ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଙ୍କଳ୍ପ, ଦୃଷ୍ଟିକୋଣ ବଳରେ ଆମେ ଆଜି ଭାରତକୁ ‘ଏକ’ ଦେଖୁଛୁ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର
୩୧ ଅକ୍ଟୋବର ୨୦୨୫(ଆ.ଦୁ.ନିଉଜ)
ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିଅମ ଠାରେ ଆୟୋଜିତ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ ଶକ୍ତି। ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ — ଏହି ଆତ୍ମବୋଧ ଆମକୁ ଏକଜୁଟ ରଖେ ଓ ଦେଶକୁ ଶକ୍ତିଶାଳୀ କରେ। ସର୍ଦ୍ଦାର ପଟେଲ ଏକ ଏମିତି ମହାନ ନେତା ଥିଲେ, ଯିଏ ଶତାଧିକ ରାଜା ରଜୁଡାଙ୍କୁ ଏକତା ସୁତ୍ରରେ ବାନ୍ଧି ଏକ ଅଖଣ୍ଡ ଭାରତ ଗଢିଥିଲେ।
ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯେ ଆମେ ସମସ୍ତେ ମିଳିମିଶି, ସଂଘବଦ୍ଧ ଭାବେ କାମ କଲେ ଖୁବ ଶୀଘ୍ର ଆମେ ବିକଶିତ ଭାରତର ସ୍ଵପ୍ନକୁ ସାକାର କରିପାରିବା। ଏହି ଦୌଡ଼ ହେଉଛି ସେହି ଏକତା, ସମନ୍ୱୟ ଓ ଦେଶପ୍ରେମର ପ୍ରତୀକ। ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ “ରନ୍ ଫର ୟୁନିଟି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଏବଂ ୨୦୧୮ ମସିହାରେ ଗୁଜରାଟର କେଭାଡିଆ ଠାରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚ “Statue of Unity” ଅନାବରଣ ହୋଇଥିଲା — ଯାହା ବିଶ୍ୱର ସର୍ବବୃହତ୍ ପ୍ରତିମା ଭାବେ ଭାରତୀୟ ଗୌରବର ପ୍ରତୀକ ହୋଇଉଠିଛି ବୋଲି ସେ କହିଥିଲେ।
ଏହି ଅବସରରେ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏହି ଦୌଡ଼ ମାଧ୍ୟମରେ ଆମେ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ଓ ଏକ ସଶକ୍ତ ଭାରତ ଗଢିବାରେ ନିରନ୍ତର ଅଗ୍ରସର ହେବା ଆମ ସମସ୍ତଙ୍କ ଦାୟିତ୍ୱ। ପରିଶେଷରେ ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଦବ ଧନ୍ୟବାଦ ଦେଇଥିଲେ।
ସୂଚନା ଯୋଗ୍ୟଯେ ଏହି ଗଣଦୌଡ଼, କଳିଙ୍ଗ ଷ୍ଟାଡିଅମରୁ ଆରମ୍ଭ ହୋଇ ପାୱାର ହାଉସ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ରନ ଫର ୟୁନିଟି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଖେଳାଳି ଓ ସାହସ୍ରାଧିକ ନାଗରିକ ଅଂଶଗ୍ରହଣ କରିଥିଲେ।
