*କାଶୀ ତାମିଲ ସଙ୍ଗମମ୍ ୪.୦ ର ସମାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
*କାଶୀ ତାମିଲ ସଙ୍ଗମମ୍ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିଛି
*ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ କରିବା ହେଉଛି କାଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ
*ଚଳିତ ବର୍ଷର ବିଷୟବସ୍ତୁ ‘ତାମିଲ କର୍କଲମ୍’ ତାମିଲ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ଭାରତର ପ୍ରାଚୀନ ଜ୍ଞାନର ଦ୍ବାର ଖୋଲିଛି
*ଆମ ଗୌରବମୟ ସଭ୍ୟତାର ବାହକ ହେବାକୁ ଯୁବପିଢ଼ିଙ୍କୁ କଲେ ଆହ୍ୱାନ
*ତାମିଲନାଡୁ ସ୍ଥିତ ଡ. ଏପିଜେ ଅବଦୁଲ କଲାମ ମେମୋରିଆଲ ପରିଦର୍ଶନ କଲେ
ରାମେଶ୍ବରମ/ତାମିଲନାଡୁ, ଡିସେମ୍ବର ୩୦ – (ଆ.ଦୁ.ନି) ଭାଷାଗତ ବିବିଧତା ଜ୍ଞାନର ସେତୁ ସାଜିଲେ ଭାରତର ଭବିଷ୍ୟତ ଶକ୍ତିଶାଳୀ ହେବ ବୋଲି ମଙ୍ଗଳବାର ତାମିଲନାଡୁର ରାମେଶ୍ବରମ ଠାରେ ‘କାଶୀ ତାମିଲ ସଙ୍ଗମମ୍ ୪.୦’ର ସମାପନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାରୁ ଆରମ୍ଭ ହୋଇଥିବା ଏହି ସଙ୍ଗମମ୍ ଆମର ବୌଦ୍ଧିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସେଲିବ୍ରେଟ୍ କରିବା ସହ ଜାତୀୟ ସଂହତିକୁ ଅଧିକ ସୁଦୃଢ଼ କରିଛି । କାଶୀର ଗଙ୍ଗା କୂଳରୁ ଆରମ୍ଭ ହୋଇ ରାମେଶ୍ବରମର ସମୁଦ୍ର କୂଳରେ ପହଞ୍ଚିଥିବା ଏହି କାର୍ଯ୍ୟକ୍ରମ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ନୂତନ ଶକ୍ତି ପ୍ରଦାନ କରିବା ସହ ଉଭୟ ଅଞ୍ଚଳର ଶତାବ୍ଦୀ ପୁରୁଣା ସମ୍ପର୍କକୁ ପୁନର୍ଜୀବିତ କରିଛି ।
ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କୁ ସାମିଲ କରିବା ଏବଂ ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ କରିବା ହେଉଛି କାଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ । ଯେତେବେଳେ ଆମେ ବିବିଧତାକୁ ସମ୍ମାନ ଦେଉ ଏବଂ ଭାଷାଗତ ବୈଚିତ୍ରକୁ ଜ୍ଞାନର ସେତୁ ଭାବେ ଗ୍ରହଣ କରୁ, ସେତେବେଳେ ଭାରତର ଭବିଷ୍ୟତ ଆହୁରି ଶକ୍ତିଶାଳୀ ହୁଏ ବୋଲି ସେ କହିଛନ୍ତି ।
ତାମିଲ ସଭ୍ୟତା କେବଳ ଏକ ଆଞ୍ଚଳିକ ପରିଚୟ ନୁହେଁ, ବରଂ ଏହା ଭାରତର ସାଭ୍ୟତିକ ଯାତ୍ରାର ମୂଳଦୁଆ । ଚଳିତ ବର୍ଷର ବିଷୟବସ୍ତୁ ‘ତାମିଲ କର୍କଲମ୍’ କେବଳ ତାମିଲ ଶିକ୍ଷାକୁ ପ୍ରୋତ୍ସାହିତ କରୁନାହିଁ, ବରଂ ଭାରତର ପ୍ରାଚୀନ ଜ୍ଞାନର ଦ୍ବାର ଖୋଲିଛି । କାଶୀ ତାମିଲ ସଙ୍ଗମମ୍ ଆଗାମୀ ଦିନରେ ଭାରତର ଯୁବପିଢ଼ିଙ୍କୁ ଆମର ଗୌରବମୟ ସଭ୍ୟତାର ଗର୍ବିତ ବାହକ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ସେ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ତାମିଲନାଡୁ ସ୍ଥିତ ଡ. ଏପିଜେ ଅବଦୁଲ କଲାମ ମେମୋରିଆଲ ପରିଦର୍ଶନ କରିଥିଲେ ।
