*ପରିସ୍ଥିତି ସମ୍ପର୍କରେ ଟ୍ରାକ୍ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ
୧୧ ମାର୍ଚ୍ଚ ୨୦୨୬ ଭୁବନେଶ୍ୱର [ଆ.ଦୁ.ନି] ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମଧ୍ୟ ପ୍ରାଚ୍ୟରୁ ପ୍ରବାସୀ ଓଡ଼ିଆଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିଶନର ଶ୍ରୀ ବିଶାଳ ଗଗନ, ଅତିରିକ୍ତ ପ୍ରମୁଖ ଆବାସିକ କମିଶନର ଶ୍ରୀମତୀ ସୁଚରିତା ଷଡ଼ଙ୍ଗୀ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ବେଳେ ଲୋକସେବା ଭବନରୁ ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ଓଡ଼ିଶା ପରିବାରର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ. ବିଜୟକେତନ ଉପାଧ୍ୟାୟ ଏବଂ ମଧ୍ୟ ପ୍ରାଚ୍ୟରୁ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବିଭାଗ ତରଫରୁ ନିୟୋଜିତ ନୋଡାଲ ଅଧିକାରୀ ଶ୍ରୀ ପ୍ରିତିଶ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ପ୍ରମୁଖ ଆବାସିକ କମିଶନର ଶ୍ରୀ ଗଗନ ବୈଠକରେ କହିଥିଲେ ଯେ, ମଧ୍ୟ ପ୍ରାଚ୍ୟରୁ ଆକାଶ ପଥରେ ବିମାନ ସେବା କ୍ଷେତ୍ରରେ ନିରାପତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ଏସବୁକୁ ଦୃଷ୍ଟିରେ ରଖି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଅନୁଷ୍ଠିତ ବୈଠକର ଆଲୋଚନା ଓ ନିଷ୍ପତ୍ତି ସଂପର୍କରେ ସେ ସୂଚନା ଦେଇ କହିଥିଲେ ଯେ, ସରକାରୀ ବିମାନ ସେବା ଅଧିକ ବଢାଇବା ପାଇଁ ବିମାନ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟରୁ ଗତ ମାର୍ଚ୍ଚ ୯ ତାରିଖ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ସ୍ୱତନ୍ତ୍ର ବେସାମରିକ ମାଧ୍ୟମରେ ପ୍ରାୟ ୬୫,୦୦୦ ପ୍ରବାସୀ ଭାରତୀୟ ସୁରକ୍ଷିତ ଭାବେ ଦେଶକୁ ଫେରିଆସିଛନ୍ତି । ଏଥିରେ ୩୫ ଜଣ ଓଡ଼ିଆ ପର୍ଯ୍ୟଟକ ଦୁବାଇରେ ଏୟାରସ୍ପେସ ବନ୍ଦ ଥିବାରୁ ଅଟକି ରହିଥିଲେ,୭ ମାର୍ଚ୍ଚରେ ୯ ଜଣ ପର୍ଯ୍ୟଟକ କୋଚି ବିମାନ ମାର୍ଗରେ ଫେରି ଭୁବନେଶ୍ୱର ବିମାନବନ୍ଦରକୁ ପହଞ୍ଚିଥିଲେ । ଅବଶିଷ୍ଟ ୨୪ ଜଣ ପର୍ଯ୍ୟଟକ ୮ ମାର୍ଚ୍ଚରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ମାର୍ଗରେ ଫେରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ଜଣାଯାଇଛି ।
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ. ଉପାଧ୍ୟାୟ ସୂଚନା ଦେଇ କହିଥିଲେ ଯେ, ମଧ୍ୟ ପ୍ରାଚ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପକ୍ଷରୁ ପ୍ରାୟ ୨୦୦ଟି ଫୋନ୍ କଲ୍ ଗ୍ରହଣ କରିଥିଲା । ପରେ ସେମାନଙ୍କୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ (ଏମଇଏ) ଦ୍ୱାରା ଖୋଲାଯାଇଥିବା ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମର ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର (୧୮୦୦-୧୧୮-୧୧୮-୭୯୭) ସହିତ ମଧ୍ୟ ପ୍ରାଚ୍ୟରେ ଥିବା ଭାରତୀୟ ଦୂତାବାସଙ୍କ ନମ୍ବର ସହିତ ଯୋଡ଼ାଯାଇଥିଲା । ଏହା ସହିତ ନିର୍ଦ୍ଦେଶାଳୟ ତରଫରୁ ଦୂରାଭାଷ ଯୋଗେ ଆସୁଥିବା କଲଗୁଡ଼ିକୁ ଦୁବାଇ, ଆବୁଧାବି ଓ ବାହାରିନରେ ରହୁଥିବା ଓଡିଆ ଅନୁଷ୍ଠାନମାନଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଗତ ୨ ମାର୍ଚ୍ଚ, ୨୦୨୬ ତାରିଖରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ଓଡିଶା ପରିବାର ନିର୍ଦ୍ଦେଶାଳୟ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଏସଡି ଶ୍ରୀ ପ୍ରିତିଶ ପଣ୍ଡାଙ୍କୁ ନୋଡାଲ ଅଫିସର (ପଏଣ୍ଟ ଅଫ କନ୍ଟାକ୍ଟ) ଭାବେ ନିଯୁକ୍ତ କରାଯାଇଥିଲା । