ଭୁବନେଶ୍ବର ୨୦-୦୯-୨୦୨୬ [ଆ.ଦୁ.ନି] : କୁମାର ପୂର୍ଣ୍ଣିମା ଅବସରରେ “ୟୁଥ” ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ, ଭୁବନେଶ୍ବର ପକ୍ଷରୁ ପ୍ରଥମ ଥର ପାଇଁ “ପଟ୍ଟଚିତ୍ର ଚିତ୍ରକଳା ପ୍ରତିଯୋଗିତା-୨୦୨୬″ ଆୟୋଜିତ ହୋଇଯାଇଛି। ୟୁନିଟ୍-୩ସ୍ଥିତ ରାଜଧାନୀ କଳା ସଂସଦରେ ସେପ୍ଟେମ୍ବର ୨୦ ତାରିଖରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାକୁ ଚିତ୍ରକଳା ମାଧ୍ୟମରେ ଉପସ୍ଥାପନ କରିବା ସହ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର କଳାର ପ୍ରଚାର ଓ ପ୍ରସାର କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥୁଲା I ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୪୦ରୁ ଅଧିକ ପ୍ରତିଯୋଗୀ ଏଥ୍ରେ ଅଂଶଗ୍ରହଣ କରି ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ରୂପ, ଲୀଳା ଓ ମହିମାକୁ ପଟ୍ଟଚିତ୍ର ମାଧ୍ୟମରେ ଚିତ୍ରିତ କରିଥିଲେ।
ଏହି ଅବସରରେ ଭୁବନେଶ୍ୱର- ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଗୁରୁ ଶ୍ରୀଧର ମହାରଣା, ବିଜେପି ଯୁବନେତା ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ଗୀତାଞ୍ଜଳି ଆୱାର୍ଡସ୍ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବୁଦ୍ଧ ମହାପାତ୍ର ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପଟ୍ଟଚିତ୍ର ଶିଳ୍ପୀ ଗୁରୁ ଆଶିଷ ଦାସ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ I
ପାରମ୍ପରିକ ପଟ୍ଟଚିତ୍ର କଳା ପ୍ରତି ଯୁବପିଢ଼ି ଓ କଳାପ୍ରେମୀମାନଙ୍କ ଆଗ୍ରହ ବୃଦ୍ଧି କରିବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଏହି ପ୍ରତିଯୋଗିତା ଏକ ପ୍ରୟାସ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ପ୍ରତିଯୋଗିତାକୁ “ୟୁଥ”, ଭୁବନେଶ୍ବରର କାର୍ଯ୍ୟକାରୀ ସଂଯୋଜକ ଅମୃତା ଲୋପାମୁଦ୍ରା ପରିଚାଳନା କରିଥିଲେ।
