- ସଚେତନତା, ସ୍ୱାସ୍ଥ୍ୟ ପରୀକ୍ଷା ଓ ସମୁଦାୟଭିତ୍ତିକ ପୋଷଣ କାର୍ଯ୍ୟକ୍ରମ ଜରିଆରେ ୩,୬୦୦ରୁ ଅଧିକ ଲୋକ ଉପକୃତ।
ଭୁବନେଶ୍ୱର, ୨୮ ସେପ୍ଟେମ୍ବର ୨୦୨୬ [ଆ.ଦୁ.ନି] : ସୁସ୍ଥ ପରିବାର, ସୁଦୃଢ଼ ସମୁଦାୟ ଏବଂ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ହେଉଛି ସୁଷମ ପୋଷଣ। ଏହି ଲକ୍ଷ୍ୟକୁ ଆଗରେ ରଖି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ା, ଲାଞ୍ଜିଗଡ଼, ବାଲ୍କୋ ଏବଂ ଏହାର ଖଣି ଅଞ୍ଚଳଗୁଡ଼ିକରେ ଜାତୀୟ ପୋଷଣ ମାସ ଅବସରରେ ବିଭିନ୍ନ ପୋଷଣକେନ୍ଦ୍ରିକ ସାମୁଦାୟିକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଏକ ମାସିଆ କାର୍ଯ୍ୟକ୍ରମରେ ୩,୬୦୦ରୁ ଅଧିକ ଲୋକ ଉପକୃତ ହୋଇଥିବାବେଳେ ମହିଳା, ଶିଶୁ ଓ ଛାତ୍ରଛାତ୍ରୀଙ୍କୁ ପୋଷଣ, ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କିତ ବିଭିନ୍ନ ପଦକ୍ଷେପରେ ସାମିଲ କରାଯାଇଛି। ଏହି ପଦକ୍ଷେପଗୁଡ଼ିକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଖାଦ୍ୟରେ ବିବିଧତା ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସଚେତନତା ବଢ଼ାଇବା ସହ ଦୈନନ୍ଦିନ ଜୀବନରେ ସୁସ୍ଥ ଅଭ୍ୟାସ ଆପଣାଇବା ପାଇଁ ସମୁଦାୟଗୁଡ଼ିକୁ ଉତ୍ସାହିତ କରିଛି।
ଭାରତ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ପୋଷଣ ମାସର ଲକ୍ଷ୍ୟ ହେଉଛି ବିଶେଷକରି ମହିଳା ଓ ଶିଶୁଙ୍କ ମଧ୍ୟରେ ସଚେତନତା ଓ ଆଚରଣଗତ ପରିବର୍ତ୍ତନ ଜରିଆରେ ପୋଷଣ ସ୍ଥିତିରେ ଉନ୍ନତି ଆଣିବା। ଏହି ଲକ୍ଷ୍ୟ ସହ ତାଳମିଳାଇ ବେଦାନ୍ତ ଆଲୁମିନିୟମ ଏହାର ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥ୍ୟସେବା, ପୋଷଣ, ଶିକ୍ଷା ଓ ମହିଳା ସଶକ୍ତୀକରଣକୁ ଆଗେଇ ନେଉଛି। ଏହାର ପ୍ରମୁଖ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ‘ନନ୍ଦ ଘର’ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ପୋଷଣ, ସ୍ୱାସ୍ଥ୍ୟସେବା, ଶୈଶବକାଳୀନ ଶିକ୍ଷା ଓ ମହିଳା ସଶକ୍ତୀକରଣର ଆଧୁନିକ କେନ୍ଦ୍ରରେ ପରିଣତ କରୁଛି। ବର୍ତ୍ତମାନ ୧୬ଟି ରାଜ୍ୟରେ ୧୩,୦୦୦ରୁ ଅଧିକ ‘ନନ୍ଦ ଘର’ ମାଧ୍ୟମରେ ୪ ଲକ୍ଷରୁ ଅଧିକ ଶିଶୁ ଓ ୩ ଲକ୍ଷ ମହିଳା ବିଭିନ୍ନ ସାମଗ୍ରିକ ବିକାଶମୂଳକ ପଦକ୍ଷେପରୁ ଉପକୃତ ହେଉଛନ୍ତି।
ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ଏକ ଦେଶର ପ୍ରଗତିର ମୂଳଦୁଆ ହେଉଛି ଏହାର ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତା। ସୁସ୍ଥ ସମୁଦାୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଉତ୍ତମ ପୋଷଣ ମୌଳିକ ଆବଶ୍ୟକତା। ପୋଷଣ ମାସ ସଚେତନତା ବୃଦ୍ଧି, ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହନ ଏବଂ ସୁସ୍ଥତାକୁ ନେଇ ସମୁଦାୟ ସହ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ଏହି ପଦକ୍ଷେପଗୁଡ଼ିକ ଜରିଆରେ ମା’, ଶିଶୁ ଓ ସେମାନଙ୍କ ପରିବାରକୁ ସହଯୋଗ କରିବା ସହ ଏକ ସୁସ୍ଥ ଓ ଅଧିକ ସୁଦୃଢ଼ ଭବିଷ୍ୟତ ଗଠନ ପାଇଁ ସେମାନଙ୍କୁ ସଶକ୍ତ କରିବା ନିମନ୍ତେ ଆମେ ପ୍ରତିବଦ୍ଧ।”
