ଭୁବନେଶ୍ୱର ୧-୫-୨୦୨୬ [ଆ.ଦୁ.ନି] : ସ୍ଥାନୀୟ ସତ୍ୟନଗରସ୍ଥିତ ପ୍ରଫୁଲ୍ଲ କର ପାର୍କ ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ଖଦୀ ମଣ୍ଡଳର ସମ୍ପତ୍ତି ହରିଲୁଟ ହୋଇଥିବା ଏବଂ ଏଥିରେ ବୈଷ୍ଣବ ଚରଣ ଦାସ ନାମକ ବ୍ୟକ୍ତି ଓ ତାଙ୍କ ପରିବାର ସାମିଲ ଥିଲା ଅଭିଯୋଗ କରାଯାଇଛି । ବୈଷ୍ଣବ ଦାସ ଓ ତାଙ୍କ ପରିବାର ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଇ ସେମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ବୈଷ୍ଣବ ଚରଣ ଦାସ ନିଜକୁ ଉତ୍କଳ ଖଦୀ ମଣ୍ଡଳର ସଭାପତି ଓ ତାଙ୍କ ଜ୍ୱାଇଁ ରାୟ ସତ୍ୟକାମ ଦେବଜ୍ୟୋତି ସମ୍ପାଦକ ଏବଂ ଝିଅ ଗାୟତ୍ରୀ ଦାସ ସଦସ୍ୟ ଭାବେ ପରିଚୟ ଦେଇ ଉତ୍କଳ ଖଦୀ ମଣ୍ଡଳର ସମ୍ପତ୍ତି ହରିଲୁଟ କରୁଥିବା ଉତ୍କଳ ଖଦୀ ମଣ୍ଡଳର ସଭାପତି ଦେବେନ୍ଦ୍ର କୁମାର ପରିଡା, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ସାଉ, ଭୁବନେଶ୍ୱର ସର୍ବୋଦୟ ମଣ୍ଡଳର ସଭାପତି ପ୍ରଫେସର ଡକ୍ଟର ରୁଦ୍ର ପ୍ରତାପ ଦାସ ଏବଂ ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ ତଥା ଅନେକ ଗାନ୍ଧୀ ଓ ଖଦୀ ଆଦର୍ଶରେ ଅନୁପ୍ରାଣିତ ତଥା ସର୍ବୋଦୟ କର୍ମୀ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ୧୯୪୦ ମସିହାରେ “ଅଖିଳ ଭାରତୀୟ ଚରଖା ସଂଘ” ଗଢିିଥିଲେ । ସ୍ୱାଧୀନତା ପରେ “ଅଖିଳ ଭାରତୀୟ ଚରଖା ସଂଘ” ଓଡ଼ିଶାରେ “ଉତ୍କଳ ଖଦୀ ମଣ୍ଡଳ” ହେଲା ଏବଂ ଏହା ୧୮୬୦ ପଞ୍ଜିକରଣ ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଛି, ଯାହାର ପଞ୍ଜିକରଣ ନଂ ୧୦/୧୯୪୭-୪୮ । ବୃଦ୍ଧାବସ୍ଥା ଯୋଗୁଁ “ଉତ୍କଳ ଖଦୀ ମଣ୍ଡଳ”ର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟମାନେ ଜଣଙ୍କ ପରେ ଜଣଙ୍କର ଦେହାନ୍ତ ହୋଇଯିବା ପରେ କାର୍ଯ୍ୟନିର୍ବାହୀ କମିଟିର ଅବସାନ ଘଟିଥିଲେ ମଧ୍ୟ ଏକ ପୂର୍ଣ୍ଣ କାର୍ଯ୍ୟନିର୍ବାହୀ କମିଟିରେ ପୁନର୍ଗଠିତ ହୋଇନଥିଲା । ଏହାର ସୁଯୋଗ ନେଇ, କିଛି ଅସାମାଜିକ ତତ୍ତ୍ୱ ଆଇଜିଆରଙ୍କ ସମସ୍ତ ନିୟମ ଏବଂ ସର୍ତ୍ତାବଳୀ ଉଲ୍ଲଂଘନ କରି ବିଗତ କେତେବର୍ଷ ଧରି “ଉତ୍କଳ ଖଦୀ ମଣ୍ଡଳ”ରେ ଅନୁପ୍ରବେଶ କରିଛନ୍ତି ଏବଂ ପଦାଧିକାରୀ – କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଦାବି କରୁଛନ୍ତି।
କଟକ ସହରର ଗୁଣନିଧି ଭବନ, ଥୋରିଆସାହି, ଖୋର୍ଦ୍ଧା ଜିଲ୍ଲାର କେଦାରଲେନ୍, ପୁରୁଣା ଭୁବନେଶ୍ୱର, ରାୟଗଡ଼ା ଜିଲ୍ଲାର ଗୋପାଳାବାଡ଼ି ଏବଂ କଲ୍ୟାଣସିଂହପୁର, ଯାଜପୁର ଜିଲ୍ଲାର ରାମଚନ୍ଦ୍ରପୁର, ଅରୁଆଳ, ରଂପା, ଗମୁ ଏବଂ ବରୀ, ବରଗଡ଼ ଜିଲ୍ଲାର ପଦ୍ମପୁର, ସମ୍ବଲପୁର ଜିଲ୍ଲାର ଧନକୌଡା, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା “ଉତ୍କଳ ଖଦୀ ମଣ୍ଡଳ”ର ସଂପତ୍ତି ସେହି ଅସାମାଜିକ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ଅଛି । ଏ ବାବଦରେ ଅଭିଯୋଗ ପତ୍ର ପ୍ରଥମେ ଶ୍ରୀମତୀ ସୁମିତ୍ରା ଜେନାଙ୍କ ଠାରୁ ଉତ୍କଳ ସର୍ବୋଦୟ ମଣ୍ଡଳ ପାଇବା ପରେ ତା. ୭-୪-୨୦୧୯ ରିଖ ସାଧାରଣ ପରିଷଦ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ ହୋଇଥିଲା । ପରେ ଉତ୍କଳ ସର୍ବୋଦୟ ମଣ୍ଡଳ ଆଇଜିଆର, କଟକ ଅଫିସ୍ରେ ଅନୁଧ୍ୟାନକରି ଜାଣିବାକୁ ପାଇଲେ ଯେ ୨୦୦୦ ମସିହାରୁ ଉତ୍କଳ ଖଦୀ ମଣ୍ଡଳର କୌଣସି କମିଟି ନାହିଁ । କିମ୍ବା କୌଣସି କାଗଜପତ୍ର ମିଳୁ ନାହିଁଁ । ଉତ୍କଳ ସର୍ବୋଦୟ ମଣ୍ଡଳର କର୍ମୀ ବୈଷ୍ଣବ ଚରଣ ଦାସ ନିଜକୁ “ଉତ୍କଳ ଖଦୀ ମଣ୍ଡଳ”ର ସଭାପତି ଭାବେ ୨୦୦୨ ମସିହାରୁ ପ୍ରତିପାଦିତ କରି ଆସୁଛନ୍ତି ଏବଂ “ଉତ୍କଳ ଖଦୀ ମଣ୍ଡଳ” ନାମରେ ଦାନ ସୂତ୍ରରେ ମିଳିଥିବା ଜମିରୁ ଅନେକ ଜମିକୁ ନିଜ ଲୋକମାନଙ୍କ ମଧ୍ୟରେ ବିକ୍ରିକରି ବଜାର ମୂଲ୍ୟର ପ୍ରାପ୍ୟରୁ ପଂଜିକୃତ ସରକାରୀ କାଗଜପତ୍ର (ଦଲିଲ୍ରେ) କମ୍ ମୂଲ୍ୟ ପ୍ରତିପାଦିତ କରିଛନ୍ତି । ବଳକା ଟଙ୍କାକୁ ବୈଷ୍ଣବ ଚରଣ ଦାସ ଆତ୍ମସାତ୍ କରିଛନ୍ତି ।ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଥିବା ଉତ୍କଳ ଖଦୀ ମଣ୍ଡଳର ଜମିକୁ ଶିଶିର କୁମାର ମଲ୍ଲିକ ନାମକ ଜଣେ ବ୍ୟକ୍ତିକୁ ଚଞ୍ଚକତା କରି ବୈଷ୍ଣବ ଚରଣ ଦାସ ବିକ୍ରି କରିଛନ୍ତି । ଏହି ଜମିର ହାଲ ଖାତା ନଂ-୩୨ ପ୍ଲଟ ନଂ-୧୩୫୮ ଏବଂ ଏହା ଏ୦.୩୫ ଡିସିମିଲ । ଏହି ଜମିକୁ ଶିଶିର ମଲ୍ଲିକ ୩୫ ଲକ୍ଷ ଟଙ୍କାରେ କିଣି ଥିଲାବେଳେ ଉତ୍କଳ ଖଦୀ ମଣ୍ଡଳକୁ ମାତ୍ର ୧.୭୪ ଲକ୍ଷ ଟଙ୍କା ଆସିଥିବା ଜଣାପଡିଛି । ଅବଶିଷ୍ଟ ଟଙ୍କା ବୈଷ୍ଣବ ଚରଣ ଦାସ ଓ ତାଙ୍କ ପରିବାର ହଡପ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଉତ୍କଳ ଖଦୀ ମଣ୍ଡଳ ପକ୍ଷରୁ ଉତ୍କଳ ସର୍ବୋଦୟ ମଣ୍ଡଳ ବିରୋଧରେ କଟକ ସବ ଜର୍ଜ କୋର୍ଟ ଏକ ମାମଲା. ୫୧୪/୨୩ ବିଚାରଧୀନ ରହିଥିଲାବେଳେ ଏହି ମାମଲାରେ ସାକ୍ଷ ଦେଇ ବୈଷ୍ଣବ ଚରଣ ଦାସ ନିଜକୁ ଉତ୍କଳ ଖଦୀ ମଣ୍ଡଳର ସଭାପତି ଓ ସେ ଜମି ବିକ୍ରି କରିଥିବା ସ୍ୱୀକାର କରିଛନ୍ତି ।
“ଉତ୍କଳ ଖଦୀ ମଣ୍ଡଳ”ର ନୂତନ କାର୍ଯ୍ୟକାରୀ କମିଟିକୁ ଆଇଜିଆର ୮-୪-୨୦୨୬ରେ ସ୍ୱୀକୃତି ପ୍ରଦାନ କରିଛନ୍ତି । ନୂତନ କାର୍ଯ୍ୟକାରୀ କମିଟିରେ ଦେବେନ୍ଦ୍ର କୁମାର ପରିଡା ସଭାପତି ଓ ସମ୍ପାଦକ ଭାବେ କୁମାରୀ ସ୍ମିତାରାଣୀ ସାମଲଙ୍କୁ ମନୋନିତ କରାଯାଇଛି । ତା୨୭-୪-୨୦୨୬ରେ “ଉତ୍କଳ ଖଦୀ ମଣ୍ଡଳ”ର ନୂତନ କାର୍ଯ୍ୟକାରୀ କମିଟି ପକ୍ଷରୁ ଏକ ସ୍ମାରକପତ୍ର ଓଡ଼ିଶା ସରକାରଙ୍କ ପୁଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇ ଅସାମାଜିକଙ୍କ ହାତରୁ “ଉତ୍କଳ ଖଦୀ ମଣ୍ଡଳ”କୁ ଉଦ୍ଧାର କରି ଏକ ପବିତ୍ର ଅନୁଷ୍ଠାନ ଓ ତା’ର ସମ୍ପତ୍ତିକୁ ବଂଚାଇବାକୁ ନିବେଦନ କରାଯାଇଛି ।
