ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
- ପ୍ରସ୍ତାବିତ ସବୁ ନିର୍ମାଣ ପ୍ରକଳ୍ପର ନିର୍ମାଣ-ପୂର୍ବ କାର୍ଯ୍ୟକଳାପ ଏବଂ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ
- ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ଆଉଟର ରିଙ୍ଗ୍ରୋଡ୍ ନିର୍ମାଣ କରିବା ନେଇ ଯୋଜନା
- କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍ କରିବା ନେଇ ହେବ ସର୍ଭେ
- ସବୁ ରାଜ୍ୟ ରାଜପଥକୁ ୪ ଲେନ୍ କରିବା ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୦୯/୦୨/୨୦୨୬ (ଆ.ଦୁ.ନି) ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆମ କାର୍ଯ୍ୟର ଗତିକୁ ବଢ଼ାଇବାକୁ ପଡ଼ିବ । ଏଥି ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ହେଲେ ସବୁ ରାସ୍ତାଘାଟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପଡ଼ିବ । ଏଥି ଲାଗି ଆଧୁନିକ ସଫ୍ଟୱେର ଓ ଜ୍ଞାନକୌଶଳକୁ ଉପଯୋଗ କରି ନିଜର ଦକ୍ଷତାର ପରିଚୟ ଦେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଅପରାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ କେବଳ ବଡ଼ ବଡ଼ ସହରର ଉନ୍ନୟନ ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ହୋଇପାରିବ ନାହିଁ । ଏଥି ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତି ସହରକୁୁ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରିବାକୁ ପଡ଼ିବ । ବିଶେଷ କରି, ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ଆଉଟର ରିଙ୍ଗ୍ରୋଡ୍ ନିର୍ମାଣ କରିବା ନେଇ ଯୋଜନା ପ୍ରସ୍ତୁତ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ପଶ୍ଚିମ ଓଡ଼ିଶାରୁ ପୂର୍ବ ଓଡ଼ିଶାକୁ ଯୋଗାଯୋଗ ସୁଦୃଢ଼ିକରଣ ପାଇଁ କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।
ସେହିପରି ରାଜ୍ୟର ସବୁକୋଣକୁ ସଂଯୋଗ ହୋଇଥିବା ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍ କରିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହାର ସର୍ଭେ କାର୍ଯ୍ୟ ଆରମ୍ଭ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ୍ ସାହାଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଜୟଦେବ ବିହାର-ନନ୍ଦନକାନନ ରୋଡ୍ ଓ ଲେଫ୍ଟ ପାରାଲାଲ ରୋଡ୍, ପଥରଗାଡ଼ିଆ-ଦାରୁଠେଙ୍ଗ ରାସ୍ତା, ପ୍ରସ୍ତାବିତ କେଳୁଚରଣ-ଫୁଲନଖରା ରୋଡ୍, ପଳାଶୁଣି ଠାରୁ ଗ୍ୟାରେଜ୍ ଛକ, ଆଚାର୍ଯ୍ୟ ବିହାର-କଳିଙ୍ଗ ହସ୍ପିଟାଲ୍ ରୋଡ୍, କାଇମାଟିଆ ଛକରୁ ଗୋଠପାଟଣା ରାସ୍ତା, ଗୋହିରିଆରୁ ଛତାବର ଭାୟା-ମଦନପୁର, ଏମ୍ସ ରାସ୍ତା ଆଦିର ନିର୍ମାଣ, ପ୍ରଶସ୍ତିକରଣ ଏବଂ ଆବଶ୍ୟକ ସ୍ଥଳେ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା ।
ସେହିପରି ପ୍ରମୁଖ ଜାତୀୟ ରାଜପଥ ଯଥା କୋଣାର୍କ-ପୁରୀ-ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ, ପିପିଲି-କୋଣାର୍କ ରାସ୍ତାର ନୂଆ ଆଲାଇନ୍ମେଣ୍ଟ, କଟକ-କନ୍ଦରପୁର ଏବଂ କନ୍ଦରପୁର-ବାଲିକୁଦା, ଜୟପୁର ବାଇପାସ୍ ଓ ବଲାଙ୍ଗିର ବାଇପାସ୍ ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍) ଇଂ ଧ୍ୟାନଚାନ୍ଦ ନାୟକ, ଜାତୀୟ ରାଜପଥ ପ୍ରାଧିକରଣ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
