିମନ୍ତେ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ନିବେଦନ କରାଯାଉଛି ।
