ଭୁବନେଶ୍ୱର, ୨୫/୦୮/୨୦୨୬ [ଆ.ଦୁ.ନି] ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି, ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।
ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍ ତିରୁମାଲା ନାଏକଙ୍କ ସମେତ କମିଟିର ସଦସ୍ୟ ଥିବା ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକ ପ୍ରାରମ୍ଭରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ରାଜ୍ୟସ୍ତରୀୟ ପରିଚାଳନା କମିଟିର ଭୂମିକା, ଦାୟିତ୍ୱ, ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ନିରୀକ୍ଷଣ ଓ ତଦାରଖ ପାଇଁ ଗଠିତ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସେଲ୍ର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥାପନା କରିଥିଲେ । ବୈଠକରେ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ, ନିୟମିତ ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକତା ଅନୁଯାୟୀ ନୀତିଗତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟନ୍ୱୟନକାରୀ ସଂସ୍ଥାମାନଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ନିର୍ମାଣ କାର୍ଯ୍ୟରେ କେତେ ଅଗ୍ରଗତି ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି, ସମୁଦାୟ ୩୨୨ଟି ବିଦ୍ୟାଳୟ ନିର୍ମାଣ ଏହି ଯୋଜନାରେ ସାମିଲ ହୋଇଛି । ବୈଠକରେ ମୁଖ୍ୟ ସଚିବ ବିଭିନ୍ନ ନିର୍ମାଣକାରୀ ସଂସ୍ଥାମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଯୋଜନା କାର୍ଯ୍ୟକାରିତାକୁ ଅଧିକ ସଫଳ କରିବା ପାଇଁ ବିଦ୍ୟାଳୟ ଚୟନ ଓ ଭିତ୍ତିଭୂମି ସମ୍ବନ୍ଧୀୟ କେତେକ ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । କେତେକ ସ୍ଥାନରେ ଜମିର ଆକାର, ଓସାର ଓ ଭୂମିର ଆକୃତି ଅନୁଯାୟୀ ପୂର୍ବରୁ ଅନୁମୋଦିତ ବର୍ଗାକାର ବିଲ୍ଡିଂ ପ୍ଲାନ୍ କାର୍ଯ୍ୟକାରୀ କରିବା ସମ୍ଭବ ହେଉନଥିବାରୁ ଆୟତାକାର ପ୍ଲାନ୍ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଯୋଜନାର କାର୍ଯ୍ୟାନ୍ୱୟନ, ନିରୀକ୍ଷଣ ଓ ଗୁଣାତ୍ମକ ତଦାରଖକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସେଲ୍ରେ ଟେକ୍ନିକାଲ୍ ଓ ଏକାଡେମିକ୍ ଏବଂ ପ୍ରଶାସନିକ ତଥା ଅର୍ଥ ଏବଂ ମାନବ ସମ୍ବଳ ନିୟୋଜନ ଉପରେ ଆଲୋଚନା ହୋଇଛି । ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବିତ ବିଦ୍ୟାଳୟର ନିକଟସ୍ଥ ସରକାରୀ/ବେସରକାରୀ ଜମି ଅଧିଗ୍ରହଣ କରିବା ଏବଂ କେବଳ ପଞ୍ଚାୟତ ମୁଖ୍ୟାଳୟରେ ଏହି ବିଦ୍ୟାଳୟ ସ୍ଥାପନ ସୀମିତ ନରଖି, ସେଠାରେ ଜମି ଉପଲବ୍ଧ ନଥିଲେ ପଞ୍ଚାୟତର ସର୍ବାଧିକ ଜନବସତି ଥିବା ସ୍ଥାନରେ ବିଦ୍ୟାଳୟ ସ୍ଥାପନ ପାଇଁ ଗାଇଡଲାଇନ ସଂଶୋଧନ ପ୍ରସ୍ତାବ ଦିଆଯାଇଛି ।
