- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ମୁଁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି, ତାଙ୍କ ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି: ପ୍ରଧାନମନ୍ତ୍ରୀ
- ପାହାଡପୁର ଗ୍ରାମ ଏବେ ଏକ ସୌର ଗ୍ରାମ ଭାବରେ ଦ୍ରୁତ ଗତିରେ ବିକଶିତ ହେବ, ଅର୍ଥାତ୍ ଏଠାରେ ପ୍ରତ୍ୟେକ ଘରେ ସୌର ବିଦ୍ୟୁତ ସୁନିଶ୍ଚିତ ହେବ: ପ୍ରଧାନମନ୍ତ୍ରୀ
- କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣ ହେଉଛି ପୂର୍ବ ଭାରତର ବିକାଶ ମାଧ୍ୟମରେ ଭାରତର ବିକାଶ: ପ୍ରଧାନମନ୍ତ୍ରୀ
ପାହାଡପୁର | ଭୁବନେଶ୍ୱର |ନୂଆଦିଲ୍ଲୀ : 20 ଜୁନ 2026 [ଆ.ଦୁ.ନି] ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଗ୍ରାମ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପବିତ୍ର ସାନ୍ତାଳୀ ଜାହେର ଏବଂ ହୋ ଜାହେରରେ ପୂଜାର୍ଚ୍ଚନା କରିଛନ୍ତି । ସେମାନେ ମଧ୍ୟ ପାହାଡ଼ପୁରଠାରେ ଦକ୍ଷତା କେନ୍ଦ୍ର ଏବଂ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା- ‘ବିକାଶ ର ଧାରା, ଓଡ଼ିଶା ସାରା’। ଏହି କାର୍ଯ୍ୟକ୍ରମରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ରାଜ୍ୟ ବର୍ତ୍ତମାନ ଉତ୍ସବର ଭାବନାରେ ବୁଡ଼ି ରହିଛି । ସଦ୍ୟ ସମାପ୍ତ ରଜ ମହୋତ୍ସବ ଏବଂ ମୟୂରଭଞ୍ଜର ପ୍ରସିଦ୍ଧ ବାରିପଦା ରଥଯାତ୍ରା ସମେତ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଦୁଇ ବର୍ଷ ପୂରଣ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ l
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ ମୟୂରଭଞ୍ଜ ମାଟିରୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ତାଙ୍କର ଉତ୍ଥାନକୁ ଓଡ଼ିଶା ଏବଂ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ବର୍ଣ୍ଣନା କରିଥିଲେ। ଏହାସହିତ ଜନସେବା, ନମ୍ରତା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ସମର୍ପଣକୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ପାହାଡପୁର ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।ସେ କହିଥିଲେ, ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିଥିଲା। ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରେରଣାଦାୟକ ଉପସ୍ଥିତି ପିଲାମାନଙ୍କ ମଧ୍ୟରେ ବିଶେଷକରି ଆଦିବାସୀ, ଅନୁନ୍ନତ ଏବଂ ଅବହେଳିତ ସମ୍ପ୍ରଦାୟର ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ମହତ୍ତ୍ୱାକାଂକ୍ଷା ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ସେ କହିଥିଲେ, ପାହାଡପୁର ଗ୍ରାମକୁ ଏକ ସୌର ଗ୍ରାମ ଭାବରେ ବିକଶିତ କରାଯିବ। ଏହା ପ୍ରତ୍ୟେକ ଘରେ ସୌର ବିଦ୍ୟୁତ ଶକ୍ତି ଉତ୍ପାଦନ ସୁନିଶ୍ଚିତ କରିବ। କୋଣାର୍କରେ ଥିବା ଓଡ଼ିଶାର ଭବ୍ୟ କୋଣାର୍କ ମନ୍ଦିର ଭଳି ପାହାଡପୁର ଦେଶ ପାଇଁ ଏକ ମଡେଲ ସୌରଚାଳିତ ଗ୍ରାମ ଭାବରେ ଉଭା ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପ୍ରଗତି ଦେଖୁଛି । ସେ ‘‘ଭାରତର ବିକାଶ ପାଇଁ ପୂର୍ବ ଭାରତର ବିକାଶ’’ ନିମନ୍ତେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣକୁ ଦୋହରାଇଥିଲେ । “ପୂର୍ବୋଦୟ” ନୀତି ପୂର୍ବ ରାଜ୍ୟଗୁଡ଼ିକର ଅପାର ସମ୍ଭାବନାକୁ ଉନ୍ମୁକ୍ତ କରୁଥିବା ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ, କେନ୍ଦ୍ର ଏବଂ ରାଜ୍ୟ ସରକାର ରେଳ ଭିତ୍ତିଭୂମି, ରାଜପଥ, ଆର୍ଥିକ କରିଡର, ବନ୍ଦର, ଶକ୍ତି, ସେମିକଣ୍ଡକ୍ଟର, ସବୁଜ ଶକ୍ତି ଏବଂ ଆଧୁନିକ ଶିଳ୍ପରେ ରେକର୍ଡ ନିବେଶ ମାଧ୍ୟମରେ ଏହି ଶକ୍ତିଗୁଡ଼ିକୁ ପୂର୍ଣ୍ଣ ଉପଯୋଗ କରିବା ପାଇଁ ଏକାଠି କାମ କରୁଛନ୍ତି । ପ୍ରାୟ ୪୭,୦୦୦ କୋଟି ଟଙ୍କାର ରୂପାନ୍ତରକାରୀ ପ୍ରକଳ୍ପଗୁଡ଼ିକ ଓଡ଼ିଶାବାସୀଙ୍କ ପାଁଇ ରହିଛି
