କଟକ /ଭୁବନେଶ୍ୱର 18.12.2025 (ଆଦୁ.ନି) : ଦେଶର ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏକ ନୂତନ ଶାଖା କଟକ ଜିଲ୍ଲାର ନିଆଳିଠାରେ ଖୋଲାଯାଇଛି। ଏହି ନୂତନ ଶାଖା ସହିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର କଟକ ଜିଲ୍ଲାରେ ମୋଟ୍ ଶାଖା ସଂଖ୍ୟା ୬ରେ ପହଞ୍ଚୁଛି। ରାଜ୍ୟରେ ବ୍ୟାଙ୍କର ୬୦ଟି ଏବଂ ଦେଶରେ ୨୬୭୮ଟି ଶାଖା ରହିଛି ।
ବ୍ୟାଙ୍କ ରାଜ୍ୟରେ ଏହାର ଉପସ୍ଥିତି ଏବଂ ଗ୍ରାହକଙ୍କ ପହଞ୍ଚକୁ ଆହୁରି ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛି । ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଦିଲ୍ଲୀପ କୁମାର ରାଉଳ, ଉପ-ଅଞ୍ଚଳ ପ୍ରବନ୍ଧକ ସଞ୍ଜିବ କୁମାର ଦାଶ ଏବଂ ନିଆଳି ଶାଖାର ଶାଖା ପ୍ରବନ୍ଧକ ବିନୋଦିନୀ ବେହେରାଙ୍କ ଉପସ୍ଥିତିରେ ନିଆଳି ବିଡିଓ ଧର୍ମ ରଞ୍ଜନ ପଣ୍ଡା ଏହି ଶାଖାର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ନିଆଳିର ବିଡିଓ ଧର୍ମ ରଞ୍ଜନ ପଣ୍ଡା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯାଉଥିବା ସେବାର ପ୍ରଶଂସା କରିଥିଲେ ଏବଂ ନିଆଳିର ଜନସାଧାରଣ ଏହି ସୁବିଧାଗୁଡିକର ଲାଭ ଉଠାଇବା ପାଇଁ ଅଗ୍ରସର ହେବା ଉଚିତ୍ ବୋଲି ସେ କହିଥିଲେ।
ଓଡିଶାରେ ସାମ୍ପ୍ରତିକ ଶାଖା ସଂପ୍ରସାରଣ ବିଷୟରେ ମତ ପ୍ରକାଶ କରି ଅଞ୍ଚଳ ପ୍ରବନ୍ଧକ ଶ୍ରୀ ରାଉଳ କହିଛନ୍ତି ଯେ, ରାଜ୍ୟରେ ବ୍ୟବସାୟିକ ଅଭିବୃଦ୍ଧି ଏବଂ ଋଣନୈତିକ ପ୍ରାଧାନ୍ୟ ରଖୁଥିବା କଟକ ଜିଲ୍ଲାରେ ଆଉ ଏକ ଶାଖା ଖୋଲାଯାଇଥିବାରୁ ସେ ଅତ୍ୟନ୍ତ ଖୁସି । ଏହି ଶାଖା ଦ୍ରୁତ ବିସ୍ତାରିତ ନେତ୍ୱର୍କ ଓ ଅନ୍ୟାନ୍ୟ ଚ୍ୟାନେଲ ମାଧ୍ୟମରେ ଗ୍ରାହକମାନଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବ। ଏହା ଗ୍ରାହକ ସେବାକୁ ସୁଗମ ଓ ସମୟୋଚିତ ଋଣ ପ୍ରଦାନ କରିବା ସହ ସେହି ଅଞ୍ଚଳର ଖୁଚୁରା, କୃଷି ଏବଂ ଏସ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଟର୍ଉଆରାଉଣ୍ଡ୍ ସମୟକୁ ହ୍ରାସ କରିବ ଯାହା ଗ୍ରାହକ ସନ୍ତୁଷ୍ଟିକୁ ଆହୁରି ବୃଦ୍ଧି କରିପାରିବ।
