ଭୁବନେଶ୍ୱର 16.04.2026 [ଆ.ଦୁ.ନି] ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ଵର ଅଞ୍ଚଳର ନୂତନ ଅଞ୍ଚଳ ମୁଖ୍ୟ ରୂପେ ମହାପ୍ରବନ୍ଧକ ଶରତ କୁମାର ପାଣିଗ୍ରାହୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଭୁବନେଶ୍ଵର ଜୋନ୍ର ପ୍ରଥମ ଓଡିଆ ଅଧିକାରୀ ରୂପେ ଏହି ପଦବୀରେ ଅବସ୍ଥାପିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ଵର ଅଞ୍ଚଳ କାର୍ଯ୍ୟାଳୟ (ବ୍ୟବସାୟ ବିକାଶ) ବିଭାଗରେ ଉପ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ପାଣିଗ୍ରାହୀ ୧୯୯୪ ମସିହାରେ ବ୍ୟାଙ୍କରେ ଯୋଗ ଦେଇ ୩୨ ବର୍ଷରୁ ଉର୍ଦ୍ଧ ସମୃଦ୍ଧ ଅଭିଜ୍ଞତା ହାସଲ କରିଛନ୍ତି । ତାଙ୍କ ଦୀର୍ଘ କ୍ୟାରିୟର ଅବଧିରେ ସେ ଓଡିଶା, ବିହାର, ଉତ୍ତର ପ୍ରଦେଶ, କର୍ଣାଟକ, ଗୁଜୁରାଟ ଓ ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟରେ କାର୍ଯ୍ୟ କରିଛନ୍ତି। ସେ ବ୍ୟାଙ୍କର ଦୁବାଇ ଓଭରସିଜ୍ ବ୍ରାଞ୍ଚ ମଧ୍ଯ ଗୁରୁତ୍ଵପୂର୍ଣ ଦାୟିତ୍ଵ ନିର୍ବାହ କରିଛନ୍ତି।
ଶାଖା ସ୍ତରରେ ୨୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟାପକ ଅଭିଜ୍ଞତା ସହିତ ସେ ପରିଚାଳନା ଏବଂ ଗ୍ରାହକ-କୈନ୍ଦ୍ରିକ ବ୍ୟାଙ୍କିଙ୍ଗ୍ରେ ଗଭୀର ଦକ୍ଷତା ହାସଲ କରିଛନ୍ତି । ସେ ଭୋପାଳ ଜୋନ୍ (ବ୍ୟବସାୟ ବିକାଶ) ବିଭାଗରେ ମଧ୍ଯ ଉପ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରିଥିଲେ ଏବଂ ବ୍ୟାଙ୍କର ବ୍ୟବସାୟିକ ଅଭିବୃଦ୍ଧିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।
ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଉଭୟ ଓଡିଶା ଏବଂ ଝାରଖଣ୍ଡ କାର୍ଯ୍ୟରତ ରହିଥିବା ବେଳେ ଏହି ଜୋନ୍ (ଅଧିନରେ ୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି ଯାହାର ଓଡିଶାରେ ୨୦୪ଟି ଏବଂ ଝାରଖଣ୍ଡରେ ୧୩୬ ଟି ଶାଖା ରହିଛି।
ଶ୍ରୀ ପାଣିଗ୍ରହୀ ତାଙ୍କର କାର୍ଯ୍ୟକାଳ ମଧ୍ଯରେ ଗ୍ରାହକ-କୈନ୍ଦ୍ରିକ ସେବା, ବ୍ୟବସାୟିକ ଅଭିବୃଦ୍ଧି, ଡିଜିଟାଲ ବ୍ୟାଙ୍କିଙ୍ଗ୍ର ପ୍ରସାର, ରିଟେଲ୍, କୃଷି ଓ ଏସ୍ଏସ୍ଏମ୍ଇ କ୍ଷେତ୍ରର ବିକାଶ ଏବଂ ଗ୍ରାହକ ସେବାକୁ ପ୍ରାଧାନ୍ୟ ଦେବେ ବୋଲି ଆଶା କରିଛନ୍ତି। ତାଙ୍କ ମାର୍ଗଦର୍ଶନରେ ବ୍ୟାଙ୍କର ଦ୍ରୁତ ଅଭିବୃଦ୍ଧି ହେବା ସହିତ ଉତ୍କୃଷ୍ଟ ବ୍ୟାଙ୍କିଙ୍ଗ୍ ସେବା ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତା ଆହୁରି ସୁଦୃଢ ହେବ ବୋଲି ଆଶା କରାଯାଉଛି।
