- “ନାର୍କୋ କୋର୍ଡିନେସନ ସେଣ୍ଟର”ର ୭ମ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ବର ତା-୨୩ -୦୬-୨୦୨୬ [ଆ.ଦୁ.ନି] ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ନାର୍କୋ କୋର୍ଡିନେସନ ସେଣ୍ଟର (ଏନ୍ସିଓଆର୍ଡି)ର ୭ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ, ନିଶାମୁକ୍ତ ସମାଜ ଗଠନ ପାଇଁ ଜନ ସଚେତନତା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ଵୟକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।
ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ଡିଜି, ଅପରାଧ ଅନୁସନ୍ଧାନ ବିଭାଗ ଓ କ୍ରାଇମବ୍ରାଞ୍ଚ, ଓଡ଼ିଶା,କଟକ ଶ୍ରୀ ବିନୟତୋଷ ମିଶ୍ର, ଡେପୁଟି ଡାଇରେକ୍ଟର ଜେନେରାଲ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, କୋଲକାତା, ଓଡ଼ିଶା ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ ବିଭାଗ, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ
ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ଆଦି ସଂପୃକ୍ତି ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ ଏବଂ ପ୍ରବର୍ତ୍ତନ ସଂସ୍ଥାର ଉଚ୍ଚ ପଦାଧିକାରୀମାନେ ଯୋଗଦେଇ ମତାମତ ଓ ପରାମର୍ଶ ରଖୁଥିଲେ ।
ଡିଜି, ସିଆଇଡି-ସିବି), ଓଡ଼ିଶା, ଶ୍ରୀ ମିଶ୍ର, ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗତ ଜାନୁଆରୀ ମାସରେ ନୂଆ ଦିଲ୍ଲୀରେ ଅନୁଷ୍ଠିତ ୯ମ ଉଚ୍ଚସ୍ତରୀୟ (ଆପେକ୍ସ) ଏନ୍ସିଓଆର୍ଡି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ନିଶାମୁକ୍ତ ଭାରତ ଗଠନର ଆହ୍ଵାନକୁ ଉଲ୍ଲେଖ କରି ବେଆଇନ୍ ନିଶାଦ୍ରବ୍ୟ ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତି ସମ୍ପର୍କରେ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ । ତତ୍ ସହିତ ଗତ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ୬ଷ୍ଠ ରାଜ୍ୟସ୍ତରୀୟ ଏନ୍ସିଓଆର୍ଡି ବୈଠକର ନିଷ୍ପଭିଗୁଡ଼ିକ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହାପରେ ସ୍ବତନ୍ତ୍ର ଟାକ୍ସ ଫୋର୍ସ, ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ଉପସ୍ଥାପନାରେ ଦର୍ଶାଯାଇଥିଲା ଯେ, ୨୦୨୪ରୁ ୨୦୨୬ ମଧ୍ଯରେ ଅଦ୍ୟାବଧୂ ରାଜ୍ୟରେ ୫୧୩ ମେଟ୍ରିକ ଟନ୍ରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୩,୨୩୮ଟି ମାମଲା ରୁଜୁ କରାଯାଇ ୪,୫୩୪ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୬୯,୪୭୦ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୩୩ କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଓ ୨ ଲକ୍ଷରୁ ଅଧିକ କୋଡିନ୍ ମିଶ୍ରିତ କଫ୍ ସିରପ୍ ବୋତଲ ଜବତ କରାଯାଇଛି । ଆନ୍ଧ୍ର-ଓଡ଼ିଶା ସୀମାରେ ଏସ୍ଟିଏଫ୍ ଦ୍ବାରା ପରିଚାଳିତ ଏକ ସ୍ବତନ୍ତ୍ର ଅଭିଯାନରେ ଏକ ଆନ୍ତର୍ରାଜ୍ୟ ନିଶାଦ୍ରବ୍ୟ ଚୋରାଚାଲାଣ ନେଟୱର୍କର ୭ ଜଣ ସଦସ୍ୟଙ୍କୁ ଗିରଫ କରାଯିବା ସହ ପ୍ରାୟ ୨୩୦ କୋଟି ଟଙ୍କା ମୂଲ୍ୟର ହାସିସ୍ ତେଲ ଓ ଗଞ୍ଜେଇ ଜବତ କରାଯାଇଥିବା ସୂଚନା ଦିଆଯାଇଥିଲା । ଏହା ସହ ନିଶାଦ୍ରବ୍ୟ କାରବାର ସହ ଜଡିତ ସମ୍ପତ୍ତି ବିରୋଧରେ ଆର୍ଥିକ ତଦନ୍ତକୁ ଜୋରଦାର କରାଯାଇଛି ।
ବୈଠକରେ ମୁଖ୍ୟ ଶାସନ ସଚିବ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ସହିତ ହେଉଥିବା ସମ୍ମିଳନୀରେ ଏନସିଓଆରଡି ସଂପର୍କିତ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ଏତି ସହିତ ବୈଠକରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକରେ ଫଳପ୍ରଦ ଆଲୋଚନାକୁ ଗୁରୁତ୍ବ, ନାର୍କୋ ମାମଲା ସଂପର୍କିତ ମାମଲାର ଶୀଘ୍ର ବିଚାର ପ୍ରକ୍ରିୟା, ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଜନସଚେତନତା ଏବଂ ସମସ୍ତ ପ୍ରବର୍ତ୍ତନ ସଂସ୍ଥାମାନଙ୍କର ସକ୍ରିୟ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବେଆଇନ ଗଞ୍ଜେଇ ଚାଷର ବିକଳ୍ପ ଭାବେ ଲାଭଜନକ କୃଷି କାର୍ଯ୍ୟକଳାପ ଓ ଜୀବିକାଭିଭିକ ଅନ୍ୟ ପଦକ୍ଷେପମାନେ ଗ୍ରହଣ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା I ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ କବଳରୁ ଦୂରେଇ ରଖିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
