ଭୁବନେଶ୍ୱର, ୧୧/୯/ 2026 [ଆ.ଦୁ.ନି] : ପାଞ୍ଚ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ଏବଂ ସମସ୍ତ କ୍ୟାଡର୍ ପାଇଁ ସମାନ ଓ ବୈଷମ୍ୟମୁକ୍ତ ପରଫର୍ମାନ୍ସ ଲିଙ୍କ୍ଡ ଇନ୍ସେଣ୍ଟିଭ୍ (PLI) ବ୍ୟବସ୍ଥା ଲାଗୁ କରିବା ଦାବିରେ ଶୁକ୍ରବାର ବ୍ୟାଙ୍କିଂ କ୍ଷେତ୍ରର କର୍ମଚାରୀ ଓ ଅଧିକାରୀମାନେ ଧର୍ମଘଟ ପାଳନ କରିଛନ୍ତି। UFBU ଅଧୀନରେ ଅଧିକାରୀ ଓ କର୍ମଚାରୀଙ୍କ ସମସ୍ତ ଆସୋସିଏସନ୍ ଓ ୟୁନିଅନ୍ ଏହି ଧର୍ମଘଟକୁ ସମର୍ଥନ କରିଥିଲେ। ଦୀର୍ଘଦିନ ଧରି ଅନିଷ୍ପନ୍ନ ରହିଥିବା ଦାବିଗୁଡ଼ିକର ସମାଧାନ ଏବଂ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ନ୍ୟାୟସଙ୍ଗତ ଅଧିକାର ଦାବି କରିବା ଏହି ଧର୍ମଘଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି। ଧର୍ମଘଟକାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା, ବର୍ତ୍ତମାନର ବୈଷମ୍ୟମୂଳକ PLI ବ୍ୟବସ୍ଥା ପ୍ରତ୍ୟାହାର କରି ସମସ୍ତ କ୍ୟାଡର୍ ପାଇଁ ସମାନ PLI ଲାଗୁ କରିବା ଏବଂ ୟୁନିଅନ୍ ସହ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ବକେୟା ସମସ୍ୟାଗୁଡ଼ିକର ସମାଧାନ କରିବା ଅନ୍ୟତମ। ପ୍ରତିନିଧିମାନେ କହିଛନ୍ତି ଯେ, ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ବ୍ୟାଙ୍କ କର୍ମଚାରୀଙ୍କ ଦୀର୍ଘଦିନର ଦାବି। ଏ ସମ୍ପର୍କରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ସହ PLI କ୍ଷେତ୍ରରେ ସମସ୍ତଙ୍କ ପ୍ରତି ନ୍ୟାୟ ଓ ସମାନତା ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।
ଏହି ଅବସରରେ ଇଣ୍ଡିଆନ୍ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍, ଓଡ଼ିଶାର ସଭାପତି ବି.ବି. କରଣ, ଡେପୁଟି ଜେନେରାଲ୍ ସେକ୍ରେଟାରୀ ପବନ ଚୌଧୁରୀ, ଅଲ୍ ଓଡ଼ିଶା ଇଣ୍ଡିଆନ୍ ବ୍ୟାଙ୍କ ଏମ୍ପ୍ଲୟିଜ୍ ୟୁନିଅନ୍ର ଡେପୁଟି ଜେନେରାଲ୍ ସେକ୍ରେଟାରୀ ବିମଳ କୁମାର ପଣ୍ଡା ଏବଂ ଇଣ୍ଡିଆନ୍ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍, ଓଡ଼ିଶାର ଉପସଭାପତି ସମର ବଲ୍ଲଭ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ୟୁନିଅନ୍ଗୁଡ଼ିକ ଗଣତାନ୍ତ୍ରିକ ଓ ଆଇନସମ୍ମତ ଉପାୟରେ ଦାବିଗୁଡ଼ିକ ପାଇଁ ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରତିନିଧିମାନେ କହିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।
