- କୃଷି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ଉପରେ ଓୟୁଏଟିରେ ବକ୍ତ୍ରୁତାମାଳା
ଭୁବନେଶ୍ୱର, ତା. ୨୮.୦୭.୨୦୨୬ [ଆ.ଦୁ.ନି] : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ‘କୃଷିରେ କୃତ୍ରିମ ବୁଦ୍ଧିମତ୍ତା (AI in Agriculture)’ ଶୀର୍ଷକ ବକ୍ତୃତାମାଳା ଓୟୁଏଟିର ବିଜୁ ପଟ୍ଟନାୟକ କକ୍ଷରେ ଆୟୋଜିତ ହୋଇଥିଲା। କୃଷି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ, ଏହାର ସମ୍ଭାବନା ଏବଂ ଭବିଷ୍ୟତ ଦିଗ ଉପରେ ଏହି ବକ୍ତୃତାମାଳାରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଆଇଆଇଟି ଭୁବନେଶ୍ୱରର ବରିଷ୍ଠ ପ୍ରକଳ୍ପ ପରାମର୍ଶଦାତା ଏବଂ ଓୟୁଏଟିର ଓମବୁଡ଼ସମେନ ପ୍ରଫେସର ଏସ୍. ଏନ୍. ପଣ୍ଡା ଯୋଗ ଦେଇ କୃଷିରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର, ପ୍ରିସିଜନ୍ ଫାର୍ମିଂ, ଡାଟା ଆଧାରିତ ନିଷ୍ପତ୍ତି, ଫସଲ ରୋଗ ଚିହ୍ନଟ, ସଫଳ ପୂର୍ବାନୁମାନ, ସ୍ମାର୍ଟ କୃଷି ପରିଚାଳନା ଓ ଡିଜିଟାଲ କୃଷିର ଭବିଷ୍ୟତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କୃଷିରେ AIର ସଠିକ୍ ପ୍ରୟୋଗ ଦ୍ୱାରା ଉତ୍ପାଦନଶୀଳତା ବୃଦ୍ଧି ସହ କୃଷିକୁ ଅଧିକ ଲାଭଜନକ ଓ ସ୍ଥାୟୀ କରାଯାଇପାରିବ ବୋଲି ମତ ରଖିଛନ୍ତି I
ସଭାପତିତ୍ୱ ଅଭିଭାଷଣରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି, କୃଷି କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତ୍ତାର ସମନ୍ୱୟ ଦ୍ୱାରା ରାଜ୍ୟର କୃଷି ଓ କୃଷକଙ୍କ ବିକାଶକୁ ନୂତନ ଦିଗ ମିଳିବ। ଗବେଷଣା, ଶିକ୍ଷା ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ AIର ପ୍ରୟୋଗକୁ ଓୟୁଏଟି ଗୁରୁତ୍ୱ ଦେଉଛି ବୋଲି ସେ ମତ ପ୍ରକାଶ କରିଥିଲେ।
ଅତିଥିମାନଙ୍କୁ ସ୍ୱାଗତ ଜଣାଇ ପ୍ରଫେସର ଚନ୍ଦ୍ରମଣି ଖଣ୍ଡା, ଡିନ୍, ପିଜିଏଫ୍-କମ୍-ଡିଆରଆଇ, ଓୟୁଏଟି କହିଥିଲେ ଯେ, ବର୍ତ୍ତମାନର କୃଷି ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର କୃଷି ଉତ୍ପାଦନ ବୃଦ୍ଧି, ସଠିକ୍ ନିଷ୍ପତ୍ତି ଗ୍ରହଣ, ସମ୍ପଦର ସୁଚାରୁ ପରିଚାଳନା ଏବଂ କୃଷକଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।ଶେଷରେ ଡ଼. ଆର୍. ଆର୍. ପାତ୍ର, ସହକାରୀ ପ୍ରାଧ୍ୟାପକ, କମ୍ପ୍ୟୁଟର ସାଇନ୍ସ ଏଣ୍ଡ ଆପ୍ଲିକେସନ୍ ବିଭାଗ, ସେଣ୍ଟର ଫର ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡିଜ୍ (CPGS), ଓୟୁଏଟି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବକ୍ତୃତାମାଳାରେ ଓୟୁଏଟିର ବୈଜ୍ଞାନିକ, ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି କୃଷିରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ଅବଗତ ହୋଇଥିଲେ।
