ସାଉଦିଆରବ 1-11-25 (ଅ.ଦୁ.ନିଉଜ) ସାଉଦିଆରବରେ ଥିବା ଭାରତୀୟ ଦୂତାବାସର ପ୍ରତିବର୍ଷ ପରି ଏବର୍ଷ ସପ୍ତାହ ବ୍ୟାପୀ ପ୍ରବାସୀ ପରିଚୟ ଦିବସକୁ ବହୁ ଆଡମ୍ବରରେ ଆୟୋଜନ କରାଯାଇଛି, ଓଡ଼ିଶା ସମେତ ଗୁଜୁରାଟ, କର୍ଣ୍ଣାଟକ, ପଞ୍ଜାବ ଓ ଉତ୍ତରାଖଣ୍ଡ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜ ରାଜ୍ୟର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିଥିଲେ l
ପ୍ରବାସୀ ଓଡ଼ିଆଙ୍କ ଦ୍ଵାରା ପ୍ରଦର୍ଶିତ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ ଓ ଆଧୁନିକ ଓଡ଼ିଆ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ହୃଦୟକୁ ଛୁଇଁ ଥିଲା। ପ୍ରତିଭାଶାଳୀ ଓଡ଼ିଆ ନାରୀ ବୃନ୍ଦଙ୍କ ପ୍ରତ୍ୟେକ ନୃତ୍ୟରେ ଓଡ଼ିଶାର ସଂସ୍କୃତି ଓ ଅଭିବ୍ୟକ୍ତିର ଅପୂର୍ବ ସମନ୍ୱୟ ଦେଖାଯାଇଥିଲା। ସାହିତ୍ୟ, କଳା ଓ ଐତିହ୍ୟରେ ସମୃଦ୍ଧ ଓଡ଼ିଶା ରାଜ୍ୟର ପାଭିଲିଅନ୍ ଷ୍ଟଲ୍ ମଧ୍ୟ ଏକ ବଡ଼ ଆକର୍ଷଣ ଥିଲା। ସେଠାରେ ପିପିଲି ଚାନ୍ଦୁଆ ଶିଳ୍ପ, କଟକ ରୂପା ତାରକସି, ହସ୍ତତନ୍ତ୍ର, ପଟ୍ଟଚିତ୍ର, ଓ ତାଳପତ୍ର ଚିତ୍ରକଳା ଭଳି ଅନେକ ଓଡ଼ିଆ ସଂସ୍କୃତି ସହିତ ସଂପୃକ୍ତ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଓଡିଶା ପାଭିଲିଅନ୍ ରେ ବିଶ୍ୱ ପ୍ରସିଦ୍ଧ ରସଗୋଲା ପରିବେଷଣ କରାଯାଇଥିଲା ଯାହା ଭାରତୀୟ ଦୂତାବାସ ର ଉପ-ମିଶନ ମୁଖ୍ୟ ଶ୍ରୀ ଆବୁ ମାଥେନ ଜର୍ଜ ତଥା ପରିଦର୍ଶକମାନେ ସ୍ୱାଦ ପାଇଁ ବିଶେଷ ପ୍ରଶଂସା କରିଥିଲେ ।
ଭାରତୀୟ ରାଜଦୂତ ଶ୍ରୀ ସୁହେଲ ଏଜାଜ୍ ଖାନ କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ସହିତ ଓଡ଼ିଶା ପାଭିଲିଅନ୍କୁ ଯାଇ ସେଠାରେ ପ୍ରଦର୍ଶିତ ହୋଇଥିବା ଶିଳ୍ପସାମଗ୍ରୀ ଓ ସାଂସ୍କୃତିକ ଉପସ୍ଥାପନା ଦେଖି ବିଶେଷ ପ୍ରଶଂସା କରିଥିଲେ। ଓଡ଼ିଆ ସମାଜ ପକ୍ଷରୁ ଶ୍ରୀ ଅଜିମୁଦ୍ଦିନ୍ ଖାନ ମାନନୀୟ ରାଜଦୂତଙ୍କୁ ପୁଷ୍ପଗୁଛ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।
ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନିୟୋଜିତ ଭାବେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀମତୀ ଦୀପିକା ପାଣିଗ୍ରାହୀ ଓ ଶ୍ରୀମତୀ ଦୀପିକା ପାତ୍ର । ମଞ୍ଚ ପରିଚାଳନାରେ ବିବେକ ସିଲ୍ଲା, ଶିବାଶିଷ ନାୟକ ଓ ଜ୍ୟୋତିର୍ମୟ ସାହୁ ତଥା ଓଡ଼ିଶା ପାଭିଲିଅନ୍ ଷ୍ଟଲ ପ୍ରସ୍ତୁତି ଓ ପରିଚାଳନାର ଦାୟିତ୍ଵ ସରୋଜ ପାଣିଗ୍ରାହୀ, ଖୋକନ୍, ସୀମାଞ୍ଚଳ ଓ ଅର୍ମାନ ତୁଲାଇଥିଲେ।

ପ୍ରବାସୀ ପରିଚୟ ଦିବସ, ୨୦୨୫ ରେ ଓଡ଼ିଶା ରାଜ୍ୟ ଯେପରି ସାଂସ୍କୃତିକ ଐତିହ୍ୟ ଓ କଳାକୁ ଗୌରବର ସହିତ ପ୍ରଦର୍ଶନ କଲା, ତାହା ସମସ୍ତ ଭାରତୀୟ ସମୁଦାୟଙ୍କ ମଧ୍ୟରେ ଗଭୀର ପ୍ରଭାବ ଛାଡ଼ିଥିଲା ଏବଂ ଓଡ଼ିଆ ମାନଙ୍କ ମନରେ ଗର୍ବ ଓ ଆନନ୍ଦର ଭାବ ସୃଷ୍ଟି କରିଥିଲା।
