- ଜାତୀୟ ସ୍ୱଚ୍ଛତା ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ ପାଇଁ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ
ଭୁବନେଶ୍ୱର, ୨୦ ଅଗଷ୍ଟ, ୨୦୨୬ [ଆ.ଦୁ.ନି] ରାଜ୍ୟର ଦୁଇ ପ୍ରମୁଖ ସହରାଞ୍ଚଳ ପାଇଁ ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଜାତୀୟ ସ୍ୱଚ୍ଛତା ସର୍ବେକ୍ଷଣ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାକୁ ବିଏମସି ଓ କେଏମସିକୁ ଆହ୍ୱାନ ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱର ଓ କଟକକୁ ଦେଶର ସବୁଠାରୁ ସ୍ୱଚ୍ଛ ତଥା ସୁପରିଚାଳିତ ସହରରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।
ପୂର୍ବରୁ ନିଜ ବର୍ଗରେ ଭୁବନେଶ୍ୱର ନବମ ସ୍ଥାନ ହାସଲ କରିଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, ଆଗାମୀ ଜାତୀୟ ସ୍ୱଚ୍ଛତା ମୂଲ୍ୟାୟନରେ ଭୁବନେଶ୍ୱର ଏବଂ କଟକ ଯେପରି ପ୍ରଥମ ସ୍ଥାନ (Rank-1) ଅଧିକାର କରିବେ, ସେଥିପାଇଁ ଉଭୟ ପୌରସଂସ୍ଥା ମିଶନ ମୋଡ଼ରେ କାର୍ଯ୍ୟ କରିବା ସହ ନିଜ ପ୍ରୟାସକୁ ଦ୍ୱିଗୁଣିତ କରିବା ଉଚିତ ।
ପ୍ରବଳ ବର୍ଷା ସମୟରେ ଜଳବନ୍ଦୀ ଓ ସହରାଞ୍ଚଳ ବନ୍ୟା ପରିସ୍ଥିତିର ସମୀକ୍ଷା କରି ଡ. ମହାପାତ୍ର ମେସିନ୍ ଦ୍ୱାରା ଡ୍ରେନ୍ ସଫେଇ ଏବଂ ନିୟମିତ ପଙ୍କ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ କେତେକ ସ୍ଥାନରେ ସଂକୀର୍ଣ୍ଣ ଡ୍ରେନ୍ ଏବଂ ୩ରୁ ୪ ଫୁଟ ପର୍ଯ୍ୟନ୍ତ ପଙ୍କ ଜମି ରହିଥିବା ଜଣାପଡ଼ିଥିବାରୁ, ବ୍ୟାପକ ଡ୍ରେନ୍ ସଫେଇ ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ନିୟୋଜିତ କରିବାକୁ ଏବଂ ଜଳ ନିଷ୍କାସନ କ୍ଷମତା ବଜାୟ ରଖି ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ବଡ଼ ଡ୍ରେନ୍ଗୁଡ଼ିକୁ ବର୍ଷକୁ ଅତି କମରେ ୩ ଥର ପଙ୍କମୁକ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଯୁକ୍ତିବିଦ୍ୟା ଆଧାରିତ ବନ୍ୟା ମୁକାବିଲା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଅତ୍ୟାଧୁନିକ ଫ୍ଲଡ୍ ସେନ୍ସର ଲଗାଯାଇ ଏହାକୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ସହ ସଂଯୋଗ କରାଯାଉ । ଏହି ବ୍ୟବସ୍ଥା ଦ୍ୱାରା ରିଅଲ୍-ଟାଇମ୍ ମନିଟରିଂ, ସମ୍ଭାବ୍ୟ ଜଳପ୍ଲାବନର ପୂର୍ବାନୁମାନ ଏବଂ ସମ୍ବେଦନଶୀଳ ଅଞ୍ଚଳକୁ ଠିକ୍ ସମୟରେ ସତର୍କ ସୂଚନା ମିଳିପାରିବ, ଯାହା ଫଳରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ କ୍ଷୟକ୍ଷତିକୁ ରୋକାଯାଇ ପାରିବ ।
ବାରମ୍ବାର ଜଳବନ୍ଦୀ ଓ ପରିମଳ ସମସ୍ୟା ଉପୁଜୁଥିବା ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକର ମଧ୍ୟ ଡଃ ମହାପାତ୍ର ସମୀକ୍ଷା କରିଥିଲେ । ଇସ୍କନ ମନ୍ଦିର ନିକଟରେ ଚାଲିଥିବା ଡ୍ରେନେଜ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରି ସେଠାରେ ଲାଗି ରହୁଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେହେରା ସାହିରେ ଡ୍ରେନେଜ୍ କାର୍ଯ୍ୟକୁ ଦ୍ରୁତ ଗତିରେ ଶେଷ କରିବା ଏବଂ ବିଏମସି ଅଧୀନରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାସ୍ତା ସହିତ ଡ୍ରେନ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ସୈନିକ ସ୍କୁଲ ଅଞ୍ଚଳ ସମେତ ଚିହ୍ନଟ ସ୍ଥାନଗୁଡ଼ିକରେ ବାରମ୍ବାର ଆବର୍ଜନା ଜମା ହେବା ଏବଂ ଦୁର୍ଗନ୍ଧ ସମସ୍ୟାର ସମାଧାନ ପାଇଁ ଅଭିନବ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