ବେଦାନ୍ତ ଆଲୁମିନିୟମର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପୋଷଣ ମାସ ଅବସରରେ ସମୁଦାୟଗୁଡ଼ିକୁ ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣର ଏକ ସାଧାରଣ ଲକ୍ଷ୍ୟ ନେଇ ଏକତ୍ରିତ କରାଯାଇଥିଲା। ଝାରସୁଗୁଡ଼ାର ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ ବାହିନୀର ‘ନନ୍ଦ ଘର’ରେ ମା’ମାନେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନାମୂଳକ ଅଧିବେଶନରେ ଯୋଗଦେଇ ମାତୃ ପୋଷଣ, ଶିଶୁ ସ୍ୱାସ୍ଥ୍ୟ, ପରିଚ୍ଛନ୍ନତା ଓ ସୁସ୍ଥ ଖାଦ୍ୟ ପ୍ରଦାନ ପ୍ରଣାଳୀ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ହାସଲ କରିଥିଲେ। ଏହା ଅଞ୍ଚଳରେ ବେଦାନ୍ତ ଆଲୁମିନିୟମର ବ୍ୟାପକ ସାମୁଦାୟିକ ପୋଷଣ ପଦକ୍ଷେପର ଅଂଶ ଥିଲା। ଏହି ଅଞ୍ଚଳର ୧୩୩ଟି ‘ନନ୍ଦ ଘର’ ମାଧ୍ୟମରେ ୨,୦୦୦ରୁ ଅଧିକ ମହିଳା ଉପକୃତ ହୋଇଛନ୍ତି। ଏହି ପଦକ୍ଷେପଗୁଡ଼ିକ ସୁସ୍ଥ ପରିବାର ଓ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦୈନନ୍ଦିନ ଜୀବନର ଛୋଟ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ନିଷ୍ପତ୍ତି ବିଷୟରେ ସଚେତନତା ବଢ଼ାଇଛି।
ଲାଞ୍ଜିଗଡ଼ରେ ସଚେତନତା ସହିତ ସୁସ୍ଥ ଓ ଆତ୍ମନିର୍ଭର ସମୁଦାୟ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ରକ୍ତହୀନତା ଚିହ୍ନଟ ଶିବିରରେ ୬୪୪ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୋଷଣଯୁକ୍ତ ରାଗି ଉତ୍ପାଦ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ସ୍ଥାନୀୟ ଭାବେ ଉପଲବ୍ଧ ମାଣ୍ଡିଆ ଭଳି ଶସ୍ୟର ବ୍ୟବହାର ମାଧ୍ୟମରେ ପୋଷଣରେ ଉନ୍ନତି ସହ ଆୟ ବୃଦ୍ଧିର ସମ୍ଭାବନା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଆୟୋଜିତ ପୋଷଣଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ପରିବାରଗୁଡ଼ିକୁ ସନ୍ତୁଳିତ ଖାଦ୍ୟ ସମ୍ପର୍କରେ ଅବଗତ କରାଇବା ସହ ଘରେ ସୁସ୍ଥ ଖାଦ୍ୟାଭ୍ୟାସ ଆପଣାଇବାକୁ ଉତ୍ସାହିତ କରିଥିଲା।
ବେଦାନ୍ତର ଖଣି ଅଞ୍ଚଳଗୁଡ଼ିକରେ ମଧ୍ୟ ଏହି ଅଭିଯାନ ଜାରି ରହିଥିଲା। ୧୩ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ୫୫୯ରୁ ଅଧିକ ଲୋକଙ୍କୁ ସାମିଲ କରାଯାଇ ପୋଷଣ ଓ ସୁସ୍ଥତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାଲ୍କୋରେ ଏହି ଆଲୋଚନା ଦୈନନ୍ଦିନ ଜୀବନର ସୁସ୍ଥ ଅଭ୍ୟାସ ସହ ଯୋଡ଼ାଯାଇଥିଲା। ‘ଆରୋଗ୍ୟ’ ଓ ‘ନନ୍ଦ ଘର’ ପ୍ରକଳ୍ପ ଅଧୀନରେ ୪୭୩ ଜଣ ମା’, ଶିଶୁ ଓ ସମୁଦାୟ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ଖାଦ୍ୟରେ ବିବିଧତା, ଶିଶୁଙ୍କୁ ସୁସ୍ଥ ଖାଦ୍ୟ ପ୍ରଦାନ ଅଭ୍ୟାସ ଏବଂ ସ୍ଥାନୀୟ ଭାବେ ଉପଲବ୍ଧ ଉପାଦାନରେ ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଯଦିଓ ଜାତୀୟ ପୋଷଣ ମାସ ଏକ ମାସ ଧରି ପାଳନ କରାଯାଏ, ଏହାର ପ୍ରଭାବ ତା’ଠାରୁ ବହୁ ଦୂର ପର୍ଯ୍ୟନ୍ତ ରହିଥାଏ। ପୋଷଣ, ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କରେ ପରିବାରଗୁଡ଼ିକୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରି ବେଦାନ୍ତ ଆଲୁମିନିୟମ ସୁଦୃଢ଼ ସାମୁଦାୟିକ ବିକାଶର ମୂଳଦୁଆକୁ ଆହୁରି ମଜବୁତ କରୁଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ମହିଳା ସଶକ୍ତୀକରଣ ଓ ସ୍ଥାୟୀ ଜୀବିକା ଭଳି କ୍ଷେତ୍ରରେ କମ୍ପାନୀର ବ୍ୟାପକ ପଦକ୍ଷେପ ଏହି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ କମ୍ପାନୀର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତl
