ବାଲେଶ୍ବର|ଭୁବନେଶ୍ୱର ୨୭ ମଇ ୨୦୨୬ [ଆ.ଦୁ.ନି] ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ପକ୍ଷରୁ ବାଲେଶ୍ବର ଠାରେ ଦିନ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ସାରଦା ପ୍ରସନ ମହାନ୍ତି, ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ; ଏସଏଲବିସି ଓଡ଼ିଶାର ଆବାହକ ତଥା ମହାପ୍ରବନ୍ଧକ ଶ୍ରୀ ପ୍ରଣବ ବିଶ୍ବାସ; ଏସବିଆଇ ଉପ ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ପ୍ରଭାତ କୁମାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଡା. ମହାନ୍ତି ମୁଖ୍ୟ ବକ୍ତବ୍ୟ ପ୍ରଦାନ କରି ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିବା ସହିତ ସାଇବର ଫ୍ରଡ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜଣ ସାଧାରଣଙ୍କୁ ପ୍ରୋତ୍ସାହନ କରିଥିଲେ । ଏହା ସହ ସେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସରଳୀକରଣ ଉପରେ ଗୁରୁତ୍ଵ ପ୍ରଦାନ କରି ବ୍ଯାଙ୍କ ଖାତାରେ କେୱାଇସି ଓ ନୋମିନେସନର ଆବଶ୍ୟକତା ଉପରେ ସଚେତନ କରିଥିଲେ । ଶ୍ରୀମତୀ ପଟ୍ଟନାୟକ କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ପ୍ରଦାନ କରି ରିଜର୍ଭ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଦିଗରେ କରାଯାଇଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷକ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ବର୍ଗରୁ ପ୍ରାୟ ୧୫୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ, ଋଣ, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା, ପେନସନ ଏବଂ ଦାବିହୀନ ଜମା ରାଶି ପ୍ରାପ୍ତ କରିବାର ପ୍ରଣାଳୀ ଆଦି ବିଷୟ ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ । ପ୍ରତିଭାଗୀ ମାନଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ପ୍ରକାର ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସର୍ବଶେଷରେ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା ଏଲଡିଏମ, ଡିଡିଏମ, ଏଫଏଲସି, ସିଏଫଏଲ ଏବଂ ବାଲେଶ୍ବର ଅଞ୍ଚଳର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବ୍ୟାଙ୍କର ଏହି ପ୍ରୟାସଟି ଜିଲ୍ଲା ପ୍ରଶାସନ ଓ ସାଧାରଣ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।
