ଭୁବନେଶ୍ୱର ତା 22. 07. 2026 [ଆ.ଦୁ.ନି] : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସିପିଜିଏସର ୧୪ତମ ବାର୍ଷିକ ଉତ୍ସବ ‘ସିଲେଷ୍ଟା’ ଉଦଘାଟିତ ହୋଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଓୟୁଟିଆରର କୁଳପତି ବିଭୁତି ଭୂଷଣ ବିଶ୍ୱାଳ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିକାଶ ଦିଗରେ ଗୁରୁତ୍ୱ ଦେବାକୁ ଉପଦେଶ ଦେଇଛନ୍ତି I ବର୍ତମାନର ସମୟରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ସହ ଆତ୍ମ ବିଶ୍ୱାସୀ ହେବାକୁ ମତ ରଖିଛନ୍ତି I ବୈଷୟିକ ଜ୍ଞାନର ପରିସରକୁ ଆପଣେଇ ଶିକ୍ଷାଗତ ଯୋଗ୍ୟତାର ପରିସୀମାକୁ ବଢାଇବାକୁ ହେବ ବୋଲି କହିଛନ୍ତି I
ଅନ୍ୟତମ ଅତିଥି ଭାବେ ଅଦାନୀ ପୋର୍ଟ ଏବଂ ସେଜ଼ ବିଜ଼ନେସ ଡେଭେଲପମେଣ୍ଟର ସଭାପତି ଶ୍ରୀ ସୁବ୍ରତ ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଅବିବୃଦ୍ଧି ଦିଗରେ ଶିଳ୍ପାୟନର ଗୁରୁତ୍ୱ ଦିଗରେ ମତ ରଖିଛନ୍ତି I ଶକ୍ତିର ସଦୁପଯୋଗ କରି ସମାଜର ପ୍ରଗତିର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶ୍ରୀ ତ୍ରିପାଠୀ ଆହ୍ୱାନ ଦେଇଛନ୍ତି I
ସଭାପତିତ୍ୱ ଅଭିଭାଷଣରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମୟ ତଥା ସୁଯୋଗର ଉପଭୋଗ ପରିବର୍ତେ ଉପଯୋଗ ପାଇଁ ଉପଦେଶ ଦେଇଛନ୍ତି I ବର୍ତମାନ ସମୟରେ ସ୍ମାର୍ଟ ଯୋଗ ସହ ତାଳ ଦେଇ ଆଗକୁ ବଢିବାକୁ ହେବ I ପ୍ରତିଟି କ୍ଷେତ୍ରରେ ପ୍ରତଯୋଗିତାର ସାମ୍ନା ପାଇଁ ପ୍ରସ୍ତୁତ ହେବାକୁ କୁଳପତି ମତ ରଖିଛନ୍ତି I
ଏହି ଅବସରରେ ଏକ ସ୍ମରଣିକା ‘କୃତ୍ତିକା’ ଅତିଥିମାନେ ଉନ୍ମୋଚନ କରିଥିଲେ I ସିପିଜିଏସ ଛାତ୍ର ସଂଗଠନର ଚେୟାରମ୍ୟାନ ସୌରଭ ମହାପାତ୍ର ନିଜର ମତ ଉପସ୍ଥାପନା କରିଥିବାବେଳେ ପରିଚାଳନା ସଭାପତି ଅମରେନ୍ଦ୍ର ସାହୁ ମହାବିଦ୍ୟାଳୟର ବାର୍ଷିକ ବିବରଣୀକୁ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରମଣି ଖଣ୍ଡା ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିବା ବେଳେ ସିପିଜିଏସ ଛାତ୍ର ସଂଗଠନର ଉପଦେଷ୍ଟା ଡ଼. ରଶ୍ମି ରଞ୍ଜନ ପତ୍ର ଧନ୍ୟବାଦ ଦେଇଥିଲେ I
