ଭୁବନେଶ୍ୱର 3.9.2026 [ଆ.ଦୁ.ନି]: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ଏବିଏମ୍ (Agribusiness Management) ଓ ବାୟୋଇନଫର୍ମାଟିକ୍ସ ବିଭାଗର ମୁଖ୍ୟ ଡ. ସୁକାନ୍ତ ପ୍ରଧାନଙ୍କ 51 ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ହୋଇଛି I ତାଙ୍କର ପରଲୋକରେ ବିଶ୍ୱବିଦ୍ୟାଳୟ ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଶିକ୍ଷା, ଗବେଷଣା ଓ କୃଷି କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି।
ଡ. ପ୍ରଧାନ ୩ ଜୁନ୍ ୧୯୭୫ରେ କେନ୍ଦ୍ରାପଡ଼ା ଜ଼ିଲ୍ଲାର ମାଣ୍ଡପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଏକମାତ୍ର ପୁତ୍ର ଶ୍ରୀୟାଂଶୁ ପ୍ରଧାନ ବର୍ତମାନ । ସେ OUATର ଚିପିଲିମାସ୍ଥିତ କୃଷି ମହାବିଦ୍ୟାଳୟରୁ କୃଷି ପାଠ୍ୟକ୍ରମରେ ସ୍ନାତକ ଏବଂ ଵୟୋଇନ୍ଫୋରମେଟିକରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ I ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଵୟୋଟେକନୋଲୋଜିରେ ପିଏଚ୍ଡି ଡିଗ୍ରୀ ହାସଲ କରିଥିଲେ। ଶିକ୍ଷା ଓ ଗବେଷଣା ପ୍ରତି ତାଙ୍କର ଗଭୀର ଆଗ୍ରହ ତାଙ୍କୁ ଜଣେ ନିଷ୍ଠାପର ଶିକ୍ଷାବିତ୍ ଓ ଗବେଷକ ଭାବେ ପରିଚିତ କରାଇଛି।
OUATରେ ଏବିଏମ୍ ଓ ବାୟୋଇନଫର୍ମାଟିକ୍ସ କ୍ଷେତ୍ରରେ ତାଙ୍କର ଶିକ୍ଷାଦାନ, ଗବେଷଣା ଓ ଏକାଡେମିକ୍ ନେତୃତ୍ୱ ଉଲ୍ଲେଖନୀୟ ଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ସହିତ ଗବେଷଣା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି I ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି I ଡ. ପ୍ରଧାନଙ୍କୁ ଜଣେ ନିଷ୍ଠାପର ଶିକ୍ଷାବିତ୍ ଓ ଗବେଷକ ଭାବେ ସ୍ମରଣ କରିବା ସହ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ଅମ୍ଳାନ ରହିବ ବୋଲି କହିଛନ୍ତି।
