ଭୁବନେଶ୍ୱର 10.4.2026 [ଆ.ଦୁ.ନି] ଆଜି, ଓଡ଼ିଶା କ୍ୟାବିନେଟ୍ ‘ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M) ନୀତି ୨୦୨୬କୁ ଅନୁମୋଦନ କରିଛନ୍ତି I ଏହା ଏକ ଯୁଗାନ୍ତକାରୀ ନିଷ୍ପଭି, ଯାହା ଗ୍ରାମାଞ୍ଚଳରେ ନିରନ୍ତର ଏବଂ ନିର୍ଭରଯୋଗ୍ୟ ପାନୀୟ ଜଳ ସେବା ପ୍ରଦାନ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।
ଗତ କିଛି ବର୍ଷ ମଧ୍ୟରେ, ଓଡ଼ିଶା ‘ଜଳ ଜୀବନ ମିଶନ’ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଦ୍ବାରା ଗ୍ରାମୀଣ ପରିବାରକୁ କାର୍ଯ୍ୟକ୍ଷମ ପାଇପ୍ ଜଳ ସଂଯୋଗ ଯୋଗାଇବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଆମେ ସମଗ୍ର ରାଜ୍ୟରେ ଏକକ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ, ସୌର-ଚଳିତ ଜଳଯୋଗାଣ ପ୍ରକଳ୍ପ ଏବଂ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଭଳି ବ୍ୟାପକ ଭିଭିଭୂମି ସୃଷ୍ଟି କରିଛୁ। ତେବେ, କେବଳ ଭିତ୍ତିଭୂମି ନିର୍ମାଣ ଶେଷ ପଦକ୍ଷେପ ନୁହେଁ । ଏହି ବ୍ୟବସ୍ଥାଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ, ଦକ୍ଷ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ରଖୁବା ସମାନ ଭାବେ ଗୁରୁତ୍ବପୂର୍ଣ୍ଣ।
ଏହି ନୂତନ ଅନୁମୋଦିତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M)ନୀତି ନିରବଚ୍ଛିନ୍ନ ଜଳ ଯୋଗାଣ, ପାନୀୟ ଜଳର ମାନ ନିର୍ଦ୍ଧାରଣ, ଭିତ୍ତିଭୂମିର ପ୍ରତିରୋଧାତ୍ମକ ରକ୍ଷଣାବେକ୍ଷଣ ଏବଂ ସ୍ବଚ୍ଛ ଆର୍ଥିକ ପରିଚାଳନା ପାଇଁ ଏକ ବିସ୍ତୃତ ରୂପରେଖ ପ୍ରଦାନ କରେ । ଏହି ନୀତିରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥା (RWSS), ଜିଲ୍ଲା କର୍ତ୍ତୃପକ୍ଷ, ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ୍ୟ ଜଳ ଓ ପରିମଳ କମିଟିଗୁଡ଼ିକର ଦାୟିତ୍ବକୁ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ ହୋଇଅଛି, ଯାହାଦ୍ବାରା ବିକେନ୍ଦ୍ରୀକୃତ ଶାସନ ଏବଂ ଜନସାଧାରଣଙ୍କର ସାମୁଦାୟିକ ମାଲିକାନା ସୁଦୃଢ଼ ହେବ।
ଏହି ନୀତିରେ ଗଠିତ ବ୍ୟବହାରକାରୀ ଶୁଳ୍କ ବ୍ୟବସ୍ଥା, ଗ୍ରାମ ସ୍ତରରେ ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ନିୟମିତ ଭାବେ ଜଳର ଗୁଣମାନ ପରୀକ୍ଷଣ, SCADA ଏବଂ loT ଆଧାରିତ ପ୍ରଣାଳୀ ମାଧ୍ୟମରେ ଡିଜିଟାଲ ପର୍ଯ୍ୟାଲୋଚନା ସହିତ ରିଅଲ୍-ଟାଇମ ନିୟନ୍ତ୍ରଣପାଇଁ ଏକ କେନ୍ଦ୍ରୀୟ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ସ୍ଥାପନାର ବ୍ୟବସ୍ଥା ରହିଛି। ସେହି ପରି, ଜଳଯୋଗାଣ ଜାରି ରଖୁବା ପାଇଁ ପ୍ରତିଷେଧକ ରକ୍ଷଣାବେକ୍ଷଣ ଏବଂ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବ୍ୟବସ୍ଥାମାନ ମଧ୍ୟ ଏଥିରେ ସାମିଲ ରହିଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ନୀତି ଗ୍ରାମୀଣ ପାନୀୟ ଜଳ ଭିତ୍ତିଭୂମିରେ ହୋଇଥିବା ବିପୁଳ ସରକାରୀ ପୁଞ୍ଜି ବିନିଯୋଗକୁ ସୁରକ୍ଷିତ ରଖେ । ଏହି ନୀତି ଦ୍ବାରା ମଧ୍ୟ ଓଡ଼ିଶାରେ “ହର ଘର ଜଳ” ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ଏହି ନୀତି ପ୍ରଣୟନ ହେତୁ ବର୍ତମାନ ରାଜ୍ୟ କୋଷାଗାର ଉପରେ କୌଣସି ଅକ ଆର୍ଥିକ ବୋଝ ସୃଷ୍ଟି ହେବ ନାହିଁ।
ଏହି ନିଷ୍ପତ୍ତି ସହିତ ଓଡ଼ିଶା ଗ୍ରାମୀଣ ଜଳ ଯୋଗାଣ ପରିଚାଳନା ପରବର୍ତ୍ତୀ ପର୍ଯ୍ୟାୟକୁ ଗତି କରୁଅଛି, ଯେଉଁଠାରେ ସ୍ଥାୟୀତ୍ବ, ଉତ୍ତରଦାୟିତ୍ବ ଏବଂ ସେବାର ଶ୍ରେଷ୍ଠତା ଉପରେ ଗୁରୁତ୍ବ ଦିଆଯାଇଛି। ଆମର ଉଦ୍ଦେଶ୍ୟ ସ୍ପଷ୍ଟ: ପ୍ରତ୍ୟେକ ଗ୍ରାମୀଣ ପରିବାର ନିକଟରେ କେବଳ ଟ୍ୟାପ୍ ସଂଯୋଗ ନୁହେଁ, ବରଂ ସେମାନେ ପ୍ରତିଦିନ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ପାଇବା ଉଚିତ ।
ବର୍ତ୍ତମାନ ସରକାରଙ୍କ କାର୍ଯ୍ୟ ଅବଧୂ ସମୟରେ ସାରା ରାଜ୍ୟରେ ଗ୍ରାମୀଣ ପାନୀୟ ଜଳ ଢାଞ୍ଚା ସୁଦୃଢ଼ ହେବାରେ
ଗୁରୁତ୍ବପୂର୍ଣ୍ଣ ପ୍ରଗତି ହାସଲ ହୋଇଛି | ଏହି ଅବଧୂରେ ସମୁଦାୟ ୨୭ଟି ମେଗା ପାଇ ଜଳ ଯୋଗାଣ ପ୍ରକଳ୍ପ ସଫଳତାର ସହ ସମାପ୍ତ କରାଯାଇଛି I ଏହାଛଡ଼ା, ୮୨ଟି ପ୍ରକଳ୍ପରେ ଜଳ ବିଶୋଧନାଗାର (WTP) ଓ ଜଳ ଉତ୍ସ
(Intake well) ଭଳି ମୁଖ୍ୟ ଢାଞ୍ଚା ସମାପ୍ତ ହୋଇଥିବାରୁ ଗ୍ରାମଗୁଡ଼ିକୁ ଜଳ ଯୋଗାଣ ଆରମ୍ଭ କରିବା ସମ୍ଭବ ହୋଇଛି।
ଏତଦ୍ ବ୍ୟତୀତ, ଏହି ସମୟରେ ୩,୦୪୬ଟି ଏକକ ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ ଏବଂ ୨,୭୦୨ଟି ସୌର ଶକ୍ତି ଆଧାରିତ ଜଳ ଯୋଗାଣ ପ୍ରକଳ୍ପ ସମାପ୍ତ କରାଯାଇଛି। ଏହି ସମସ୍ତ ପ୍ରୟାସର ଫଳସ୍ୱରୂପ, ଫଙ୍କସନାଲ୍ ହାଉସହୋଲ୍ଡ ଟ୍ୟାପ୍ କନେକ୍ସନ୍ (FHTC) ମାଧ୍ୟମରେ ପାନୀୟ ଜଳ ପାଉଥୁବା ଗ୍ରାମର ସଂଖ୍ୟା ୬,୦୩୨ ରୁ ବୃଦ୍ଧି ପାଇ ୨୧,୦୦୦ରୁ ଅଧିକ ହୋଇଛି I ଅତିରିକ୍ତ ଜଳ ଯୋଗାଣ ବ୍ୟବସ୍ଥା ବାବଦରେ ବର୍ତମାନ ସରକାରଙ୍କ ଦ୍ବାରା ୨୮,୭୪୧ଟି ନଳକୂପ (ଟ୍ୟୁବୱେଲ୍) ମଧ୍ୟ ସ୍ଥାପନ କରାଯାଇଛି।
ଯେଉଁ ସ୍ଥାନରେ କାର୍ଯ୍ୟର ପ୍ରଗତି ଅସନ୍ତୋଷଜନକ ରହିଛି, ସେଠାରେ ସରକାର ଠିକାଦାର ମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି I ମେଗା ଓ ଏକକ ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ ରେ ସମୁଦାୟ ପ୍ରାୟ ୧,୧୨୦ କୋଟି ଟଙ୍କା ଜରିମାନା ଆରୋପ କରାଯାଇଛି ଏବଂ ଆବଶ୍ୟକତା ଅନୁଯାୟୀ ଏଫ୍.ଆଇ.ଆର୍ ମଧ୍ଯ ଦାଖଲ କରାଯାଇଛି।
