- ରାଜ୍ୟରେ ୧୯୫ କୋଟିର ପୋଲିସ ଭିତ୍ତିଭୂମି ଲୋକାର୍ପିତ
- ପୋଲିସବାହିନୀର ସଶକ୍ତୀକରଣ: ଭୁବନେଶ୍ୱର, କଟକ ଓ ଯାଜପୁରରେ ୬୫୮ଟି ପୋଲିସ ଆବାସିକ ଗୃହ ନିର୍ମିତ
- ଚାପମୁକ୍ତ ରହି ସେବା ଯୋଗାଇବେ ପୋଲିସ କର୍ମଚାରୀ; ବାସଗୃହ ସମସ୍ୟାର ସମାଧାନକୁ ସରକାରଙ୍କ ପ୍ରାଥମିକତା
ଭୁବନେଶ୍ୱର ୪ ଜୁନ୍ ୨୦୨୬ [ଆ.ଦୁ.ନି] ପୁରୀ ତାଳବଣିଆ ଠାରେ ଏକ ଅତ୍ୟାଧୁନିକ ନୂତନ ଥାନା ଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୋଲିସ ଭିତ୍ତିଭୂମିର ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଏହାସହିତ ଆଭାସୀ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥିତ SDPO କାର୍ଯ୍ୟାଳୟ, ଯାଜପୁରର ବ୍ରହ୍ମବରଦା ଥାନା, ତୃତୀୟ ବାଟାଲିୟନ କୋରାପୁଟର ପ୍ରଶାସନିକ ଭବନ ଓ ଅସ୍ତ୍ରାଗାର ଗୃହ ସମେତ ଭୁବନେଶ୍ବର, କଟକ ଓ ଯାଜପୁରରେ ସର୍ବମୋଟ ୬୫୮ଟି (D, E, F type) ପୋଲିସ ଆବାସିକ ଗୃହର ମଧ୍ୟ ଲୋକାର୍ପଣ କରାଯାଇଛି।
ରାଜ୍ୟରେ ଆଇନଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ତାଳବଣିଆଠାରେ ପୋଲିସ ଷ୍ଟେସନ ଉଦଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଦ୍ଵାରା ପ୍ରାୟ ୧୯୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଯୋଜନାକୁ ବାସ୍ତବ ରୂପ ଦେଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ବି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା ଏବଂ ଭୟମୁକ୍ତ ପରିବେଶ।
ରାଜ୍ୟ ପୋଲିସର ସଫଳତା ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟ ପୋଲିସ ନକ୍ସଲ ଦମନ, ଶାନ୍ତି-ଶୃଙ୍ଖଳା ରକ୍ଷା ଏବଂ ନିଶାଦ୍ରବ୍ୟ କାରବାର ରୋକିବାରେ ପ୍ରଶଂସନୀୟ କାର୍ଯ୍ୟ କରୁଛି। ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର (Conviction Rate) ବୃଦ୍ଧି ପାଇବା ଏକ ସନ୍ତୋଷଜନକ ବିଷୟ। ବିଶେଷ କରି ନୂତନ ‘ଭାରତୀୟ ନ୍ୟାୟ ସଂହିତା’ କାର୍ଯ୍ୟକାରୀ ହେବା ପରଠାରୁ ଗତ ବର୍ଷ ଡିସେମ୍ବର ସୁଦ୍ଧା ଏହି ହାର ୮୭.୬ ପ୍ରତିଶତକୁ ବୃଦ୍ଧି ପାଇଛି।
ଏଥିସହ ସେ ଚେତାବନୀ ଦେଇ କହିଛନ୍ତି, ଯେ କିଛି ଛୋଟ ଛୋଟ ଘଟଣା ପୋଲିସର ସାମଗ୍ରିକ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣୁଛି। ସେଥିପାଇଁ ଆମ ପୋଲିସ ବାହିନୀକୁ ଆହୁରି ସତର୍କ ଓ ସଂବେଦନଶୀଳ ହେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ଉପଯୁକ୍ତ ତାଲିମ ଉପରେ ସରକାର ସ୍ଵତନ୍ତ୍ର ଗୁରୁତ୍ଵ ଦେଉଛନ୍ତି।
ବର୍ତ୍ତମାନର ବଡ଼ ଆହ୍ବାନ ସାଇବର ଓ ସଙ୍ଗଠିତ ଅପରାଧ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିକାଲି ସମଗ୍ର ବିଶ୍ଵରେ ସାଇବର ଅପରାଧ ଏବଂ ସଙ୍ଗଠିତ ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାର ସଫଳ ମୁକାବିଲା ପାଇଁ ଆମକୁ ନୂତନ ପ୍ରଯୁକ୍ତିବିଦ୍ୟା ଆପଣେଇ ସକ୍ରିୟ ରହିବାକୁ ହେବ। ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମ ପୋଲିସ ବାହିନୀ ଏହି ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିପାରିବେ।
ଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ଜନସାଧାରଣଙ୍କ ପ୍ରତି ପୋଲିସର ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, “ହସ୍ପିଟାଲ ହେଉ କିମ୍ବା ଥାନା— ଏଠାକୁ କେବଳ ଅସହାୟ ଓ ଆବଶ୍ୟକତା ଥିବା ଲୋକମାନେ ହିଁ ଆସିଥାନ୍ତି। ତେଣୁ ସେମାନଙ୍କ ସମସ୍ୟାକୁ ସହାନୁଭୂତିର ସହ ବୁଝିବା ଏବଂ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ।” ଏହି ନୂତନ ତାଳବଣିଆ ପୋଲିସ ଭବନ ଆଗାମୀ ଦିନରେ କେବଳ ଏକ ସରକାରୀ କୋଠା ହୋଇ ନରହି, ସାଧାରଣ ଲୋକଙ୍କ ଭାବନା ଓ ଆଶାଆକାଂକ୍ଷାକୁ ବୁଝି କାର୍ଯ୍ୟ କରିବ ବୋଲି ସାଂସଦ ଆଶା ପ୍ରକଟ କରିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
