- ବନ୍ୟା ଓଡ଼ିଶାର ସାତଟି ଜିଲ୍ଲାକୁ ପ୍ରଭାବିତ କରିଛି
- ୮୯୪୭୪ ପ୍ରାଣିପାଳକଙ୍କର ୪୮୨୪୫୭ ପ୍ରାଣୀ ପ୍ରଭାବିତ
- ୪୮ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ
- ୧୨୯ଟି ପ୍ରାଣୀ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ
ଭୁବନେଶ୍ୱର ୧୮/୦୮/୨୦୨୬ [ଆ.ଦୁ.ନି] ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ଯଥେଷ୍ଟ ପରିମାଣର ଗୋ ଖାଦ୍ୟ ମହଜୁଦ ଥିବା ବେଳେ ବନ୍ୟା ପ୍ରଭାବିତ ଜିଲ୍ଲାର ଆବଶ୍ୟକତା ଅନୁସାରେ ତୁରନ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟାକୁ ଦୃଷ୍ଟିରେ ରଖି ପ୍ରାଣିସମ୍ପଦର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁତ୍ଵାରୋପ କରିଛନ୍ତି ।
ଚଳିତ ବନ୍ୟା (ଦ୍ଵିତୀୟ ପର୍ଯ୍ୟାୟ)ରେ ୮୯୪୭୪ ପ୍ରାଣିପାଳକଙ୍କର ୪୮୨୪୫୭ ପ୍ରାଣୀ ଓ ୫୧୮୮୫ କୁକୁଡ଼ା ପ୍ରଭାବିତ ହୋଇଛନ୍ତି । ଏହି ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ପାଇଁ ୪୮ ଟି ରାପିଡ୍ ରେସପନ୍ସ ଟିମ ମୁତୟନ କରାଯାଇଥିବା ବେଳେ ୧୨୯ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ୧୭୭ ଟି ପ୍ରାଣୀଙ୍କୁ ସ୍ଥାନାନ୍ତରଣ କରାଯାଇ ୧୦ଟି ସ୍ଥାନରେ ଆଶ୍ରୟ ଦିଆଯାଇଛି । ବନ୍ୟା ପ୍ରଭାବିତ ଗ୍ରାମଗୁଡିକରେ ୫୧୨୬ ଟି ପ୍ରାଣିଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ୧୧୪୫୦ ଟି ପ୍ରାଣୀଙ୍କୁ ବନ୍ୟା ପରବର୍ତ୍ତୀ ଟିକାକରଣ କରାଯାଇଛି । ବନ୍ୟା ସହାୟତା ପ୍ୟାକେଜ୍ ପ୍ରସ୍ତୁତି ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ପ୍ରାଣୀଙ୍କ ସୁରକ୍ଷା ଓ ପ୍ରାଣିପାଳକଙ୍କୁ ଉଚିତ କ୍ଷତି ପୂରଣ ଦେବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି
ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକୁ ୪୦୫.୮୫ ମେଟ୍ରିକ ଟନ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୨୫.୩୫ କ୍ଵିଣ୍ଟାଲ ସବୁଜ ଚାରା, ୧.୧୫ କ୍ଵିଣ୍ଟାଲ ଶୁଖିଲା ଚାରା, ୪ କ୍ଵିଣ୍ଟାଲ ରାଇସ୍ ବ୍ରାନ୍ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ପ୍ରକାଶ କରିଛନ୍ତି ।
