ମୟୂରଭଞ୍ଜ 15.9.2026 [ଆ.ଦୁ.ନି]: ଗତକାଲି ବିଳମ୍ବିତ ରାତି ଏବଂ ଆଜି ଭୋର ସମୟରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବାଲେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନସ୍ଥ ମୟୂରଭଞ୍ଜ ଜିଲ୍ଲାର ମାନଗୋବିନ୍ଦପୁର ଶାଖାରେ ଡକାୟତି ଉଦ୍ୟମ ଘଟିଥିବା ଜଣାପଡିଛି। ବ୍ୟାଙ୍କର ଆଇପି ଭିଭିକ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଘଟଣାଟି ତୁରନ୍ତ ଚିହ୍ନଟ ହେବାରୁ ପୋଲିସ୍ ଓ ବ୍ୟାଙ୍କ ଅଧିକାରୀମାନେ ସମୟୋପଯୋଗୀ ପଦକ୍ଷେପ ନେଇପାରିଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ ରାତି ପ୍ରାୟ ୧:୩୯ ମିନିଟ୍ ସମୟରେ, ମାଙ୍ଗାଲୋର୍ ସ୍ଥିତ ବ୍ୟାଙ୍କର ସେଣ୍ଟ୍ରାଲାଇଜଡ୍ କମାଣ୍ଡ ସେଣ୍ଟର୍ ( ସିଏମ୍ଏସ୍) ଅନ୍ଲାଇନ୍ ସିସିଟିଭି କ୍ୟାମେରା ମାଧ୍ଯମରେ ମାନଗୋବିନ୍ଦପୁର ଶାଖାରେ ସନ୍ଦେହଜନକ ଗତିବିଧୂ ଲକ୍ଷ୍ୟ କରିଥିଲା। ସିସିଟିଭି ଫୁଟେଜ୍ରେ ୩ ଜଣ ଅଜଣା ବ୍ୟକ୍ତି ଶାଖା ପରିସରରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବାର ଦେଖାଯାଇଥିଲା।
ଆଲର୍ଟ ମିଳିବା ମାତ୍ରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବାଲେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶାଖାଠାରୁ ପ୍ରାୟ ୧୦ କି.ମି. ଦୂରରେ ଥିବା ବୈଶିଙ୍ଗା ଥାନା ଏବଂ ପୋଲିସ୍ କଣ୍ଟ୍ରୋଲ୍ ରୁମ୍କୁ ତୁରନ୍ତ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା।
ଏହାସହିତ ଶାଖା ମୁଖ୍ୟ, ଅନ୍ୟ ଶାଖା କର୍ମଚାରୀ ଏବଂ ସ୍ଥାନୀୟ କାଜୁଆଲ୍ କର୍ମଚାରୀଙ୍କୁ ମଧ୍ଯ ତୁରନ୍ତ ସୂଚନା ଦିଆଯାଇ ଶାଖାରେ ପହଞ୍ଚିବାକୁ କୁହାଯାଇଥିଲା। ସେଣ୍ଟ୍ରାଲାଇଜଡ୍ କମାଣ୍ଡ ସେଣ୍ଟର୍, ବାଲେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ, ଶାଖା କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ୍ର ତୁରନ୍ତ ସମନ୍ଵୟ ଯୋଗୁଁ ଘଟଣାସ୍ଥଳରେ ଶୀଘ୍ର ପଦକ୍ଷେପ ନିଆଯାଇପାରିଥିଲା ଏବଂ ବ୍ୟାଙ୍କ ସମ୍ପଭିର ବଡଧରଣର କ୍ଷତିକୁ ରୋକାଯାଇପାରିଥିଲା।
ପୋଲିସ୍ କର୍ମଚାରୀମାନେ ତୁରନ୍ତ ଶାଖାରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇଥିଲେ। ସିସିଟିଭି ଫୁଟେଜ୍ରେ ଦେଖାଯାଇଥିବା ୩ ଜଣ ଅଜଣା ବ୍ୟକ୍ତିଙ୍କର ପରିଚୟ ଏବଂ ସେମାନଙ୍କର ଗତିବିଧୂ ସମ୍ପର୍କରେ ପୋଲିସ୍ ତଦନ୍ତ ଜାରି ରଖୁଛି।
ଏହି ଘଟଣା ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କେନ୍ଦ୍ରୀକୃତ ସିସିଟିଭି ନିରୀକ୍ଷଣ ଏବଂ ସୁରକ୍ଷା ବ୍ୟବସ୍ଥାର ପ୍ରଭାବଶୀଳତାକୁ ପ୍ରମାଣିତ କରିଛି। ଏହି ବ୍ୟବସ୍ଥା ଯୋଗୁଁ ସନ୍ଦେହଜନକ ଗତିବିଧିକୁ ବାସ୍ତବ ସମୟରେ ଚିହ୍ନଟ କରାଯାଇଥିଲା ଏବଂ କର୍ତ୍ତୃପକ୍ଷଙ୍କ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇପାରିଥିଲା। ଘଟଣା ସମ୍ପର୍କିତ ଅଧୂକ ବିବରଣୀ ଏବଂ ପୋଲିସ୍ ତଦନ୍ତର ଫଳାଫଳକୁ ଅପେକ୍ଷା କରାଯାଉଛି।
