ଭୁବନେଶ୍ୱର, ସେପ୍ଟେମ୍ବର ୨୦୨୬ [ଆ.ଦୁ.ନି] : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି), ଭୁବନେଶ୍ୱର ଏବଂ ବେଙ୍ଗାଲୁରୁସ୍ଥିତ ଆଟ୍ରିସଲ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଡ୍ରୋନ୍ ଭିତ୍ତିକ କୃଷି ପ୍ରଯୁକ୍ତି କ୍ଷେତ୍ରରେ ନବସୃଜନ, ଗବେଷଣା ଓ ଉଦ୍ୟୋଗିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି।
ଏହି ଏମ୍ଓୟୁରେ ଓୟୁଏଟିର ଡିପିଏମ୍ଇ ପ୍ରଫେସର୍ ଏସ୍. ପଲାଇ ଏବଂ ଆଟ୍ରିସଲ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଶ୍ରୀ ଆନ୍ଦ୍ରା ରାହୁଲ ଚୌଧୁରୀ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଓୟୁଏଟିର ମାନ୍ୟବର କୁଳପତି ପ୍ରଫେସର୍ ପ୍ରଭାତ କୁମାର ରାଉଳଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଡିନ୍, ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଫେସର୍ ପ୍ରଭାତ କୁମାର ରାଉଳ ଶିକ୍ଷାନୁଷ୍ଠାନ ଓ ପ୍ରଯୁକ୍ତିଭିତ୍ତିକ ଉଦ୍ୟୋଗ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରି କୃଷି କ୍ଷେତ୍ରରେ ନବସୃଜନକୁ ଆଗେଇ ନେବା ଏବଂ କୃଷି କ୍ଷେତ୍ରର ଉଦୀୟମାନ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ପ୍ରଯୁକ୍ତିଭିତ୍ତିକ ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଆଟ୍ରିସଲ୍ ଟେକ୍ନୋଲୋଜିର CEO ଶ୍ରୀ ଆନ୍ଦ୍ରା ରାହୁଲ ଚୌଧୁରୀ ପ୍ରଯୁକ୍ତି ଓ ସଫ୍ଟୱେର୍ ଇଞ୍ଜିନିୟରିଂ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରଖିଛନ୍ତି। ୨୦୨୪ ମସିହାଠାରୁ ସେ ଆଟ୍ରିସଲ୍ ଟେକ୍ନୋଲୋଜିର ନେତୃତ୍ୱ ନେଉଛନ୍ତି। ସଂସ୍ଥାଟି ଡ୍ରୋନ୍ ନବସୃଜନ ଓ ଗବେଷଣା-ବିକାଶ (R&D) କ୍ଷେତ୍ରରେ କାର୍ଯ୍ୟ କରିବା ସହ ଇନ୍କ୍ୟୁବେସନ୍ ମାଧ୍ୟମରେ ଡ୍ରୋନ୍ ଭିତ୍ତିକ କୃଷି ପ୍ରଯୁକ୍ତି ବିକାଶ କରୁଥିବା ଷ୍ଟାର୍ଟଅପ୍ଗୁଡ଼ିକୁ ସହଯୋଗ ପ୍ରଦାନ କରୁଛି।
ଏହି ଏମ୍ଓୟୁ ଅଧୀନରେ *ଗବେଷଣା ଓ ବିକାଶ ମାଧ୍ୟମରେ ଡ୍ରୋନ୍ ନବସୃଜନ ଓ ପରୀକ୍ଷଣ, ଷ୍ଟାର୍ଟଅପ୍ଗୁଡ଼ିକୁ ଇନ୍କ୍ୟୁବେସନ୍ ଓ ସହଯୋଗ, ସମ୍ବଳ, ମାର୍ଗଦର୍ଶନ, ପ୍ରଯୁକ୍ତି ଓ ପାଣ୍ଠି ସୁଯୋଗ ପ୍ରଦାନ, ଡ୍ରୋନ୍ ଭିତ୍ତିକ କୃଷି ପ୍ରଯୁକ୍ତିର ବିକାଶ, ଛାତ୍ରଛାତ୍ରୀଙ୍କ ଉଦ୍ୟୋଗିତା ଓ ଶିଳ୍ପ ପ୍ରସ୍ତୁତି, ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଏବଂ ପାରସ୍ପରିକ ଭାବେ ସହମତ ହୋଇଥିବା କ୍ଷେତ୍ରରେ ମିଳିତ ଗବେଷଣା ପ୍ରକଳ୍ପ ଆଦି ଉପରେ ସହଯୋଗ କରାଯିବ।
ଏହି ସହଯୋଗ ମାଧ୍ୟମରେ ଛାତ୍ରଛାତ୍ରୀ, ଗବେଷକ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଅତ୍ୟାଧୁନିକ ଡ୍ରୋନ୍ ପ୍ରଯୁକ୍ତି ସହିତ ଜଡ଼ିତ ହେବା ଏବଂ ନବସୃଜନମୂଳକ ଚିନ୍ତାଧାରାକୁ ବ୍ୟବହାରିକ କୃଷି ପ୍ରୟୋଗରେ ପରିଣତ କରିବାର ନୂତନ ସୁଯୋଗ ସୃଷ୍ଟି ହେବ। ଏଥିସହ ଶିଳ୍ପ-ଶିକ୍ଷାନୁଷ୍ଠାନ ସମ୍ପର୍କକୁ ସୁଦୃଢ଼ କରିବା ସହ କୃଷକ ସମାଜ ପାଇଁ ପ୍ରଯୁକ୍ତିଭିତ୍ତିକ ସମାଧାନ ବିକାଶରେ ସହଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ଓୟୁଏଟି ଆଶା ପ୍ରକାଶ କରିଛି ଯେ, ଆଟ୍ରିସଲ୍ ଟେକ୍ନୋଲୋଜିଜ୍ ସହ ଏହି ସହଯୋଗ ଡ୍ରୋନ୍ ଭିତ୍ତିକ କୃଷି ନବସୃଜନ, ଉଦ୍ୟୋଗିତା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରିବା ସହ ବିଶ୍ୱବିଦ୍ୟାଳୟ ଓ କୃଷକ ସମାଜ ପାଇଁ ଦୀର୍ଘମିଆଦୀ ଭାବେ ଲାଭଦାୟକ ହେବ।