ପ୍ରକାଶ ଥାଉକି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାର୍ଗଦର୍ଶିକାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୨୦୨୫ରେ ଅନୁମୋଦନ କରିଥିଲେ । ଏହାର ସୁଚାରୁ କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ମାର୍ଚ୍ଚ ୨୦୨୬ରେ ରାଜ୍ୟସ୍ତରୀୟ ପରିଚାଳନା କମିଟି ଗଠିତ ହୋଇଛି । ଏହି କମିଟି ଯୋଜନାର ନୀତିଗତ ମାର୍ଗଦର୍ଶନ, ରଣନୈତିକ ଦିଗନିର୍ଦ୍ଦେଶ ଓ ତଦାରଖ ପ୍ରଦାନ କରିବା ସହ କାର୍ଯ୍ୟାନ୍ୱୟନର ଅଗ୍ରଗତି ନିୟମିତ ସମୀକ୍ଷା କରିବ । କ୍ଷେତ୍ରସ୍ତରୀୟ ମତାମତ ଆଧାରରେ ବିଦ୍ୟାଳୟ ଚୟନ, ଭିତ୍ତିଭୂମି ଓ କାର୍ଯ୍ୟାନ୍ୱୟନ ମାନଦଣ୍ଡର ଆବଶ୍ୟକ ଅଦ୍ୟତନ, ବିଭାଗୀୟ ସମନ୍ୱୟ, କାର୍ଯ୍ୟନିର୍ବାହୀ ସଂସ୍ଥା ଚୟନ ଏବଂ ସମ୍ବଳର ସୁଚାରୁ ବଣ୍ଟନ ସୁନିଶ୍ଚିତ କରିବ । ଏଥିସହିତ, ଯୋଜନାର ଉଦ୍ଦେଶ୍ୟ ହାସଲ, ଗୁଣାତ୍ମକ ଓ ସମାବେଶୀ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଦେଖାଦେଉଥିବା ସମସ୍ୟାର ସମାଧାନ କରି ଫଳପ୍ରଦ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବ। ଯୋଜନାର କାର୍ଯ୍ୟକାରିତାରେ ରହୁଥିବା ସମସ୍ୟା ଓ ଆହ୍ୱାନଗୁଡ଼ିକର ସମାଧାନ କରି ଯୋଜନାରେ ସୁଗମ, ଉତ୍ତରଦାୟୀ ଏବଂ ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ରଣନୈତିକ ଦିଗ ନିର୍ଦ୍ଦେଶ ପ୍ରଦାନ କରିବା କମିଟିର ମୂଳ ଭୂମିକା ରହିଛି ।
ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଓ ଶିଶୁ-ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଶ୍ରେଣୀକକ୍ଷ, ଶିଶୁ ବାଟିକା, ପ୍ରବେଶ ଲବି, ପ୍ରଧାନଶିକ୍ଷକଙ୍କ କକ୍ଷ, ଷ୍ଟାଫ୍ ରୁମ୍, ଷ୍ଟୋର୍ ରୁମ୍, ଅଫିସ୍ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ରହିବ । ସ୍ଥାନର ପରିସ୍ଥିତି ଅନୁଯାୟୀ ନକ୍ସାରେ ଆବଶ୍ୟକ ପରିବର୍ତ୍ତନ କରି ଭିତ୍ତିଭୂମିର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ।
ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ସହିତ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା । ନିର୍ମାଣ କାର୍ଯ୍ୟ ପରେ ଆବଶ୍ୟକ ସଂଖ୍ୟକ ଓ ଉତ୍ତମ ଶିକ୍ଷକଙ୍କ ଉପଲବ୍ଧତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ରହିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ଯୋଜନାର ପ୍ରତ୍ୟେକ ପର୍ଯ୍ୟାୟରେ ଉଚ୍ଚ ଆକାଂକ୍ଷା, ଗୁଣାତ୍ମକ ମାନଦଣ୍ଡ ଓ ଦୀର୍ଘମିଆଦୀ ଦୃଷ୍ଟିକୋଣ ରଖି କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ଉନ୍ନତ ଶିକ୍ଷା ପରିବେଶ ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଏହି ଯୋଜନାର କାର୍ଯ୍ୟାନ୍ୱୟନକୁ ସମୟବଦ୍ଧ ଓ ଗୁଣାତ୍ମକ ଭାବେ ଆଗେଇ ନେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
