ଭୁବନେଶ୍ବର 22.04.2026 [ଆ.ଦୁ.ନି] : ପ୍ରଣବ କୁମାର ବିଶ୍ୱାସ ୟୁକୋ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟରେ ମହାପ୍ରବନ୍ଧକ ଓ ବ୍ୟବସାୟ ବିକାଶ ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନୂତନ ଭୂମିକାରେ ସେ ଓଡିଶା, ଛତିଶଗଡ ଓ ବିଜୟଓ୍ବାଡା ଅଞ୍ଚଳରେ ବ୍ୟବସାୟିକ ବିକାଶ ପାଇଁ କାର୍ଯ୍ୟ କରିବେ। ଏଥ୍ ସହିତ ଶ୍ରୀ ବିଶ୍ଵାସ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ( slbc), ଓଡିଶାର ସଂଯୋଜକ ଭାବେ ମଧ୍ୟ କାର୍ଯ୍ୟ କରିବେ। ସେ ରାଜ୍ୟରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟକଳାପରେ ସମନ୍ବୟ ଆଣିବା, ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେବା ଓ ଋଣ ଯୋଜନାକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।
ଏହା ପୂର୍ବରୁ ଶ୍ରୀ ବିଶ୍ୱାସ କୋଲକାତାସ୍ଥିତ ୟୁକୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ କୃଷି, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସରକାରୀ ବ୍ୟବସାୟ ଭଳି ଗୁରୁତ୍ଵପୂର୍ଣ ବିଭାଗଗୁଡିକରେ କାର୍ଯ୍ୟ ନିର୍ବାହ କରିଛନ୍ତି । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ଅଭିଜ୍ଞତା ସହିତ ସେ ତାଙ୍କର ନୂତନ ଦାୟିତ୍ଵରେ ବ୍ୟାପକ ପ୍ରଶାସନିକ ଦକ୍ଷତା ଆଣିଛନ୍ତି।
ସେ ୨୦୦୪ ମସିହାରେ ଅହମ୍ମଦାବାଦରେ କ୍ଷତି ଭୟ ପରିଚାଳନା ଅଧିକାରୀ ଭାବେ ନିଜ କ୍ୟାରିୟର ଆରମ୍ଭକରିଥିଲେ। ପରେ ସେ ସିଙ୍ଗାପୁର ମୁଖ୍ୟ ଶାଖାର ମୁଖ୍ୟ, ବାଲେଶ୍ଵର ଅଞ୍ଚଳ ଓ ଅହମ୍ମଦାବାଦ ଅଞ୍ଚଳର ର ଆଞ୍ଚଳିକ ପ୍ରବନ୍ଧକ ପରି ଅନେକ ପଦ ପଦବୀରେ କାର୍ଯ୍ୟ କରି ବ୍ୟାଙ୍କରେ ବ୍ୟବସାୟିକ ଅଭିବୃଦ୍ଧି ଆଣିଛନ୍ତି।
ସେ 318 ପଶ୍ଚିମବଙ୍ଗ ଗ୍ରାମୀଣ ବ୍ୟାଙ୍କର ଅଧ୍ଯକ୍ଷ ଭାବେ ମଧ୍ଯ କାର୍ଯ୍ୟ କରିଛନ୍ତି । ସେ କୃଷି କ୍ଷେତ୍ରରେ ଉନ୍ନତି, ସୌର ଯନ୍ତ୍ରପାତି ପାଇଁ ଆର୍ଥିକ ସହାୟତା ଏବଂ ବୃହତ ଋଣ ବିତରଣ ଭଳି କାର୍ଯ୍ୟ ଉପରେ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଛନ୍ତି ।
ତାଙ୍କର କାର୍ଯ୍ୟକାଳ ମଧ୍ଯରେ ସମାବେଶୀ ବ୍ୟାଙ୍କିଙ୍ଗ୍ ଓ ବ୍ୟବସାୟ ବିକାଶ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବା ସହିତ ଏସ୍ଏଲ୍ବିସି ମାଧ୍ଯମରେ ଓଡିଶାର ଆର୍ଥିକ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ବୟକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି।