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ମଧ୍ୟ ପ୍ରାଚ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କର ଉଦ୍ଧାର ଓ ସୁରକ୍ଷା ପାଇଁ ୩ ଜଣ ଯୋଗାଯୋଗ ଅଧିକାରୀ (କଣ୍ଟାକ୍ଟ ଅଫିସର) ଭାବେ ନିୟୋଜିତ କରାଯାଇଛି । ସେମାନେ ହେଲେ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ର ନିର୍ଦ୍ଦେଶକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡଃ. ବିଜୟକେତନ ଉପାଧ୍ୟାୟ ( ଦୂରଭାଷ ନମ୍ବର-୮୨୬୦୪୩୧୭୨୭), ଓଡ଼ିଶାର ନୂଆଦିଲ୍ଲୀ ସ୍ଥିତ ଅତିରିକ୍ତ ଆବାସିକ କମିଶନର ଶ୍ରୀମତୀ ସୁଚରିତା ଷଡ଼ଙ୍ଗୀ( ଦୂରଭାଷ ନମ୍ବର୯୮୧୮୮୪୮୭୮୭) ଏବଂ ପୂର୍ବରୁ ନିୟୋଜିତ ଥିବା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା (୯୫୮୩୩୨୧୯୬୪) । ଏଥି ସହିତ ପ୍ରମୁଖ ଆବାସିକ କମିଶନର କାର୍ଯ୍ୟାଳୟ,ନୂଆଦିଲ୍ଲୀକୁ ନୋଡାଲ କାର୍ଯ୍ୟାଳୟ ଭାବେ ନିୟୋଜତ କରାଯାଇଛି । ଉକ୍ତ କାର୍ଯ୍ୟାଳୟ ପ୍ରବାସୀ ଓଡିଆମାନଙ୍କର ଉଦ୍ଧାର ଓ ସୁରକ୍ଷା ସଂପର୍କିତ ତଥ୍ୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ ରଖି ଓଡ଼ିଶା ସରକାରଙ୍କୁ ନିୟମିତ ଅବଗତ କରାଇବେ । ଭାରତ ସରକାରଙ୍କ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା( ପ୍ରୋଟେକ୍ଟର ଅଫ ଏମିଗ୍ରାଣ୍ଟସ୍ ), ପ୍ରବାସରେ କାର୍ଯ୍ୟ କରୁଥିବା ଓଡ଼ିଆ ଲୋକମାନଙ୍କ ସହିତ ସମ୍ପର୍କରେ ରହି ସେମାନଙ୍କର ଉଦ୍ଧାର ଓ ସୁରକ୍ଷା ଆଦି କାର୍ଯ୍ୟରେ ସହଯୋଗ କରିବେ ।
ପରିସ୍ଥିତିକୁ ନଜରରେ ରଖି ସଂପୃକ୍ତ ସମସ୍ତ ବିଭାଗ ଏବଂ ଅଧିକାରୀମାନଙ୍କୁ ସଜାଗ ରହି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ ୨ ତାରିଖରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଧ୍ୟପ୍ରାଚ୍ୟ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (OSD) ଶ୍ରୀ ପ୍ରୀତିଶ ପଣ୍ଡାଙ୍କୁ ଏହାର ନୋଡାଲ ଅଫିସର ନିଯୁକ୍ତ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପରିବାରକୁ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଓଡ଼ିଆ ଲୋକମାନଙ୍କ ପକ୍ଷରୁ ପ୍ରାୟ ୨୦୦ ଟେଲିଫୋନ ଆସିଛି। ଏବଂ ନିର୍ଦ୍ଦେଶାଳୟ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଫେରିବା ସମ୍ପର୍କରେ ସହାୟତା କରାଯାଉଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍ କରାଯାଇ ଟୋଲଫ୍ରି ନମ୍ୱର ୧୮୦୦-୧୧୮-୭୯୭ ଜାରି କରାଯାଇଛି।
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଦୁବାଇ, ଆବୁଧାବି ଓ ବାହାରିନରେ ଥିବା ଓଡ଼ିଆ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ସେଠାକାର ବାସ୍ତବ ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।ସୂଚନାଯୋଗ୍ୟ ଯେ, ଦୁବାଇରେ ୩୫ ଜଣ ଓଡ଼ିଆ ପର୍ଯ୍ୟଟକ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ କେରଳର କୋଚି ଦେଇ ମାର୍ଚ୍ଚ ୭ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି ।ବାକି ପର୍ଯ୍ୟଟକମାନେ ମୁମ୍ୱାଇ ଦେଇ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଜରିଆରେ ୮ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରାଚ୍ୟରୁ ବର୍ତ୍ତମାନ ସୁଦ୍ଧା ୬୫ ହଜାର ଭାରତୀୟ ସ୍ୱତନ୍ତ୍ର ଫ୍ଲାଇଟ ଜରିଆରେ ନିରାପଦରେ ଭାରତକୁ ଫେରି ଆସିଛନ୍ତି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ପାଇଁ ନିମ୍ନଲିଖିତମତେ ଯୋଗାଯୋଗ କରିବା ପାଇଁ ଟେଲିଫୋନ ନମ୍ୱର ଜାରି କରାଯାଇଛି।
କଣ୍ଟ୍ରୋଲ ରୁମ୍ ନମ୍ୱରକୁ ସକାଳ ୯ ଟା’ରୁ ରାତି ୯ ଟା ପର୍ଯ୍ୟନ୍ତ ଫୋନ୍ କରିହେବ। 1800118797 (Toll Free)
+91 11 2301 2113 , +91 11 2301 4104
+91 11 2301 7905
