*ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା
ଭୁବନେଶ୍ୱର, ୫ ଜାନୁଆରୀ ୨୦୨୬ (ଆ.ଦୁ.ନି) ଲୋକସେବା ଭବନସ୍ଥିତ ବୈଠକ ଗୃହରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହ ଜାତୀୟ ଅନୁସୂଚିତ ଜନଜାତି କମିଶନ (ଏନସିଏସଟି) ଙ୍କ ସଦସ୍ୟା ଡଃ. ଆଶା ଲାକ୍ରାଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଶନର ସଦସ୍ୟା ଉପସ୍ଥିତ ରହି ଅନୁସୂଚିତ ଜନଜାତିଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ବି.ପରମେଶ୍ୱରନ ଏବଂ ଏହି ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଜନଜାତି ସମୁଦାୟଙ୍କ ନିମନ୍ତେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଛନ୍ତି ।
ବୈଠକରେ ବିଶେଷ କରି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି କମିଶନ ସଦସ୍ୟ । ଏଥିରେ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୁଣାତ୍ମକ ଆବାସିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବାଳିକା ହଷ୍ଟେଲରେ ମହିଳା ମାଟ୍ରନ, ପାଚେରୀ ନିର୍ମାଣ, ଶୌଚାଳୟ ନିର୍ମାଣ ଆଦିକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆଶ୍ରମ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ସେବାଶ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ଏଯାବତ୍ ବିଭାଗ ଅଧିନରେ ୧୭୬୫ ସ୍କୁଲ କାର୍ଯ୍ୟ କରୁଛି । ଏଥିସହ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାରରେ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ବିଭାଗୀୟ ସଚିବ ଅବଗତ କରାଇଛନ୍ତି । ସେ କହିଛନ୍ତି, ଅକ୍ଟୋବର ୨୦୨୫ ସୁଦ୍ଧା ୭.୩୨ ଲକ୍ଷ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ଆବେଦନ ଗ୍ରହଣ କରାଯାଇଥିବା ବେଳେ ୪.୬୪ ଲକ୍ଷ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି ।
ସେହିପରି ନାଗରିକ ଅଧିକାର ସୁରକ୍ଷା ଆଇନ, ୧୯୫୫ ଏବଂ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି । ଏଥିସହ ପେସା ଆଇନକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି । ପେସା ଆଇନ୍ କୁ କାର୍ଯ୍ୟକାରୀ କରିବାରେ ଜନଜାତି ଗୋଷ୍ଠୀଙ୍କୁ ସାମିଲ୍ କରିବା ନେଇ କମିଶନ ଗୁରୁତ୍ୱାରୋପ କରିଥିଲେ । ଏଥିସହ ପିଏମ-ଜନମନ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ପିଭିଟିଜି ଜୀବିକା ମିଶନ, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ।
ସମସ୍ତ ଆଲୋଚନା ପରେ କମିଶନର ମାନ୍ୟବର ସଦସ୍ୟା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ରଖାଯାଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର ସୁଫଳ ଯେପରି ତୃଣମୂଳସ୍ତରରେ ପହଞ୍ଚିବ ସେଥି ନିମନ୍ତେ କ୍ଷେତ୍ର ପରିଦର୍ଶନକୁ ଗୁରୁତ୍ୱ ଦେଇଥିଲେ । ଏଥିସହ ଜନଜାତିଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ବଜେଟ୍ ଅର୍ଥ ବୃଦ୍ଧି କରିବା ନେଇ ବିଭାଗର ଅନୁରୋଧକୁ ମଧ୍ୟ କମିଶନ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଜନଜାତି ବାଳିକାମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଓ ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ନିଯୁକ୍ତି ପ୍ରଦାନ ଉପରେ ଧ୍ୟାନ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।
