:ସ୍କୁଲ ଝିଅମାନଙ୍କ ମଧ୍ୟରେ ରକ୍ତହୀନତା ଦୂର ପାଇଁ ରାଜ୍ୟପାଳ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କଲେ :
ଭୁବନେଶ୍ୱର, ତା ୦୩/୧୧/୨୦୨୫ (ଆ.ଦୁ.ନିଉଜ) ଚଳିତ ନଭେମ୍ବର ୩ ତାରିଖ ସୋମବାର ଦିନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଭୁବଶ୍ୱରର ୟୁନିଟ୍-୨ସ୍ଥିତ କ୍ୟାପିଟାଲ ଗାର୍ଲ୍ସ ହାଇସ୍କୁଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସ୍କୁଲର ସୁସ୍ଥ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ସ୍କୁଲ ଝିଅମାନଙ୍କର ରକ୍ତହୀନତା ଦୂର କରିବା ପାଇଁ ଛାତ୍ରୀମାନଙ୍କୁ ବିଟ୍-ଗାଜର ଜୁସ ଏବଂ ବାଦାମ ଚିକ୍କି ବଂଟନ କରି ରାଜ୍ୟପାଳ ଏକ ସ୍ବତନ୍ତ୍ର ଦୁଇମାସିଆ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପ ଅଧୁନରେ ସ୍କୁଲର ଛାତ୍ରୀମାନେ ଆଗାମୀ ଦୁଇମାସ ପାଇଁ ବିଟ୍-ଗାଜର ଜୁସ୍ ଓ ବାଦାମ ଚିକ୍କି ପାଇବେ । ଉକ୍ତ କାର୍ଯ୍ୟକ୍ରମ ସମୟରେ ରାଜ୍ୟପାଳ ଛାତ୍ରୀମାନଙ୍କ ସହିତ ବାର୍ଭାଳାପ କରି କିଶୋରୀ ଝିଅମାନଙ୍କ ମଧ୍ୟରେ ରକ୍ତହୀନତାର ସମସ୍ୟା ଉପରେ ଚିନ୍ତା ପ୍ରକଟ କରିଥିଲେ ଏବଂ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ସଂପର୍କରେ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟପାଳ କହିଥିଲେ ଯେ, ସରଳ ଖାଦ୍ୟ ଅଭ୍ୟାସ ଜଣଙ୍କର ସ୍ବାସ୍ଥ୍ୟରେ ଗୁରୁତ୍ବପୂର୍ଣ ପରିବର୍ତ୍ତନ ଆଣିପାରେ। ଗାଜର-ବିଟ୍ ଜୁସ୍ ଏବଂ ଚିକ୍କି ଭଳି ଖାଦ୍ୟ ସାମଗ୍ରୀ ହିମୋଗ୍ଲୋବିନ ସ୍ତରକୁ ଉନ୍ନତ କରିବାରେ ସରଳ, ସୁଲଭ ଓ ପ୍ରଭାବଶାଳୀ ହୋଇପାରିବ। ଝିଅମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖୁବା ପାଇଁ ରାଜ୍ୟପାଳ ଉତ୍ସାହିତ କରି କହିଥିଲେ ଯେ ଦୁଇମାସ ପରେ ଯଦି ତୁମେ ଜାଣିବ ଯେ ତୁମର ହିମୋଗ୍ଲୋବିନ ସ୍ତରରେ ଉନ୍ନତି ହୋଇଛି, ତେବେ ପିତାମାତା / ଅଭିଭାବକଙ୍କୁ କହି ଏପରି ସୁସୁ ଖାଦ୍ୟାଭ୍ୟାସ ଜାରି ରଖୁବାକୁ ପରାମର୍ଶ ଦେଇଥିଲେ। ସ୍କୁଲମାନଙ୍କରେ ନିୟମିତ ଦୃଷ୍ଟିଶକ୍ତି ପରୀକ୍ଷାର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରି କହିଥିଲେ ଯେ, ଅନେକ ପିଲା ସେମାନଙ୍କର ଦୃଷ୍ଟି ଶକ୍ତି ସମସ୍ୟା ବିଷୟରେ ଅଜ୍ଞ ରହିଥାନ୍ତି । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରାଯିବା ଉଚିତ ଏବଂ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ପିତାମାତାଙ୍କୁ ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ଏଦିଗରେ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କୁ ରାଜ୍ୟପାଳ ବିହିତ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଅମ୍ଳାନ (AMLAN) କାର୍ଯ୍ୟକ୍ରମ ଏବଂ ସେମାନଙ୍କ ସ୍କୁଲରେ କରାଯାଇଥିବା ଚକ୍ଷୁ ପରୀକ୍ଷା ସଂପର୍କରେ ଅଭିଜ୍ଞତା ବାଂଟିବା ସହିତ ରାଜ୍ୟପାଳଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ। ସେମାନେ ସ୍କୁଲର ଭିତିଭୂମି, ସ୍ମାର୍ଟ ଶ୍ରେଣୀଗୃହ, ହଷ୍ଟେଲ ଏବଂ ଶିକ୍ଷାଗତ ସଫଳତା ପ୍ରଦର୍ଶନ ସଂପର୍କରେ ଉପସ୍ଥାପନା କରିଥିଲେ । ଭାବବିନିୟ ଅବସରରେ ପିଲାମାନେ ରାଜ୍ୟପାଳଙ୍କୁ ତାଙ୍କର ଆଦର୍ଶ, ପ୍ରିୟ ବିଷୟ ଏବଂ ସଫଳତା ହାସଲ ସଂପର୍କରେ ପ୍ରଶ୍ନ ପଚାରିଥିଲେ ଏବଂ ରାଜ୍ୟପାଳ ଉତ୍ତର ଦେଇଥିଲେ । ପିଲାମାନେ ବଡ ସ୍ବପ୍ନ ଦେଖୁବା, ଶୃଙ୍ଖଳିତ ହୋଇ ସେମାନଙ୍କର ଲକ୍ଷ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୧୯୫୮ ମସିହାରେ ପ୍ରତିଷ୍ଠିତ କ୍ୟାପିଟାଲ ଗାର୍ଲ୍ସ ହାଇସ୍କୁଲରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱ ପାଠ ପଢ଼ିଥିବାରୁ ଏହି ବିଦ୍ୟାଳୟର ଗୌରବମୟ ଐତିହ୍ୟ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକ, ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କୋରକରା, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସବିତା କୁମାରୀ ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହା ଦ୍ଵିତୀୟ ସ୍କୁଲ ଯେଉଁଠାରେ ରାଜ୍ୟପାଳ ଏପରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ମାସରେ ମାଲକାନାଗିରି ଜିଲ୍ଲାର ମୁଦୁଲିପଡ଼ା ସରକାରୀ ଏସ୍ଏସ୍ଡି ହାଇସ୍କୁଲରେ ମଧ୍ଯ ଏହି ଅଭିଯାନ ଆରମ୍ଭ କରିଥିଲେ ।