ଓଡ଼ିଶା ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇସାରିଛି । ୩.୫ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଅନେକ ବୃହତ ପ୍ରକଳ୍ପ ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି। ରାଜ୍ୟର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଇ ଏକ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ, ଶକ୍ତି କ୍ଷେତ୍ରରେ ୬,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଉଛି । ସମୃଦ୍ଧ ସହର ଯୋଜନା ମାଧ୍ୟମରେ ସହରାଞ୍ଚଳ ବିକାଶ ତ୍ୱରାନ୍ୱିତ ହେଉଛି l
ସେ କହିଥିଲେ, ଚାଷୀଙ୍କ ଠାରୁ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣାଯାଉଛି । ସୁଭଦ୍ରା ଯୋଜନା ଅଧୀନରେ ଏକ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ସହାୟତା ମିଳିଛି ।ସ୍ୱାସ୍ଥ୍ୟସେବା ସୁବିଧାକୁ ବିସ୍ତାର କରିବା ପାଇଁ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରାଯାଇଛି । ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ଦିଆଯାଉଛି ।
ଆଦିବାସୀ ଯୁବକ ଯୁବତୀଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, ସାରା ଦେଶରେ ପ୍ରାୟ ୫୦୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଛି । ପ୍ରାୟ ୭୫୦ ବିଦ୍ୟାଳୟକୁ ମଞ୍ଜୁରୀ ଦିଆଯାଇଛି। ୧.୫ କୋଟିରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ମାଟ୍ରିକ୍ ପୂର୍ବ ଏବଂ ପରବର୍ତ୍ତୀ ସ୍ତରରେ ଶହ ଶହ କୋଟି ଟଙ୍କାର ଛାତ୍ରବୃତ୍ତି ପାଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଏକ ଅତିରିକ୍ତ ଜବାହାର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି ବୋଲି ଶ୍ରୀ ମୋଦୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେତେବେଳେ ଆମର ସମାଲୋଚକ ମାନେ ପଚାରନ୍ତି ଯେ, ଡବଲ୍ ଇଞ୍ଜିନ୍ ସରକାରଙ୍କ ଠାରୁ ଓଡ଼ିଶାକୁ କଣ ମିଳିଛି, ସେତେବେଳେ ମୁଁ ଜବାବ ଦିଏ ଯେ, ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ, ୪୦ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପ, ଆମକୁ ଏହି ଡବଲ୍ ଇଞ୍ଜିନ୍ ସରକାରଙ୍କ ସମୟରେ ହିଁ ମିଳିଛି। ୨୫ ହଜାର କୋଟି ଟଙ୍କାର ବନ୍ଦର ପ୍ରକଳ୍ପ, ଆଉ ୨୫ ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର ପ୍ରକଳ୍ପ, ପାରାଦୀପରେ ୮୦ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ ପ୍ରକଳ୍ପ ମଧ୍ୟ ମିଳିଛି।
ଏହା ସହିତ, ୫ ହଜାର କୋଟି ଟଙ୍କାର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥିକ କରିଡର ମଧ୍ୟ ମିଳିଛି। ଆଜି ଆରମ୍ଭ ହେବାକୁ ଯାଉଥିବା ୫୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଏହାର ପ୍ରମାଣ ଅଟେ ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଶେଷରେ ଉଦଘାଟିତ ଏବଂ ଶିଳାନ୍ୟାସ ହୋଇଥିବା ବିକାଶମୂଳକ ପ୍ରକଳ୍ପ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କର୍ମଭୂମି ପରିଦର୍ଶନ କରିବା ଏବଂ ମୟୂରଭଞ୍ଜର ଲୋକଙ୍କ ସହିତ ଭାବ ବିନିମୟ କରିବାକୁ ଅନୁମତି ଦେବା ପାଇଁ ତାଙ୍କୁ ପୁଣିଥରେ ଧନ୍ୟବାଦ ଜଣାଇଥିଲେ।
