ଭୁବନେଶ୍ୱର : (ଆ.ଦୁ.ନିଉଜ) ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଖଜୁରିଆ ଶାଖାଠାରେଏକ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସାଚୁରେସନ ଡ୍ରାଇଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ସମାଜର ଅବହେଳିତ ବର୍ଗକୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବା ସହିତ ଯୋଡ଼ିବା, ଆର୍ଥିକ ସଚେତନତା ବୃଦ୍ଧି କରିବା ଏବଂ ଡିଜିଟାଲ ପେମେଣ୍ଟ ସମାଧାନକୁ ପ୍ରୋତ୍ସାହିତ କରିବା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁମ୍ବାଇ କେନ୍ଦ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଜିକେ ସୁଧାକର ରାଓ, ଭୁବନେଶ୍ଵର ଅଞ୍ଚଳର ଅଞ୍ଚଳ ମୁଖ୍ୟ ହରେକୃଷ୍ଣ ଦାସ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ମିତ୍ରଙ୍କ ସମେତ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ପେନ୍ସନ୍ ଯୋଜନା,ପିଏମ୍ ସ୍ଵନିଧୂ ଯୋଜନା ଓ ଆକାଉଣ୍ଟଗୁଡିକର ରିକେୱାଇସି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉପସ୍ଥିତ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଥିବା ସହ ଏହାକୁ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ବୋଲି କହିଥିଲେ । ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ସର୍ବଦା ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ ଏବଂ ପ୍ରତ୍ୟେକ ନାଗରିକଙ୍କୁ ନିରାପଦ, ସୁଗମ ଓ ସ୍ଵଚ୍ଛ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ନିମନ୍ତେ ନିରନ୍ତର ପ୍ରୟାସରତ ରହିଛି।

,
