ପୁରୀ :11.12.2025 (ଆ.ଦୁ.ନିଉଜ) ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଭୁବନେଶ୍ଵର ସର୍କଲ ତତ୍ତ୍ୱାବଧାନରେ ଏବଂ ବିରନରସିଂହପୁର ଶାଖାର ସମନ୍ବୟରେ ପ୍ରତାପ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତରେ ଏକ ମେଗା କୃଷି ଆଉଟ୍ରିଚ୍ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।
ପିଏନ୍ବିର ଏହି ପ୍ୟାନ୍ ଇଣ୍ଡିଆ ଅଭିଯାନ କୃଷି ବିକାଶ, ଏସ୍ଏଚ୍ଜି ସଶକ୍ତିକରଣ ଏବଂ ଭାରତ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାକୁ ଗ୍ରାମୀଣ ଅଞ୍ଚଳରେ ପ୍ରଚାର କରିବାକୁ ଲକ୍ଷ୍ୟ କରେ। କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ, ଗ୍ରାମୀଣ ଉଦ୍ୟମ ବିକାଶ ଏବଂ ବ୍ୟାଙ୍କି ସେବାକୁ ଅଧିକ ସୁଗମ କରିବା ପାଇଁ କେସିସ (KCC), ଆଗ୍ରି ଟର୍ମ ଲୋନ୍, ଡେୟାରି-ପୋଲଟ୍ରି, ଏସ୍ଏଚ୍ଜି ଫାଇନାନ୍ସ ଏବଂ ପିଏମ୍ଜେଜେବିଓ୍ୱାଇ(PM.JJBY), ପିଏମ୍ଏସ୍ବିୱାଇ(PMSBY), ଏପିୱାଇ(APY) ପରି ସାମାଜିକ ସୁରକ୍ଷା ଯୋଜନା ବିଷୟରେ ବିସ୍ତୃତ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭ ପିଏନ୍ବି ଭୁବନେଶ୍ଵର ସର୍କଲ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଦ୍ୱାରା କରାଯାଇଥିଲା । ସେ କୃଷିକୁ ଦେଶର ଅର୍ଥନୀତିର ମୂଳ ଅଂଶ ଭାବେ ବର୍ଣ୍ଣନା କରି ପିଏନବିର ଦୀର୍ଘକାଳୀନ ଅଙ୍ଗୀକାର ଉପରେ ଆଲୋକପାତ କରିଥିଲେ । ଶାଖା ପ୍ରବନ୍ଧକ ସ୍ଵାଗତ କୁମାର କାନୁନଗୋ ସଭାର ଅଧ୍ଯକ୍ଷତା କରିଥିଲେ । ମୁଖ୍ୟ ପ୍ରବନ୍ଧକ ସଞ୍ଜୟ କୁମାର ପଣ୍ଡା କୃଷି ଆଉଟ୍ରିଚ୍ ପ୍ରୋଗ୍ରାମର ଗୁରୁତ୍ଵ ଓ ଏହାର ଗ୍ରାମୀଣ ଅର୍ଥନୀତି ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ପ୍ରବନ୍ଧକ ସତ୍ୟଜିତ ମହାନ୍ତି ରାଜ୍ୟ ଓ କେନ୍ଦ୍ର ପୃଷ୍ଠପୋଷିତ ବିଭିନ୍ନ କୃଷି ଯୋଜନା, ସବସିଡି ଏବଂ କୃଷକମାନଙ୍କ ପାଇଁ ଉପଲବ୍ଧ ଲାଭ ବିଷୟରେ ବ୍ୟାପକ ବ୍ୟାଖ୍ୟା କରିଥିଲେ । ମ୍ୟାନେଜର (କୃଷି) ସୁନନ୍ଦା ଖୁଣ୍ଟିଆ ମଧ୍ଯ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଏସ୍ଏଚ୍ଜି ସଦସ୍ୟମାନଙ୍କ ଦ୍ୱାରା ନିଜସ୍ୱ ଉତ୍ପାଦର ପ୍ରଦର୍ଶନୀ ଷ୍ଟଲ ସଜାଯାଇଥୁଲା, ଯାହା ଏସ୍ଏଚ୍ଜି ଆର୍ଥିକ ସଶକ୍ତିକରଣ ପ୍ରତି ସଚେତନତା ବୃଦ୍ଧି କଲା । ଏହା ସହିତ ବିଭିନ୍ନ ବିକ୍ରେତା ଓ ସପ୍ଲାୟରମାନେ ଟ୍ରାକ୍ଟର, ପାଓ୍ବାର ଟିଲର, ପମ୍ପସେଟ୍, ହାର୍ଭେଷ୍ଟର ଇତ୍ୟାଦି ଆଧୁନିକ କୃଷି ଯନ୍ତ୍ରପାତିର ଡେମୋନଷ୍ଟ୍ରେସନ କରିଥିଲେ, ଯାହା କୃଷକମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ହୋଇଥିଲା।
ଏହି ପ୍ରୋଗ୍ରାମରେ ୩୦୦ ରୁ ଅଧିକ କୃଷକ, ଏସ୍ଏଚ୍ଜି ସଦସ୍ୟ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଚୟନିତ ଲାଭାନ୍ବିତମାନଙ୍କୁ ମଞ୍ଜୁରୀପତ୍ର ବଣ୍ଟନ କରାଯାଇଥିଲା। ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ବିଭିନ୍ନ ପିଏନ୍ବି ଶାଖା ମିଶି ୭୫ କୋଟି ଟଙ୍କାରୁ ଅଧିକ କୃଷି ଏବଂ ଏସ୍ଏଚ୍ଜି ଲିଡ୍ ସୃଷ୍ଟି କରିଥିଲା, ଯାହା ଏହି ଅଭିଯାନକୁ ଗୁରୁତ୍ୱପୂର୍ଣ ସଫଳତାର ମାନକରେ ପରିଣତ କରିଛି । ଏହି କାର୍ଯ୍ୟକ୍ରମ ପିଏନ୍ବି ପକ୍ଷରୁ ଗ୍ରାମୀଣ ସମାଜକୁ ସଶକ୍ତ କରିବା, କୃଷକମାନଙ୍କ ଆୟ ବୃଦ୍ଧି କରିବା, ଏସ୍ଏଚ୍ଜି ବିକାଶ ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ପ୍ରଚାର ପ୍ରତି ବ୍ୟାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
