ଭୁବନେଶ୍ବର 5.6.2026 [ଆ.ଦୁ.ନି] : ବ୍ୟାଙ୍କ ଅଫ୍ ବରୋଦା ଓଡ଼ିଶାରେ ନିଜର ଉପସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ ପଦକ୍ଷେପ ଗ୍ରହଣ କରିଛି । ବ୍ୟାଙ୍କ ପକ୍ଷରୁ ଇଣ୍ଟରନେଟ୍ ପେମେଣ୍ଟ ଗେଟୱେକୁ ଶ୍ରୀ ଜଗନ୍ନାଥ ମନ୍ଦିର ସହ ସଂଯୋଗ କରାଯାଇଛି, ଯାହାଦ୍ବାରା ଭକ୍ତମାନେ ଅନଲାଇନ୍ ମାଧ୍ଯମରେ ସହଜରେ ଦାନ କରିପାରିବେ ଏବଂ ଭୁବନେଶ୍ବର ଜୋନରେ ବ୍ୟାଙ୍କର ପ୍ରଥମ ଫିଜିଟାଲ୍ (Phygital) ଶାଖାର ଉଦ୍ଘାଟନ କରାଯାଇଛି I
ବ୍ୟାଙ୍କର ସୁରକ୍ଷିତ ପେମେଣ୍ଟ ଗେଟୱେକୁ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀର ୱେବସାଇଟ୍ ସହ ସଂଯୋଗ କରାଯିବା ଫଳରେ ଭାରତ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଭକ୍ତମାନେ ସହଜ, ସୁରକ୍ଷିତ ଏବଂ ସୁବିଧାଜନକ ଭାବରେ ଅନଲାଇନ୍ ଦାନ କରିପାରିବେ । ଭକ୍ତମାନେ ବର୍ତ୍ତମାନ କର୍ପସ୍ ଫଣ୍ଡ ଦାନ ଯୋଜନା, ସାଧାରଣ ଦାନ, ଏବଂ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ମଧ୍ଯ ଅନଲାଇନ୍ ମାଧ୍ଯମରେ ଅର୍ଥ ପ୍ରଦାନ କରିପାରିବେ। ଏହି ସୁବିଧା ଭକ୍ତମାନଙ୍କୁ ଶତାବ୍ଦୀ ପୁରୁଣା ପବିତ୍ର ଧାମ ସହ ଆହୁରି ଘନିଷ୍ଠ ଭାବରେ ଯୋଡ଼ି ରଖିବ ।
ଏଥ୍ ସହିତ, ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ବର ଅଞ୍ଚଳର ପ୍ରଥମ ଫିଜିଟାଲ୍ ଶାଖାର ମଧ୍ଯ ଶୁଭାରମ୍ଭ କରାଯାଇଛି । ଭୁବନେଶ୍ବରର ଜନପଥରେ ଅବସ୍ଥିତ ଏହି ନୂତନ ଶାଖାକୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ଦେବଦତ୍ତ ଚାନ୍ଦ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର ଅଞ୍ଚଳର ମହାପ୍ରବନ୍ଧକ ତଥା ଜୋନାଲ୍ ମୁଖ୍ୟ ଶରତ କୁମାର ପାଣିଗ୍ରାହୀ ଏବଂ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧୁକାରୀଗଣ ଉପସ୍ଥିତ ଥିଲେ ।
ନୂତନ ଫିଜିଟାଲ୍ ଶାଖା ଗ୍ରାହକମାନଙ୍କୁ ଡିଜିଟାଲ୍ ସୁବିଧା ଓ ବ୍ୟକ୍ତିଗତ ବ୍ୟାଙ୍କି ସହାୟତାର ଏକ ସମନ୍ବିତ ଅନୁଭବ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି । ଆଡଭାନ୍ସଡ ବ୍ୟାଙ୍କି ସୁବିଧା ସହ କର୍ମଚାରୀମାନଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଉତ୍ତମ ଗ୍ରାହକ ସେବା ଗ୍ରାହକମାନଙ୍କୁ ଆଧୁନିକ, ଗ୍ରାହକ-ଅନୁକୂଳ ବ୍ୟାଙ୍କି ସେବାର ଅନୁଭୂତି ପ୍ରଦାନ କରିବ ।
ଏହି ଅବସରରେ ଡ ଦେବଦତ୍ତ ଚାନ୍ଦ ମତବ୍ୟକ୍ତ କରିଥିଲେ ଯେ, “ଓଡ଼ିଶା ବ୍ୟାଙ୍କ ଅଫ୍ ବରୋଦାର ବ୍ୟବସାୟୀକ ସଫଳତା ପାଇଁ ଏକ ଗୁରୁତ୍ବପୂର୍ଣ ସ୍ଥାନ ଅଟେ ଏବଂ ରାଜ୍ୟରେ ବ୍ୟାଙ୍କି ସେବା ବିସ୍ତାର କରିବା ସହ ଏହାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ପ୍ରତିଶୃତିବଦ୍ଧ। ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ସହ ଓଡ଼ିଶା ବ୍ୟାଙ୍କ ଅଫ୍ ବରୋଦାର ସହଭାଗିତା ମାଧ୍ୟମରେ ଭକ୍ତମାନଙ୍କୁ ଏକ ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଯୋଗାଇ ଦେବାର ସୁଯୋଗ ମିଳି ପାରିଛି I ସେହିପରି, ଭୁବନେଶ୍ବରରେ ନୂତନ ଫିଜିଟାଲ୍ ଶାଖାର ଉପସ୍ଥିତି ପ୍ରଯୁକ୍ତି ଓ ବ୍ୟକ୍ତିଗତ ସେବାକୁ ଏକାଠି କରି ଗ୍ରାହକମାନଙ୍କୁ ଉତ୍କୃଷ୍ଟ ବ୍ୟାଙ୍କି ଅନୁଭବ ପ୍ରଦାନ କରିବା ପ୍ରତି ଏକ ନିରନ୍ତର ପ୍ରୟାସର ପ୍ରତିଫଳନା”
ଏହି ଦୁଇଟି ପଦକ୍ଷେପ ମାଧ୍ଯମରେ ବ୍ୟାଙ୍କ ଅଫ୍ ବରୋଦା ନିଜର ଡିଜିଟାଲ୍ ବ୍ୟାଙ୍କି କ୍ଷମତାକୁ ଆହୁରି ବୃଦ୍ଧି କରିବା ସହ ଓଡ଼ିଶାରେ ଗ୍ରାହକମାନଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିପାରିବ ।
